Unknown

 

 

 

 

 

 

 

 

 

 

 

ଭଞ୍ଜବଂଶ ଓ ଗୁମସର ବିଦ୍ରୋହ

ଗଙ୍ଗାପାଣି ମହାପାତ୍ର

 

ମୁଖବନ୍ଧ

 

ଭଞ୍ଜନଗରର ଶ୍ରୀ ମାଗୁଣି ଦାଶ, କିଛିକାଳ ପୂର୍ବେ “ଭଞ୍ଜବଂଶାନୁଚରିତ” ନାମକ ଖଣ୍ଡିଏ ତାଳପତ୍ର ପୋଥି ପାଇ ସେଥିରୁ ଭଞ୍ଜ ବଂଶର ଇତିହାସ ପ୍ରକାଶ କରିଥିଲେ । ପ୍ରଥମ ସଂସ୍କରଣଟି ଶେଷ ହେବା ପରେ “ଭଞ୍ଜବଂଶ ଓ ଗୁମସର ବିଦ୍ରୋହ” ନାମକ ଅନ୍ୟଏକ ବହି ସେ ବର୍ଦ୍ଧିତ ଆକାରରେ ପ୍ରକାଶ କରିବାକୁ ଯାଉଛନ୍ତି । ବହିଟି ଚଉଦ ଅକ୍ଷରି କାବ୍ୟ ଆକାରରେ ଲେଖା । ଭଞ୍ଜବଂଶ ଉପେନ୍ଦ୍ର ଭଞ୍ଜଙ୍କ ଯୋଗେ ପ୍ରସିଦ୍ଧ । ଏଣୁ ଭଞ୍ଜବଂଶର ଇତିହାସ ଜାଣିବା ପାଇଁ ପ୍ରତ୍ୟେକ ଓଡ଼ିଆ ଆଗ୍ରହୀ । ସେହି ଦୃଷ୍ଟିରୁ ଶ୍ରୀ ମାଗୁଣି ଦାଶଙ୍କ ଲିଖିତ ପୁସ୍ତକର ଆବଶ୍ୟକତା ଅଛି । ଭଞ୍ଜ କେବଳ ପଣ୍ଡିତମାନଙ୍କ ମଧ୍ୟରେ ନୁହନ୍ତି ଗ୍ରାମର ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ସୁପରିଚିତ । ଏଣୁ ଗ୍ରାମର ସାଧାରଣ ଲୋକଙ୍କ ଆଗ୍ରହ ପୂରଣ କରିବା ପାଇଁ ଶ୍ରୀ ମାଗୁଣି ଦାଶଙ୍କ ପୁସ୍ତକ ଲିଖିତ-। ଲେଖକଙ୍କର ସାହିତ୍ୟ ସାଧନା ଓ ବିଷୟ ନିର୍ବାଚନକୁ ମୁଁ ସାଧୁବାଦ ଜ୍ଞାପନ କରୁଛି । ଆଶାକରେ ବହିଟି ସେହିପରି ଅଳ୍ପ ସମୟରେ ସରିଯିବ ଯେପରି “ଭଞ୍ଜ ବଂଶାନୁଚରିତ” ବହିର ପ୍ରଥମ ସଂସ୍କରଣ ପକ୍ଷରେ ହୋଇଥିଲା ।

 

ଶ୍ରୀ ହରେକୃଷ୍ଣ ମହତାବ

Image

 

ଗ୍ରନ୍ଥ ସମ୍ପର୍କରେ ପଦେ

 

୧୯୪୫ ମସିହା । ଭଞ୍ଜ ସାହିତ୍ୟ ପରିଷଦର ଜନ୍ମ । ଘଟଣାକ୍ରମେ ପରିଷଦର ସଂପାଦକ ଦାୟିତ୍ଵ ପଡ଼େ ମୋରି ଉପରେ । ଭଞ୍ଜଙ୍କ ସ୍ମୃତିରକ୍ଷା ପାଇଁ ସେତେବେଳେ ଯେଉଁ କେତୋଟି, ସକ୍ରିୟ ଉଦ୍ୟମ ଆରମ୍ଭ ହୋଇଥିଲା, ସେଥିମଧ୍ୟରୁ ରସଲକୋଣ୍ଡାର ନାମ ପରିବର୍ତ୍ତନ କରି “ଭଞ୍ଜନଗର” ନାମକରଣ ଅନ୍ୟତମ ।

 

ଯେଉଁ ରସେଲ ସାହେବ ଇଁରେଜମାନଙ୍କ ପ୍ରତିନିଧି ଭାବରେ ଗୁମସରର ବିଖ୍ୟାତ ଭଞ୍ଜ ରାଜବଂଶକୁ ମାଟିରେ ମିଶାଇଦେଇ ବିଜୟ ବାନା ଉଡ଼ାଇଥିଲେ, ତାଙ୍କର ସ୍ମୃତି ରକ୍ଷା କରିବା ପାଇଁ ନଗର ମଧ୍ୟସ୍ଥ ପାହାଡ଼ (ତେଲୁଗୁ ଭାଷାରେ ପାହାଡ଼କୁ କୋଣ୍ଡା କହନ୍ତି) ସହିତ ତାଙ୍କ ନାମକୁ ଯୋଡ଼ି ଗୋଟିଏ ପ୍ରଧାନ ସହରର ନାମକରଣକୁ ପରିଷଦର ସଭ୍ୟମାନେ କାହିଁକି ଉଚିତ ମନେ କଲେ ନାହିଁ । ରସଲକୋଣ୍ଡାର ନାମ ପରିବର୍ତ୍ତନ କରି ଭଞ୍ଜନଗର ରଖିବା ପାଇଁ ପରିଷଦ ପକ୍ଷରୁ ପ୍ରବଳ ଉଦ୍ୟମ ଆରମ୍ଭ ହୋଇଥିଲା । ଏଥିପାଇଁ ଲେଖକ ସେତେବେଳର ଓଡ଼ିଶାର ରାଜଧାନୀ କଟକକୁ ବାରମ୍ୱାର ଦୌଡ଼ିଯାଇ ତତ୍କାଳିନ ମୁଖ୍ୟମନ୍ତ୍ରୀ ଡ: ହରେକୃଷ୍ଣ ମହତାବ ଓ ଅନ୍ୟାନ୍ୟ ମନ୍ତ୍ରୀ ତଥା ସାହିତିକମାନଙ୍କୁ ପ୍ରଭାବିତ କରିବାକୁ ହୋଇଥିଲା । ପରିଶେଷରେ ୧୯୫୩ ମସିହାରେ ରସଲକୋଣ୍ଡାର ନାମ ପରବର୍ତ୍ତିତ ହୋଇ ଭଞ୍ଜନଗର ହେଲା । ଏଥିପାଇଁ ଯେଉଁମାନଙ୍କ ନାମ ବିଶେଷ ସ୍ମରଣୀୟ ସେମାନଙ୍କ ମଧ୍ୟରେ ପଢ଼ାଳର ସ୍ଵର୍ଗୀୟ ହରିହର ସ୍ଵାଇଁ ଏବଂ ପରିଷଦର ସଭାପତି ସ୍ଵର୍ଗୀୟ ଶ୍ରୀକଣ୍ଠ ଶତପଥୀଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ ।

 

ଭଞ୍ଜ ସାହିତ୍ୟ ପରିଷଦର ଅନ୍ୟାନ୍ୟ ଉଦ୍ୟମ ମଧ୍ୟରେ ଅପ୍ରକାଶିତ ତାଳପତ୍ର ପୋଥି ସଂଗ୍ରହ ଅନ୍ୟତମ । ସେତେବେଳେ ଗୁମସରର ଗାଁ ଗହଳିରୁ ଲେଖକ ଯେଉଁ କେତୋଟି ଉପାଦେୟ ତାଳପତ୍ର ପୋଥି ସଂଗ୍ରହ କରିଥିଲେ ସେଥିରୁ ଚିତ୍ର ସମ୍ବଳିତ ଅପ୍ରକାଶିତ କେତୋଟି ପୋଥି ଉତ୍କଳ ବିଶ୍ଵବିଦ୍ୟାଳୟ ଗ୍ରନ୍ଥାଗାରରେ ସ୍ଥାନ ପାଇଛି ।

 

(ଦୁଇ)

 

୧୯୫୧ ମସିହାରେ “ଭଞ୍ଜବଂଶାନୁଚରିତ” ନାମରେ ୩୪ ପୃଷ୍ଠାର ଖଣ୍ଡିଏ ଛୋଟ ତାଳପତ୍ର ବହି ମୁଁ ସଂଗ୍ରହ କରି ପ୍ରକାଶ କରିଥିଲେ । ଉକ୍ତ ବହିଖଣ୍ଡିକ ଓଡ଼ିଶାର ସାହିତ୍ୟିକ, ସମାଲୋଚକ ଓ ଐତିହାସିକମାନଙ୍କ ମଧ୍ୟରେ ବିଶେଷ ଆଦର ଲାଭ କରିଅଛି । ବହିଟିର ପ୍ରଥମ ସଂସ୍କରଣ ଖୁବ୍ କମ୍ ସମୟ ମଧ୍ୟରେ ଶେଷ ହୋଇଯିବା ପରେ ନିକଟରେ ତାର ଦ୍ଵିତୀୟ ସଂସ୍କରଣ ପ୍ରକାଶ ପାଇଛି ।

 

ଏଥିପୂର୍ବେ ଗୁମସର ରାଜବଂଶର ଇତିହାସ ତଥା ଭଞ୍ଜ ବଂଶାବଳୀ ଓଡ଼ିଶାର ବହୁ ଲେଖକ ତଥା ସଂଗ୍ରାହକମାନଙ୍କ ଦ୍ଵାରା ପ୍ରକାଶ ପାଇଛି । ସେଗୁଡ଼ିକ ମଧ୍ୟରେ ଗଞ୍ଜାମର ସ୍ଵନାମଧନ୍ୟ ଐତିହାସିକ ସ୍ଵର୍ଗୀୟ ତାରିଣିଚରଣ ରଥ “ଗୁମସର ଇତିହାସ” ନାମରେ ଖଣ୍ଡିଏ ଛୋଟ ବହି ୧୯୧୨ ମସିହାରେ ପ୍ରକାଶ କରିଥିଲେ । ବର୍ତ୍ତମାନ ଉକ୍ତ ବହିଖଣ୍ଡିକ ଦୁଷ୍ପ୍ରାପ୍ୟ ।

 

୧୯୩୫ ମସିହାରେ ସ୍ଵର୍ଗୀୟ କବିବର ଚିନ୍ତାମଣି ମହାନ୍ତି କବିଶେଖର ଭଞ୍ଜଭୂମି ଗୁମସର ଭ୍ରମଣ କରି ଗୁମସର ତଥା ଭଞ୍ଜ ବଂଶାବଳୀ ସମ୍ବଳିତ ଖଣ୍ଡିଏ ବୃହତ୍ କାବ୍ୟ ରଚନା କରି ପ୍ରକାଶ କରିଥିଲେ ।

 

୧୯୭୩ ମସିହାରେ ଶ୍ରୀ ଦୁର୍ଗାମାଧବ ନନ୍ଦ ଏମ୍. ଏ. ଗୁମସରର ପ୍ରାଚୀନ ଭକ୍ତକବି ସ୍ଵର୍ଗୀୟ ସୂର୍ଯ୍ୟମଣୀ ଚ୍ୟାଉ ପଟ୍ଟନାୟକଙ୍କ ଦ୍ଵାରା ରଚିତ ବିଭିନ୍ନ ରାଗ ରାଗିଣୀର ୧୪ଟି ଅଧ୍ୟାୟ ସମ୍ବଳିତ ୮୯ ପୃଷ୍ଠାର ଖଣ୍ଡିଏ ଭଞ୍ଜ ବଂଶାବଳୀ ସଂଗ୍ରହ କରି ପ୍ରକାଶ କରିଛନ୍ତି । ସେଥିପାଇଁ ସେ ଧନ୍ୟବାଦାର୍ହ ।

 

ବର୍ତ୍ତମାନ ପ୍ରକାଶ ପାଇଥିବା ଭଞ୍ଜବଂଶ ଓ ଗୁମସର ବିଦ୍ରୋହ ବହି ଖଣ୍ଡିକ ଆଜିପର୍ଯ୍ୟନ୍ତ ପ୍ରକାଶ ପାଇଥିବା ଭଞ୍ଜ ବଂଶାବଳୀ ବହିଗୁଡ଼ିକ ମଧ୍ୟରେ ବୃହତ୍ତମ । ଏଥିରେ ଇଁରେଜୀ ସରକାରଙ୍କ ବିରୁଦ୍ଧରେ ଗୁମସର ବାହିନୀର ସଶସ୍ତ୍ର ବିଦ୍ରୋହ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି, ଯାହାକି ଭାରତର ସ୍ଵାଧୀନତା ସଂଗ୍ରାମର ପ୍ରଥମ ଉନ୍ମେଷ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

(ତିନି)

 

ବହି ଖଣ୍ଡିକ ଗୁମସର ଅନ୍ତର୍ଗତ ବୁଗୁଡ଼ା ଗ୍ରାମ ନିବାସୀ ସ୍ଵର୍ଗୀୟ ଗଙ୍ଗାପାଣି ମହାପାତ୍ରଙ୍କ ଦ୍ଵାରା ରଚିତ ହୋଇଥିଲା । ବହିଖଣ୍ଡିକ ତାଳପତ୍ର ବହି ଆକାରରେ ଭଞ୍ଜପୀଠ କୁଲାଡ଼ ଗ୍ରାମ ନିବାସୀ ମୋର ବନ୍ଧୁ ଶ୍ରୀ ଅର୍ଜୁନ ସାହୁଙ୍କ ଠାରୁ ପାଇ ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରୁଛି ।

 

ଓଡ଼ିଶାର ସ୍ଵନାମଧନ୍ୟ ସାହିତ୍ୟିକ, ଐତିହାସିକ, ରାଜନୀତିଜ୍ଞ ନେତା ତଥା ଜନନାୟକ ଡକ୍ଟର ହରେକୃଷ୍ଣ ମହତାବ ମୋର ଅନୁରୋଧ ରକ୍ଷାକରି ବହିଟିର ମୁଖବନ୍ଧ ଅତ୍ୟନ୍ତ ସହୃଦୟତାର ସହିତ ଲେଖିଦେଇ ଥିବାରୁ ମୁଁ ସେ ମହାଶୟଙ୍କ ନିକଟରେ ଚିର କୃତଜ୍ଞ ।

 

ବହିଟି ପ୍ରକାଶ କରିବା ପାଇଁ ବହୁତ ଦିନ ହେଲା ଉଦ୍ୟମ ହୋଇ ଆସୁଥିଲେ ମଧ୍ୟ ଅର୍ଥାଭାବ ତାର ପ୍ରଧାନ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ବର୍ତ୍ତମାନ ଓଡ଼ିଶା ସାଂସ୍କୃତିକ ବ୍ୟାପାର ବିଭାଗର ଆର୍ଥିକ ସହାୟତାରେ ବହିଟି ପ୍ରକାଶ ପାଇଥିବାରୁ ଉକ୍ତ ବିଭାଗର କର୍ମକର୍ତ୍ତାମାନଙ୍କ ନିକଟରେ ମୁଁ ଚିର କୃତଜ୍ଞ ।

 

ପରିଶେଷରେ ଯେଉଁମାନେ ଏହି ବହି ପ୍ରକାଶରେ ମୋତେ ଉତ୍ସାହିତ କରିଛନ୍ତି ସେମାନଙ୍କୁ ମୁଁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି ।

 

ଭଞ୍ଜନଗର

ଜୟ ଭଞ୍ଜ କବି

ଭଞ୍ଜଜୟନ୍ତୀ

ମାଗୁଣି ଦାଶ

୧୯୭୮

 

 

ଭଞ୍ଜବଂଶ ଓ ଗୁମସର ବିଦ୍ରୋହ

 

ଶୁଣ ହେ ସଂଖ୍ୟାବାନ ଜନେ ମୋ କହିବାର

ଗିରକୁ କେବେଟି ନକରି ଅନାଦର

।।

ମୁଁ ତ ପଣ୍ଡିତ ବୋଲି ଗର୍ବ କରି କଥା

କହୁନାହିଁ ମନେ ଘେନିବ ସର୍ବଥା

।।

କେବଳ ପୂର୍ବକାଳ ଲୋକଠାରୁ ଶୁଣି

ଶ୍ରୀଭଞ୍ଜ-ରଜାଙ୍କର ବଂଶାବଳୀ ବାଣୀ

।।

ଗୀତ କରିବାକୁ ବଳିଲା ମୋର ମନ

ଏଥିରେ ଦୋଷ ଥିଲେ ଛାଡ଼ିବ ସୁଜ୍ଞଜନ

।।

ହାଲକୁ ଏ ଘୁମୁସର ଧରଣୀରେ

ସେ କାରଣି ହେବେ ଈଶ୍ଵର ଦୟାରେ

।।

ସେ ବରଜ ରାଜଙ୍କୁ କରି ମୁଁ ପ୍ରାର୍ଥନା

କରିବାରେ ପୂର୍ଣ୍ଣ ନୋହିଲା ମୋ କାମନା

।।

ତେଣୁ କରି ତାହାଙ୍କର ଏ ବଂଶାବଳୀ

କହିବା ନିମନ୍ତରେ ମୋ ମନ ଗଲା ବଳି

।।

ହେଲେ ହେଲେ ଶ୍ରୀନାରାୟଣଙ୍କ କରୁଣା

କରିବେ ଯେବେ ବଂଶାବଳୀ ଯିବ ଜଣା

।।

ଏହିଠାରୁ ଶ୍ରୀଭଞ୍ଜ ରାଜନମାନଙ୍କର

ପୂର୍ବ ଚରିତକୁ ହେ ଶୁଣ ଧିର ନର

।।

ତ୍ରେତା ଯୁଗ ପ୍ରାନ୍ତେ ଏକଦିନ ଅନ୍ତେ

ବଶିଷ୍ଠାଦି ଋଷିମାନେ ଚିନ୍ତି ଚିତ୍ତେ

।।

ପୁଷ୍କର ତୀର୍ଥକୁ ହୋଇଲେ ଆଗତ

ହୋଇଥିଲା ପ୍ରାବୃଟ କାଳର ଆଗତ

।।

କୋକ ଚକ୍ର-ବାକ ଡାହୁକ ମରାଳ

କାଳରେ ସେ ଜଳ ବିଶେଷ ଚଞ୍ଚଳ

।।

ନୀଳୋତ୍ପଳ, କହ୍ଳାର, କୁମୁଦ କମଳ

ଥିବାରୁ ସେ ଜଳ ଦିଶଇ ନିର୍ମଳ

।।

ମୁନି ମନଠାରୁ ବଳି ସେ ନିର୍ମଳ

ସ୍ଵାଦୁରେ ସରିହେବ ପୀୟୁଷ କେବଳ

।।

ତା ତଟରେ ଶାଳ, ତାଳ, ନାରୀକେଳ

ଶଙ୍କୁନ ହୋଇଥିଲେ ପନସ ରସାଳ

।।

ଜାମ୍ବ, ନିମ୍ବ, କଦମ୍ବ, କୁଟଜ, ବକୁଳ

କେଳି କରୁଥିଲେ ତହିଁରେ କୋକିଳ

।।

ଚମ୍ପକ ଆଦି ପୁଷ୍ପ ହୋଇବାରୁ ଠୁଳ

ମେଳ ହୋଇଥିଲେ ତହିଁରେ ଭୃଙ୍ଗକୂଳ

।।

ସେ ବନର ମୃଗମୃଗୀ ହୋଇ ସଙ୍ଗ

ଅନଙ୍ଗ ରଙ୍ଗେ ମାତି ମିଶାଇଥିଲେ ଅଙ୍ଗ

।।

ବଶିଷ୍ଠ ଋଷି ଯାଉଥିଲେ ତ ହୋଇ ସଙ୍ଗ

ସେ ମୃଗମୃଗୀ ପରେ ପଡ଼ନ୍ତେ ଅପାଙ୍ଗ

।।

ପଡ଼ିବାରୁ ମନ୍ମଥ ଅଟେ ତ ଦୁର୍ଣ୍ଣିବାର

ଏଣୁ ପ୍ରୟୋଗ କଲା ଉନ୍ମାଦ ମୋହ ଶର

।।

ସେ ଅଙ୍ଗରେ ବାଜନ୍ତେ ବ୍ୟାକୁଳ ହୋଇଲେ

ଅତି ସନ୍ତାପି ହୋଇ ଧୈର୍ଯ୍ୟକୁ ହାରିଲେ

।।

ସେହିକ୍ଷଣି ସେ ରେତ ସ୍ଖଳନ ହୋଇଲା

କସା କଉପିନ ଆଦି ତିନ୍ତିଗଲା

।।

ତା ଦେଖିଣ ଋଷି ଜଳରେ କ୍ଷାଳନ

କରନ୍ତେ ବେନି ବିନ୍ଦୁ ଜଳେ ହେଲା ଘେନ

।।

ଏହି ସମୟରେ ମୟୂର ମୟୂରୀ

ମତ୍ତ ହୋଇ ପ୍ରବେଶ ହେଲେ ସେ ଜଳହେରି

।।

ତୃଷାରେ ତ ଆରତ ମୟୂରୀ ହୋଇଥିଲା

ଜଳ ସହିତରେ ବେନି ବିନ୍ଦୁକୁ ପିଇଲା

।।

ସେହିକ୍ଷଣି ମୟୂରୀ ଗର୍ଭରେ ଧରି ରେତ

ତତକ୍ଷଣ ଦୁଇଟି ଡିମ୍ବ କଲା ଜାତ

।।

ସେ ତୀର୍ଥବର ତଟେ ଦେଇଣ ପକାଇ

ଅନ୍ତର ହୋଇଗଲା ସେସ୍ଥାନେ ନରହି

।।

ବଶିଷ୍ଠ ମହାଋଷି ଥିଲେ ତ ସେହିସ୍ଥାନେ

ପଡ଼ିବା ବେନିଡିମ୍ୱ ଦେଖିଲେ ନୟନେ

।।

ବିଚାରିଲେ ସେ ମୁନି ଆପଣା ମାନସ

ଆମ୍ଭ ରେତକୁ ତ ମୟୂରୀ କଲା ଗ୍ରାସ

।।

ବେନଡିମ୍ୱ ଜାତ କରିଣ କେଣେ ଗଲା

ଆମ୍ଭେ ଏହାକୁ ନେଇ ପାଳିବା ମୂଳ ହେଲା

।।

ପାଳନା ନକଲେ ତ ହୋଇବ ପାତକ

ଏତେ ବିଚାରି ମୁନି କରିଣ ବିବେକ

।।

ବେନିଡିମ୍ୱ କରେ ଧରି ସେ ମୁନିବର

ଆପଣା ଆଶ୍ରମରେ ମିଳିଲେ ସତ୍ଵର

।।

ସେ ଡିମ୍ବକୁ ଧରି ଋଷି ଦିବସରେ

ରଖିଦିଅନ୍ତି ନେଇ ଦିବାକର କରେ

।।

ରଜନୀରେ ତାକୁ ବୃକ୍ଷ-କ୍ରୋଟେ ରଖି

ଦେଖୁଥାନ୍ତି ଆପଣା ମନ କରି ସୁଖି

।।

ଏହିପରିରେ କେତେ ଦିବସ ରଜନୀ

ବେନିସ୍ଥାନରେ ମୁନି ରଖନ୍ତି ହୋଇ ତୁନି

।।

କେତେଦିନ ଉତ୍ତାରୁ ଗୋଟିଏ ଜନମ

ଏକ ଡିମ୍ୱ ଫାଟି ହୋଇଲା ଜନମ

।।

ଜାତକର୍ମମାନ ମୁନିବର କରି

ତୋଷି ହୋଇଗଲେ ଚିତ୍ତରେ ବିଚାରି

।।

ତହିଁ ଉତ୍ତାରୁ କେତେ ଦିବସ ନିଶି ଗଲା

ଦିନକୁ ଦିନ ସେ ବାଳକ ବୃଦ୍ଧି ହେଲା

।।

ତାକୁ ବସନ ଶେଯେ ଶୁଆଇ ଋଷି ମଣି

କ୍ଷୀରପାନ ଦେଉଥାନ୍ତି କାଳ ଜାଣି

।।

ତହିଁରୁ ଏକ କୋଷ ଜନମ ନନ୍ଦନ

ନୋହିବାରୁ ଋଷିଙ୍କ ମନରେ ହେଲା ଛନ୍ନ

।।

ଆପଣା କରେ ଏକ ଦଣ୍ଡକୁ ଧଇଲେ

ସେ ଦଣ୍ଡରେ ଅଣ୍ଡକୁ ଦିଖଣ୍ଡ କରିଦେଲେ

।।

ଭଞ୍ଜନ କରିବାରୁ ଦଣ୍ଡରେ ଋଷିବର

ତହିଁରୁ ଜନମିଲା ଗୋଟିଏ କୁମର

।।

ତାକୁ ଦେଖି ମୁନି ହୋଇଲେ ତ ମୋଦ

ବେନି ବାଳ ପାଳିଲେ ଛାଡ଼ି ମନୁ ଖେଦ

।।

ସୂର୍ଯ୍ୟ କିରଣରୁ ପାକ ହେବା ଏକ

ଡିମ୍ୱରୁ ଜନମ ହୋଇଲା ଯେ ବାଳକ

।।

ତାହା ନାମ ମଦନ ରାଣା ବୋଲି ନାମ

ଦେଲେ ହରଷରେ ଋଷିଙ୍କ ଉତ୍ତମ

।।

ଦଣ୍ଡରେ ଯେ ଅଣ୍ଡକୁ ଭଞ୍ଜନ କରିଥିଲେ

ତହିଁରୁ ଯେ ବାଳକ ଜାତ ହେଲା ଭଲେ

।।

ତା ନାମ ମୋଦକ ଭଞ୍ଜ ବୋଲି ଦେଲେ

ପୂର୍ବରୁ ତ ଋଷି ମୋଦକ ଲଭିଥିଲେ

।।

ଏଥୁ ଅନନ୍ତରେ କେତେ କାଳ ଗଲା ବହି

ଚିତ୍ତୋର ଦେଶେ ଦୁହେଁ ହେଲେ ନରସାଇଁ

।।

ଚୁହାଣ ଘରୁ ବେନି କନ୍ୟାକୁ ଆଣିଲେ

ସେ ଦୁଇଭାଇ ଏକାବେଳେ ବିଭା ହେଲେ

।।

ସେ ଦୁଇ କନ୍ୟାଠାରୁ ସେ ଦୁଇ ଭାଇଙ୍କର

ବଂଶ ବର୍ଦ୍ଧନ ହେଲା ବୋଲି ମନେ କର

।।

ଏହିରୂପେ କେତେ ପୁରୁଷ ଶେଷ ହେଲା

ରଣା, ଭଞ୍ଜ ଦୁହିଁଙ୍କ ମନ ନମିଳିଲା

।।

ସେହିଠାରୁ ଭଞ୍ଜେ ଅନ୍ତର ହୋଇଲେ

ଆସି ହରିହର ପୁରରେ ରଜା ହେଲେ

।।

ବେନି ଶତ କ୍ରୋଶ ଅଟଇ ସେ ମହୀ

ଭଞ୍ଜଭୂମି ବୋଲି ସେ ରାଜ୍ୟନାମ କହି

।।

ତହିଁ ଉତ୍ତାରୁ ଜନେ ଶୁଣ ଦେଇ ମନ

ସେ ଭଞ୍ଜ ରଜାଙ୍କର ଯୋଡ଼ିଏ ନନ୍ଦନ

।।

ଜାତ ହେଲେ ସେ ଦୁହେଁ କାଳରେ ବିରୋଧ

ହୋଇଲା ମାନସରୁ ଛାଡ଼ିଣ ଉପ୍ରୋଧ

।।

ସେ ରାଜ୍ୟ ବେନିଭାଗ କରିଣ ବାଣ୍ଟିଲେ

ବଂଶଶତ କ୍ରୋଶରେ ଜ୍ୟେଷ୍ଠ ରାଜା ହେଲେ

।।

ଅଶିକ୍ରୋଶ ଧରିତ୍ରୀରେ ସାନଭାଇ

ରଜା ହେଲେ ପ୍ରଜାଙ୍କ ମାନସ ରଞ୍ଜାଇ

।।

କେନ୍ଦୁଝର ବୋଲି ନାମ ତାର ଦେଲେ

ସେ ରାଜ୍ୟରେ ଭଞ୍ଜ ନୃପତି ହୋଇଲେ

।।

ଏରୂପେ କେତେଦିନ ନୃପତି ହୋଇଲେ

ତାଙ୍କର ଦାଦି ଜଣେ ଗୃହରେ ତ ଥିଲେ

।।

ତାହାଙ୍କର କୁମର ଦଇତାରି ଭଞ୍ଜ

ସେ ଜନମ କଲେ ଯୋଡ଼ିଏ ତନୁଜ

।।

କୁମର ଗୋଟିକର ନାମ ବନମାଳୀ

ରଘୁନାଥ ଭଞ୍ଜ ଦ୍ଵିତୀୟ ପୁତ୍ର ବୋଲି

।।

ଦଇତାରି ଭଞ୍ଜଙ୍କ ରଜାଙ୍କ ସଙ୍ଗତେ

ବିରୋଧ ହୋଇ ଯାହା କଲେ ହେ ପଣ୍ଡିତେ

।।

ବେନି କୁମରରେ ସହିତ ହୋଇଲେ

ଆପଣା ଜ୍ଞାତି ସହ ଘରକୁ ଧଇଲେ

।।

ଯାମିନୀ କାମିନୀର ପ୍ରଥମ ପ୍ରହରେ

ପରବେଶ ହେଲେ ବଉଦ ରାଜ୍ୟରେ

।।

ସେ ସରିକୁ ବଉଦ ରାଜ୍ୟରେ କଶ୍ୟପ

ଗୋତ୍ର ନନ୍ଦ ବ୍ରାହ୍ମଣ ହୋଇଥିଲେ ନୃପ

।।

ତାଙ୍କଠାରେ ଦେଖା ହୋଇ ସେ ରହିଲେ

ବେନି କୁମର ସହିତରେ ଜାଣ ଭଲେ

।।

ସେ ବ୍ରାହ୍ମଣ ନୃପଙ୍କଠାରୁ ପଉରୁଷ

ପାଇକରି ରହିଲେ ତହିଁ କରି ବାସ

।।

ସେ ବିପ୍ର ନୃପଙ୍କ କୁମର ନଥିବାରୁ

ମନରେ କରୁଥାନ୍ତି ଅତ୍ୟନ୍ତ ଚିନ୍ତାଗରୁ

।।

ଦଇତାରି ଭଞ୍ଜଙ୍କୁ କୁମର ମାଗିଲେ

ପୋଷ୍ୟପୁତ୍ର କରିବୁ ବୋଲିଣ କହିଲେ

।।

ଶୁଣି ଦଇତାରି ଭଞ୍ଜେ ସିଉକାର କଲେ

ପୋଷ୍ୟପୁତ୍ର କରିବା ନିମନ୍ତେ ପୁତ୍ର ଦେଲେ

।।

ତାଙ୍କଠାରୁ ବେନି ପୁତ୍ରଙ୍କୁ ଆଣିଲେ

ଆପଣା ଗୋତ୍ରରେ ମିଶାଇ ବ୍ରତ କଲେ

।।

ବନମାଳୀ, ରଘୁନାଥ ଭଞ୍ଜ ବେନି

ନାମ କ୍ଷାତ ହେଲା ସମସ୍ତ ଲୋକ ଜାଣି

।।

ସୂର୍ଯ୍ୟକରରେ ପାକ ହୋଇବାରୁ କୋଷ

ସୂର୍ଯ୍ୟବଂଶ ବୋଲାଇଲେ ଭଞ୍ଜ ବଂଶ

।।

କାଶ୍ୟପ ଗୋତ୍ର ନନ୍ଦ ବ୍ରାହ୍ମଣ ନୃପତି

ପୋଷ୍ୟପୁତ୍ର କରନ୍ତେ ହେଲେ କାଶ୍ୟପଗୋତ୍ରୀ

।।

ସେହି ଦିନଠାରୁ ଦଶ କର୍ମରେ ବ୍ରତ

ହୋଇଲେଟି ଭଞ୍ଜବଂଶ ମହିକ୍ଷିତ

।।

ଏଥୁଅନ୍ତେ ଜନେ ଶୁଣ ଦେଇ ମନ

ସେହି-ଜନ୍ମ-ପାଳ ଭାର୍ଯ୍ୟାରୁ ଯେ ସ୍ଥାନ

।।

ସେ ନାରୀ ଜନ୍ମ କଲା ଉତ୍ତମ ପୁତ୍ରଟିଏ

ତାକୁ ଦେଖିଲେ ରତିପତି ହାରିଯାଏ

।।

ସେ ପୁତ୍ରର ନାମ ବିନାୟକ ଦେଇ

ତାଠାରେ ସ୍ନେହ କରିଥାନ୍ତି ନରସାଇଁ

।।

ପୋଷ୍ୟପୁତ୍ର ଦୁଇ ତାହାଙ୍କ ସଙ୍ଗରେ

ସଙ୍ଗୀ ହୋଇ ବୁଲୁଥାନ୍ତି ସର୍ବଦ୍ଵାରେ

।।

ବାଳକ ଲୀଳା ଉପବନ ଭୁବନରେ

କରି ସାରୁଥାନ୍ତି ଦିନକୁ ଆନନ୍ଦରେ

।।

ଏହିରୂପେ କେତେ ସମ୍ବତ୍ସର ଯାନ୍ତେ

ତିନିହେଁ ଗଜବାଜି ଚଢ଼ି ନଗ୍ରପ୍ରାନ୍ତେ

।।

ସ୍ନେହ ସକାଶରୁ ତିନିଙ୍କ ମନ ଏକା

ମିଳିଥାଏ କିଛି ନକରିଣ ଶଙ୍କା

।।

ଏକଦିନେ ଗ୍ରାମ ଅନ୍ତର ପଦାରେ

କରୀକି ଆରୋହଣ କରି ନିର୍ଭୟରେ

।।

ବୁଲୁଥିଲେ ତିନିଜଣ ବସିକରି

ପୋଷ୍ୟପୁତ୍ର ଦୁହେଁ କପଟ ଆଚରି

।।

ବିନାୟକକୁ ନଜାଣିଲା ପରି କରି

କରୀ ଉପରୁ ପେଲିଦେଲେ ହାତଧରି

।।

ପଡ଼ିବା କ୍ଷଣି ବିନାୟକକୁ କରୀବର

ଚକଟି ଦେବାରୁ ସେ ଦେଖିଲା ଯମପୁର

।।

ତା ଦେଖି ଭଞ୍ଜ ବେନି କୁମର ବାହୁଡ଼ିଲେ

ବିପ୍ର ନୃପତି ଆଗେ କାନ୍ଦିଣ କହିଲେ

।।

ଆମ୍ଭେ ଦୁଇଭାଇ କରୀପୃଷ୍ଟେ ବସି

ବିନାୟକ ସଙ୍ଗେ ବସିଥିଲୁ ମିଶି

।।

କୁତୁହଳେ ଖେଳାକରି ଦାଣ୍ଡେ ଦାଣ୍ଡେ

ଯାଇ ପ୍ରବେଶ ହେଲୁ ପଦାରେ ଅତି ଚାଣ୍ଡେ

।।

ସେଠାରେ ବିନାୟକ ବାରଣ ନମାନି

ବାରଣପରୁ ଖସି ପଡ଼ିଲେ ଅବନୀ

।।

ପଡ଼ନ୍ତେ ସେ ଦନ୍ତି ମହା ବଳବନ୍ତ

ଚକଟି ଦେବାରୁ ଖସି ପଡ଼ିଲା ପୁଟା ଅନ୍ତ

।।

ସେହିକ୍ଷଣି ବିନାୟକର ପ୍ରିୟପ୍ରାଣ

ହରି ଘେନିଗଲା ଶମନପୁର ରାଣ

।।

ଶୁଣି ନୃପ ଚନ୍ଦନ ହେଲେଟି ଆଞ୍ଜନ

କ୍ଷତିପରେ ପଡ଼ି ହରାଇଲେ ଜ୍ଞାନ

।।

କ୍ଷଣେ ଗଲା ଉତ୍ତାରୁ ଚେତନା ପାଇଲେ

ପୋଷ୍ୟପୁତ୍ର ଦୁହିଁଙ୍କୁ ଚାହିଁଣ କହିଲେ

।।

ବିନାୟକ ଯେବେ ହାତିରୁ ପଡ଼ିଥିବ

ତେବେ ତୁମ୍ଭ ଦୁହିଁଙ୍କୁ ଦୋଷ ନଲାଗିବ

।।

ତୁମ୍ଭେ ଯଦି ବିନାୟକକୁ କପଟରେ

ପେଲି ଦେଇଥିବ ବିଚାରି ଚିତ୍ତରେ

।।

ତେମନ୍ତ ହେଲେ ତୁମ୍ଭଙ୍କୁତ ପୋଷ୍ୟପୁତ୍ର

କରିଛୁ କି କରିବୁ ବିଚାର ତୁମ ଚିତ୍ତ

।।

ଆମ୍ଭ ଅନ୍ତେ ତୁମ୍ଭେ ହୋଇବ ତ ରାଜା

ଶାପ ଦେଉଛଁ ରଖିଥିବ ତୁମ୍ଭ ମଜ୍ଜା

।।

ପିତା ପୁତ୍ର ଭାଇ ଭାର୍ଯ୍ୟାମାନଙ୍କରେ

ବିରୋଧ ହେଉଥିବ ରଖ ହେ ମନରେ

।।

ଅକର୍ତ୍ତବ୍ୟ କଥା କର୍ତ୍ତବ୍ୟ ପରି ମଣି

କରିବ ଗୁରୁଜନ ବାଣୀକି ନଶୁଣି

।।

ପ୍ରାନ୍ତେ ଆପଣମାନେ କରିବ ବିବେକ

ଏହିପରି କରିବ ଅନ୍ୟାୟ କଥାଯାକ

।।

ଏରୂପେ ଶ୍ୟାପ ଦେଇ ସେ ଦ୍ଵିଜବର ନର

କେତେଦିନ ଉତ୍ତାରୁ ଗଲେ ଯମପୁର

।।

ତହିଁ ଉତ୍ତାରୁ ଜ୍ୟେଷ୍ଠ ପୁତ୍ର ବନମାଳୀ

ରାଜା ହେଲେ ସେ ରାଜ୍ୟେ ପ୍ରଜାକୁଳ ପାଳି

।।

ଭୋଗ କଲେ ସୁଖ ସମ୍ପତ୍ତି ସେ ରାଜନ

ରଘୁନାଥ ଭଞ୍ଜ ତ ଅଟନ୍ତି ତାଙ୍କୁ ସାନ

।।

ତାଙ୍କୁ ଧରି କରୁଥାନ୍ତି ରାଜନୀତି

ତାଙ୍କଠାରେ ଶଙ୍କା ନକରି ଗମନ୍ତି

।।

ଶୁଣ ଆହେ ସୁବୁଦ୍ଧି ଜନେ ସାବଧାନ

ଭଞ୍ଜବଂଶ ଚରିତ କରିବା କଥନ

।।

ବହୁତ କହିଲେ ତ ହୋଇବ ବହୁତ

ସଂକ୍ଷେପରେ କହିବା ରଖ ତା ହୃଦଗତ

।।

ବଉଦ ରାଜ୍ୟେ ବନମାଳୀ ଭଞ୍ଜ ରାଜା

ହେବା ସମୟରେ ଶୁଣ ଦେଇ ମଜା

।।

ଗୁମସର ବୋଲି ନାମ କ୍ଷାତ ନୋହି

ଥାଏ ବଉଦ ରାଜ୍ୟ ଉତ୍ତରେ ଏ ମହୀ

।।

ଖଞ୍ଜିଲି ରାଜ୍ୟ ବୋଲୁଥାଆନ୍ତି ସମସ୍ତେ

ବାର ଗଡ଼ିଆଏ ରହିଥାନ୍ତି ଏଥେ

।।

ଗଡ଼ିଆମାନେ ବିବାଦକୁ ଆଚରିଲେ

ବନମାଳୀ ଭଞ୍ଜ ନୃପକୁ ନମାନିଲେ

।।

ଭ୍ରାତ ରଘୁନାଥ ଭଞ୍ଜଙ୍କୁ ହକାରି

ବୋଇଲେ ଯାଅ ତୁମ୍ଭେ ସୈନ୍ୟ ସଙ୍ଗେ ଧରି

।।

ବାର ଗଡ଼ିଆଙ୍କୁ ବାହାର କରିଦେବ

କାହାର ହେଲେ ବଚନକୁ ନମାନିବ

।।

ତୁମ୍ଭେ ମଧ୍ୟ ସେହି ରାଜ୍ୟରେ ରାଜତ୍ଵ

କରିଣ ଗଡ଼ କରି ରହିବ ହେ ଭ୍ରାତ

।।

ସେହିକ୍ଷଣି ରଘୁନାଥ ଭଞ୍ଜ ବୀର ବେଶ

ହୋଇ ବାହାରିଲେ ଆଉଁସିଣ ନିଶ

।।

ଖଞ୍ଜିଲି ରାଜ୍ୟେ ଯାଇ ପରବେଶ ହେଲେ

ଗରୁଡ଼ୁ ଗ୍ରାମେ ବସା କରିଣ ରହିଲେ

।।

ସେହିଦିନ ସରିକି ପାଟଣା, ପୁର, ଗ୍ରାମ

ନଥାଏ ଗୁମସରେ ମନକୁ ଆଣିମ

।।

ସାନ ସାନ ହୋଇ ପଲ୍ଲୀମାନଙ୍କରେ

କନ୍ଧେ ଘର କରିଥାନ୍ତି ନିର୍ଭୟରେ

।।

ବଣମାନ ହାଣି ପଦରମାନଙ୍କରେ

କାଙ୍ଗୁ, ବାଇଲାଦି କରନ୍ତି ତହିଁରେ

।।

ଚୌର ବୃତ୍ତି କରି ଉଦରକୁ ଭରି

ସାରି ଦେଉଥାନ୍ତି ଦିବସ ଶର୍ବରୀ

।।

ସେ ସରିକି ଅଟଇ ଶକାବ୍ଦ ସପ୍ତଶତ

ଚଉବନ ଅଧିକା ହୋଇଥିଲା କ୍ଷାତ

।।

ଶୁଣ ଜନେ ରଘୁନାଥ ଭଞ୍ଜଙ୍କର

ଚରିତକୁ ପ୍ରକାଶ କରିବା ବିସ୍ତାର

।।

ଗଡ଼ି-ଆମାନେ ଯେତେ ଦେଖା ହେଲେ ଆସି

ତାଙ୍କୁ ସମ୍ଭାବନା କଲେ ହୋଇକରି ତୋଷି

।।

ଯେଉଁମାନେ ନ ଆସିଲେ ଦେଖାଇଣ ବଳ

ମାଇଲେ ସୈନ୍ୟ ଘେନିକରି ତାଙ୍କୁ ରୋଳ

।।

ଠାବେ ଠାବେ ଗଡ଼ ବନ୍ଧାଇଣ ଗ୍ରାମ

ପାଟଣା ବସାଇଲେ ସେ ନୃପ ଉତ୍ତମ

।।

ତହୁଁ ନସ୍କର ଘେନି ଆସିଲେ ନେଟଙ୍ଗା

-ଗ୍ରାମେ ପ୍ରବେଶ ହୋଇ ପୋତାଇଲେ ଢଗା

।।

ତହୁଁ ଖଣ୍ଡେଦୂର ଆସି ନରବର

ଗୁମାଟାଏ ଅଛି ଦେଖିଲେ ସେଠାର

।।

ସର ଚାରିପାଖେ ବେଢ଼ିଛି ତାହାକୁ

‘ଗୁମା-ସର’ ନାମ ଦେଲେ ଯେ ତାହାକୁ

।।

ପୁରୁଣା ହୋଇପଡ଼ି ଥିବାରୁ ପୁରୁଣା

ଗୁମାସର କ୍ଷାତ ହୋଇ ହେଲା ଜଣା

।।

ସେହିଠାରେ ନଅର ତୋଳାଇ ନରପତି

ତକତ କରିଣ ପାଳିଲେ ବସୁମତୀ

।।

ଦୁଷ୍ଟ ଯେତେ ଥିଲେ ସେମାନଙ୍କୁ ମାରି

ସୁଜନଙ୍କ ଠାରେ ପୁତ୍ର ବୁଧି କରି

।।

ସ୍ଥାନ ସ୍ଥାନ କରେ ଦେବାଳୟମାନ

ନିର୍ମାଣ କରାଇଲେ ସେ ନର ରାଜନ

।।

ବିଷ୍ଣୁ, ଶିବ ଆଦି ପ୍ରତିମା ବସାଇଲେ

ତୋଟା, ପୁଷ୍କରିଣୀ ବାମ୍ଫି କୂପ କରାଇଲେ

।।

ଏକବିଂଶ ସମ୍ବତ୍ସର ପର୍ଯ୍ୟନ୍ତରେ

ନରବର ହୋଇ ରହିଲେ ସେଠାରେ

।।

ପରମାୟୁ ତାଙ୍କର ଶେଷ ହୁଅନ୍ତେ ସ୍ଵର୍ଗ-

ପୁରକୁ ଚଳିଗଲେ ସେ ନୃପ ମହାଭାଗ

।।

ତାହାଙ୍କର କୁମର ଅର୍ଜୁନ ଭଞ୍ଜ ନାମ

ରାଜା ହୋଇ ପାଳିଲେ ପ୍ରଜାପୁତ୍ର ସମ

।।

ମନ୍ଦର ଧରଙ୍କର କୃପାରୁ ପନ୍ଦର-

ବରଷ ରାଜା ହୋଇ ପାଳିଲେ ଗୁମସର

।।

ବିସ୍ତାର ଜନ କରି ପରମ ପଦକୁ

ପାଇଲେ ଏ କଥାରେ ନାହିଁ ସଂଶୟକୁ

।।

ତାହାଙ୍କର କୁମର କେଶବ ଭଞ୍ଜ ହେଲେ

ରାଜା ହୋଇ ପ୍ରଜାମାନଙ୍କୁ ପାଳିଲେ

।।

ଆରାମ ଦେବାଳୟ ମାନଙ୍କୁ ନିର୍ମାଣ

କଲେ ଶ୍ରୀ ନାରାୟଣ କରୁଣାରୁ ଜାଣ

।।

ବିଂଶ ବରଷ ସେ ହେଲେ ନରବର

ବିଧାତା ଲେଖିଥିବା ଆୟୁକୁ କରି ଦୂର

।।

ହରିହର ପୁରେ ନିବାସକୁ କଲେ

ତାହାଙ୍କର ପୁତ୍ର ନଥିଲା ଜାଣ ଭଲେ

।।

ଭ୍ରାତ ବନମାଳୀ ଭଞ୍ଜ ସେ ଅନ୍ତରେ

ଗୁମସର ରାଜ୍ୟକୁ ପାଳିଲେ ନିର୍ଭୟରେ

।।

ଷଷ୍ଠଦଶ ବରଷ ନରପତି ହେଲେ

ତହୁଁ ସୁରପତି ପୁରକୁ ଚଳିଗଲେ

।।

ତାଙ୍କ ପୁତ୍ର ଗୋପାଳ ଭଞ୍ଜଙ୍କ ଭୂପାଳ

ହୋଇ ପାଳନା କଲେ ରାଜ୍ୟ ନରକୂଳ

।।

ତ୍ରୟୋଦଶ ବରଷ ରାଜତ୍ଵକୁ କରି

କାଳକୁ ବଳି ନପାରିଲେ ଦଣ୍ଡଧାରୀ

।।

ମହୀ ପାଳି ବଳି ଦାନ ଘେନାପୁରେ

ଚଳିଗଲେ ଶଙ୍କା ନରଖି ମନରେ

।।

ତାଙ୍କ ପୁତ୍ର ଗୋବିନ୍ଦ ଭଞ୍ଜ ନାମ ବହି

ପାଳନାକୁ କଲେ ଗୁମସର ମହୀ

।।

ପାଞ୍ଚ ଦଶ ବର୍ଷ ପର୍ଯ୍ୟନ୍ତ ଧରଣୀ

ଧର୍ମେ ପାଳି ଭେଟିଲେ କାଳ ଦଣ୍ଡପାଣି

।।

ତାଙ୍କ ସୁତ ଜଗନ୍ନାଥ ଭଞ୍ଜ ରାଜା

ହୋଇ ପାଳନା କଲେ ସାକ୍ଷାତ ବିଡ଼ୋଜା

।।

ଦ୍ଵାଦଶ ବରଷ ପର୍ଯ୍ୟନ୍ତରେ ଛତ୍ର

ଟେକାଇ ଗୁମସରେ ଛାଡ଼ିଲେ ନିଜ ଗାତ୍ର

।।

ହରିକୃଷ୍ଣ ଭଞ୍ଜ ନାମେ ତାଙ୍କ ସୁତ

ପଞ୍ଚଦଶ ବର୍ଷ କଲେ ସେ ରାଜତ୍ଵ

।।

ପ୍ରଜାଗଣ ପାଳି ଅରଜିଲେ ଭୂତି

ତହିଁ ଉତ୍ତାରୁ ସୁର ପୁରେ କଲେ ଗତି

।।

ସେ ଉତ୍ତାରୁ ତାଙ୍କର ଔରଷ କୁମର

ଗୌରହରି ଭଞ୍ଜ ନାମେ ନରବର

।।

ହୋଇ ଆନନ୍ଦରେ ଚନ୍ଦନ ପରାଏ

ପ୍ରଜାଗଣ ପାଳିଲେ ସେ ବୀରଗଣ ରାଏ

।।

ଦଶ ବର୍ଷ ଯାଏ ଏ ରାଜ୍ୟରେ ଈଶ

ହୋଇ ଦେଖା ହେଲେ ଯାଇ ସୁରଈଶ

।।

ତାଙ୍କ ପୁତ୍ର ନଥିବାରୁ କୃଷ୍ଣ ଭଞ୍ଜେ

ଭ୍ରାତ ରାଜା ହେଲେ ସେ ଗୁମସର ରାଜ୍ୟେ

।।

ଷୋଳ ବର୍ଷ ଯାଏଁ ରାଜତ୍ଵ କରିଣ

କାଳକୁ କରି ନପାରିଲେ ସେ ବାରଣ

।।

ତହୁଁ ଯାଇ ଦେଖା ହେଲେ ସେ ସୁରମଣି

ପୁତ୍ର ନୃସିଂହ ଭଞ୍ଜ ଏରାଜ୍ୟେ କାରେଣି

।।

ଅଷ୍ଟଦଶ ବରଷ ରାଜତ୍ଵକୁ କରି

ପରିତ୍ରାଣ ପୁରେ ଗଲେ ସେ ବାହାରି

।।

ବଳଭଦ୍ର ଭଞ୍ଜ ନାମେ ତାଙ୍କ ସୁତ

ଏ ଗୁମସର ରାଜ୍ୟେ କଲେ ସେ ରାଜତ୍ଵ

।।

ଏକବିଂଶ ବର୍ଷ ରାଜ୍ୟ ପାଳି ଚଳି

ଗଲେ ସେ ବଳି ଅରିପୁରେ ମହାବଳି

।।

ତାହାଙ୍କର କୁମର ମୁକୁନ୍ଦ ଭଞ୍ଜ ରାଣ

ରଜା ହେଲେ ଏ ଗୁମସର ରାଜ୍ୟେ ଜାଣ

।।

ଅଷ୍ଟଦଶ ବରଷ ଯାଏ ଭୋଗ କଲେ

ପ୍ରଜାପାଳି ସୁରପୁରେ ଚଳିଗଲେ

।।

ମଧୁସୂଦନ ଭଞ୍ଜେ ତାଙ୍କର କୁମର

ପନ୍ଦର ବରଷଟି ହେଲେ ନରବର

।।

ଆୟୁ ଶେଷ କରିଣ ସେ ଶଶାଙ୍କ କର

ପୁରକୁ ଚଳିଗଲେ ନମାନି କାର ଗିର

।।

ନାରାୟଣଙ୍କର କୃପାରୁ ତାଙ୍କର

ସୁତ ନାରାୟଣ ଭଞ୍ଜେ ନରବର

।।

-ହୋଇ ଗୁମସରେ ଊନବିଂଶ ବର୍ଷ

ଭୋଗକରି ଆୟୁକୁ କରିଦେଲେ ଶେଷ

।।

ହିରାଧର ଭଞ୍ଜ ତାଙ୍କର କୁମର

ନୃପ ହୋଇ ତୋଷ କଲେ ଏ ରାଜ୍ୟନର

।।

ପନ୍ଦର ବରଷ ସେ ରାଜତ୍ଵକୁ କଲେ

ମନ୍ଦରଧର ପୁରେ ଯାଇଣ ବସିଲେ

।।

ତାଙ୍କ ସୁତ ନରହରି ଭଞ୍ଜ ହେଲେ

ନରପତି ହୋଇ ସୁରପୁରେ ଗଲେ

।।

ଅଷ୍ଟଦଶ ସମ୍ବତ୍ସର ପାଳି ମହୀ

ଥିଲେ ବୋଲି ପୂର୍ବୁ ଅଛନ୍ତି ଲୋକେ କହି

।।

ଜଗନ୍ନାଥଙ୍କର କୃପାରୁ ତାଙ୍କର

ପୁତ୍ର ଜଗନ୍ନାଥ ଭଞ୍ଜ ନରବର

।।

ମତ୍ତହସ୍ତୀ ଭଞ୍ଜେ ତାହାଙ୍କ କୁମର

ପାଳନା କଲେ ଊନବିଂଶ ସମ୍ବତ୍ସର

।।

ଗୁମସର ସ୍ଥିତ ପରଜାଙ୍କୁ ପାଳି

ଚଳିଗଲେ ସୁରପୁରେ ସେ ବଳଶାଳୀ

।।

ପୁରୁଷୋତ୍ତମ ଭଞ୍ଜ ତାହାଙ୍କ କୁମର

ପରଜାଙ୍କୁ ପାଳିଲେ ପନ୍ଦର ସମ୍ବତ୍ସର

।।

ତହିଁ ଉତ୍ତାରୁ ସେ ହେଲେ ପରଲୋକ

ସ୍ମରଣା କରୁଥାନ୍ତି ତାହାଙ୍କୁ ରାଜ୍ୟ ଲୋକ

।।

ଏଥୁ ଅନନ୍ତରେ ଶୁଣ ସୁବୁଦ୍ଧି ଜନଚୟ

ପୁରୁଷୋତ୍ତମ ଭଞ୍ଜ ରାଜାଙ୍କ ତନୟ

।।

ବଜ୍ରଧର ଭଞ୍ଜ ନାମ ତାହାଙ୍କର

ବଜ୍ରଧର ପରି ଅଟନ୍ତି ବଳିଆର

।।

ଦଶ ବରଷ ରାଜା ହୋଇଣ କାଳକୁ

ନବଳି ଚଳିଗଲେ ସେ ସୁର ପୁରକୁ

।।

ସୂତ କେହି ନଥିବାରୁ ତାହାଙ୍କର

ଭ୍ରାତ ହରିଶରଣ ଭଞ୍ଜେ ନରବର

।।

ତ୍ରୟୋଦଶ ବରଷ ନୃପତି ହୋଇଲେ

କ୍ଷିତି ଛାଡ଼ି ଜନ୍ତୁପତି ପୁରେ ଗଲେ

।।

କପିଳ ଭଞ୍ଜ ନାମେ ତାହାଙ୍କର ସୁତ

ସପ୍ତବିଂଶ ବର୍ଷ କଲେ ସେ ରାଜତ୍ଵ

।।

ତାହାଙ୍କର କୁମର ଶ୍ରୀଧର ଭଞ୍ଜ ହେଲେ

ପଞ୍ଚଦଶ ବରଷ ଏ ଧରା ପାଳିଲେ

।।

କାଳ ହେବାରୁ କାଳ ଚିପି ତାଙ୍କ ଗଳା

ଧରି ଘେନିଗଲା ନକରି କିଛି ହେଳା

।।

ରାମଚନ୍ଦ୍ର ଭଞ୍ଜ ରାମଚନ୍ଦ୍ର ପରି

ପ୍ରଜା ପାଳନ କରି କାଳ ଦେଲେ ସାରି

।।

ତାଙ୍କ ସୁତ ଲକ୍ଷ୍ମଣ ଭଞ୍ଜ ରାଜା ହୋଇ

ପଞ୍ଚଦଶ ବରଷ ପାଳିଲେ ଏ ମହୀ

।।

ସେ ଉତ୍ତାରୁ ତ୍ରିଲୋଚନ ଭଞ୍ଜ ରାଜା

ହେଲେ ଆଠ ବରଷ ପର୍ଯ୍ୟନ୍ତେ ପାଳି ପ୍ରଜା

।।

ହରି ସେବକ ଭଞ୍ଜ ତାହାଙ୍କ କୁମର

ପରଜାଙ୍କୁ ପାଳିଲେ ସତର ସମ୍ବତ୍ସର

।।

ସୁତ ନଥିବାରୁ ଭ୍ରାତ ଗଦାଧର

ଭଞ୍ଜେ ପଞ୍ଚବିଂଶ ବରଷ ନରବର

।।

ଦୟାନିଧି ଭଞ୍ଜ ତାଙ୍କର ଅଉରଷ

କୁମର ବୋଲିକରି ରଖିଲେ ମାନସ

।।

ନୃପ ହୋଇ ଏକବିଂଶ ସମ୍ବତ୍ସର

ପରଜା ପାଳି ଗଲେ ଜନ୍ତୁନାଥ ପୁର

।।

ଗିରିଧର ଭଞ୍ଜ ତାଙ୍କର ନନ୍ଦନ

ସେ ହୋଇଲେ ଗୁମସରରେ ରାଜନ

।।

ଊନବିଂଶ ସମ୍ବତ୍ସର ପର୍ଯ୍ୟନ୍ତରେ

ନରପତି ହେଲେ ଈଶ୍ଵର ଦୟାରେ

।।

କୃପାସିନ୍ଧୁ ଭଞ୍ଜେ ତାହାଙ୍କର ସୁତ

ବାରବର୍ଷ କଲେ ଏ ରାଜ୍ୟେ ରାଜତ୍ଵ

।।

ପଦ୍ମନାଭ ଭଞ୍ଜେ ତାଙ୍କର ନନ୍ଦନ

ଷୋଳବର୍ଷ ହେଲେ ଏ ରାଜ୍ୟେ ରାଜନ

।।

ମାଧବ ଭଞ୍ଜେ ରମାଧବଙ୍କ କୃପାରୁ

ପଞ୍ଚଦଶ ବରଷ ପାଳିଲେ ନୋହି ଭୀରୁ

।।

ତାହାଙ୍କର ସୁତ କମଳ ଲୋଚନ

ଭଞ୍ଜେ ଛତ୍ର ଧରାଇ ହୋଇଲେ ରାଜନ

।।

ବିଂଶ ସମ୍ବତ୍ସର ପ୍ରଜାଙ୍କୁ ପାଳିଲେ

ତାଙ୍କ ସୁତ ହରିହର ଭଞ୍ଜ ହେଲେ

।।

ଚତୁର୍ବିଂଶ ବରଷ ରାଜତ୍ଵକୁ କରି

ହରିହର ପୁରକୁ ଗଲେ ସେ ବାହାରି

।।

ପିତାମ୍ବର ଭଞ୍ଜେ ତାଙ୍କର ନନ୍ଦନ

ତ୍ରୟୋଦଶ ବରଷ ହେଲେ ସେ ରାଜନ

।।

ସେ ଉତ୍ତାରୁ ନଳିନାକ୍ଷ ଭଞ୍ଜ ହେଲେ

ଦ୍ଵାଦଶ ବର୍ଷ ଯାଏଁ ଏ ଧରା ପାଳିଲେ

।।

ତ୍ରିବିକ୍ରମ ଭଞ୍ଜେ ତାଙ୍କର କୁମର

ଦଶ ବର୍ଷ ପାଳି ଗଲେ ସୁରପୁର

।।

ରାଜେନ୍ଦ୍ର ଭଞ୍ଜେ ସେ ଉତ୍ତାରୁ ରଜା ହେଲେ

ଷଷ୍ଟଦଶ ବରଷ ପ୍ରଜାଙ୍କୁ ପାଳିଲେ

।।

ତାଙ୍କ ସୁତ ଗୋପାଳ ଭଞ୍ଜ ନରପତି

ପନ୍ଦର ବରଷ ପାଳିଲେ ଧରିତ୍ରୀ

।।

ପାତଳି ଗୋପିନାଥ ଭଞ୍ଜ ତାଙ୍କ ସୁତ

ମର୍ତ୍ତ୍ୟପୁରରେ ସେ ଅଟନ୍ତି ବଳବନ୍ତ

।।

ତାଙ୍କର ଶରୀର ଅଟଇ ପୃଥୁଳ

ଉଚ୍ଚରେ ନୀଚ ହୋଇ ଯିବେ ନରକୁଳ

।।

ଓଡ଼ିଶାର ଚକ୍ରବର୍ତ୍ତି ନରସିଂହ-

ଦେବ ପାଳୁଥିଲେ ପୃଥିବୀ କରି ସ୍ନେହ

।।

ଭଞ୍ଜ ରଜାଙ୍କର ଭଗ୍ନୀକି ତାଙ୍କୁ ଦେଲେ

ସେ ତାଙ୍କୁ ପାଟ ମହାଦେଇ କରିଥିଲେ

।।

ସେ ସକାଶୁ ତାଙ୍କ ସଳା ସେ ଅଟନ୍ତି

ଓଡ଼ିଶା ଗଲେ ଦିନେ ଭଞ୍ଜ ନରପତି

।।

ନୃସିଂହ ଦେବଙ୍କର ମୃଗେନ୍ଦ୍ର ଦୁଆରେ

ଯାନ୍ତେ ଦେହ ଲାଗିଲା ଆବର ମଥାରେ

।।

ଏହି ସକାଶରୁ କଡ଼ିଆଇ କରି

ମଥା ପୋତି ଗଲେ ଭଞ୍ଜ ଦଣ୍ଡଧାରୀ

।।

ନରସିଂହ ଦେବ ସେ ତାହା ଦେଖୁଥିଲେ

ହାସ କରି ଭଞ୍ଜ ରଜାଙ୍କୁ ବୋଇଲେ

।।

ଦିଶୁଅଛି ତୁମ ଦେହ ତ ପାତଳ

ତେଣୁ ପାତଳି ଭଞ୍ଜ ହେଲ ହେ ମହୀପାଳ

।।

ସେହି ଦିନଠାରୁ ପାତଳି ଗୋପିନାଥ

ଭଞ୍ଜ ନାମ ସିଦ୍ଧି ହୋଇଲା ବିକ୍ଷାତ

।।

ଦିନେ ସେ ଜଗନ୍ନାଥ ଗୁଣ୍ଡିଚା ଯାତ୍ରାରେ

ନୃସିଂହ ଦେବ ଥିଲେ ସ୍ୟନ୍ଦନ ଉପରେ

।।

ସେହିଦିନ ଭଞ୍ଜରାଜା ପାଲିଙ୍କିରେ

ବସି ଯାଉଥିଲେ ଦର୍ଶନ ନିମିତ୍ତରେ

।।

ଛତ୍ର ଟେକାଇଣ କାହାଳି ବଜାଇ

ଯାଉଥିଲେ ଭଞ୍ଜ ଗହଣ ଲଗାଇ

।।

ତାହା ଦେଖି ଜନେ ନୃପଙ୍କ ଆଗେ କହି

ଗର୍ବ କରି ଭଞ୍ଜେ ଆସନ୍ତି ଚଳାଇ

।।

ତା ଶୁଣି ନରମଣି କହିଲେ ଏ ବାଣୀ

ଛତ୍ର ଭାଙ୍ଗି ଦିଅ ଯାଇ ଏଇକ୍ଷଣି

।।

ଦଣ୍ଡଧର ବଚନ ମୁଣ୍ଡରେ ଧରି ଜନେ

ଦଣ୍ଡଧରି ଧାଇଁଲେ ବାଟକୁ ବହନେ

।।

ଭଞ୍ଜେ ତା ଦେଖିକରି ପାଲିଙ୍କି ଉପରୁ

ପାଦେ ଚାଲିଗଲେ ହୋଇ ଅତି ଭୀରୁ

।।

ନୃପତି ରତ ଥିଲେ ସେ ରଥ ଉପରେ

ଯାଇ ଦେଖା ହେଲେ ତାଙ୍କ ଶ୍ରୀଛାମୁରେ

।।

ନୃପବର କହନ୍ତେ ଦେଖି ତାଙ୍କୁ ଗିର

କେଡ଼େ ଗର୍ବ କଲ ଭଞ୍ଜ ନରବର

।।

ତା ଶୁଣି ଭଞ୍ଜରଜା କହନ୍ତେ ବଚନ

ଯେବେ ନକରିବୁ ଆମ୍ଭେ ଏ କଥାମାନ

।।

ତୁମ୍ଭେ କିରୂପେ ହେବ ନୃପ ଶିରୋମଣି

ହୃଦୟ କର ଆମ୍ଭ କହିବାର ବାଣୀ

।।

ଆମ୍ଭେମାନେ ଶିରରେ ଛତ୍ର ନ ଟେକାଇଲେ

ଲକ୍ଷେ ରାଜା ମୁକୁଟ ମଣିକି ହେବ ଭଲେ

।।

ଶୁଣିଣ ନରସିଂହ ଦେବ ଆଜ୍ଞା ଦେଲେ

ଛତ୍ର କାହାଳି ଆଜୁତୁମ୍ଭ ସିଦ୍ଧି ହେଲେ

।।

ଆମ୍ଭ ଶ୍ରୀଛାମୁରେ ନୋହିବ କେବେ ମନା

ଏମନ୍ତ ଆଜ୍ଞା ଦେଲେ ହୋଇ ହୃଷ୍ଟମନା

।।

ସେହିଦିନ ଠାରୁ ଏହିପରି ହୋଇ

ଅଛି ତାହା ସୁଜନେ ଶୁଣ ମନ ଦେଇ

।।

ଭଞ୍ଜେ ବସିବା ପାଇଁ ଚଉକି ଆସନ

ଖଣ୍ଡିଏ ଦିଆଇଲେ କରି ସସମ୍ମାନ

।।

ଆନ ଜମିଦାର ଗଲେ ସେ ସ୍ଥାନରେ

ବସନ୍ତି ଦିଆନ ବକ୍‌ସି ଆସନରେ

।।

ଏହିପରି କ୍ଷେତ୍ରରେ ସେ ଭଞ୍ଜ ରାଜନ

ସିଦ୍ଧକରି ଆସିଲେ ରାଜ୍ୟକୁ ବହନ

।।

ପୁଷ୍କରିଣୀ ତୋଟା ଆଦି ବାମ୍ଫିକୂପ

କରାଇଲେ ରାଜ୍ୟରେ ସେ ନୃପ ଅମାପ

।।

ଦେବାଳୟ କରି ବିଷ୍ଣୁ, ଶିବ ରୂପ

ବସାଇବାରେ ଗଲା ଦେହରେ ଥିବା ପାପ

।।

ଦ୍ଵାବିଂଶ ବରଷ ଯାଏ ପ୍ରଜା ପାଳି

ସୁରପୁରେ ଗଲେ କାଳକୁ ନବଳି

।।

ତାଙ୍କର କୁମର ରଣ ଭଞ୍ଜ ପତି

ହୋଇ ପାଳନା କଲେ ଗୁମସର କ୍ଷିତି

।।

ତାଙ୍କ ସୁତ ଜଗନ୍ନାଥ ଭଞ୍ଜେ ରାଜା

ସପ୍ତବିଂଶ ବରଷ ପାଳିଲେ ପରଜା

।।

ଆୟୁଶେଷ ଅନ୍ତେ ପୁତ୍ର ପୁରୁଷୋତ୍ତମଙ୍କୁ

ରାଜା କରିଣ ଗଲେ ସେ ସ୍ଵର୍ଗପୁରକୁ

।।

ପୁରୁଷୋତ୍ତମ ଭଞ୍ଜେ ଅଠର ବରଷ

ନୃପ ହୋଇ ପାଳିଗଲେ ସୁରଈଶ

।।

ତାଙ୍କ ସୁତ ପ୍ରତାପ ଭଞ୍ଜ ନରପତି

ପ୍ରତାପରେ ଅନଳ ଠାରୁ ସେ ବଳନ୍ତି

।।

ସେହିଦିନ ସରିକି କୁଲାଡ଼ ବୋଲି ନାମ

ନଥିଲା ହେ ସୁଜନେ ମନକୁ ଆଣିବ

।।

କୁଲା ଡହ ନାମେ କନ୍ଧ ଜଣେ ତହିଁ

ରହିଥିଲା ରଜାଙ୍କୁ ମାନିଲା ସେ ନାହିଁ

।।

ତାହା ଶୁଣି ପ୍ରତାପ ଭଞ୍ଜେ ତା ଉପରେ

ଅତ୍ୟନ୍ତ କ୍ରୋଧ ହେଲେ ଆପଣା ମାନସରେ

।।

ସୈନ୍ୟଧରି ସେଠାରେ ପରବେଶ ହେଲେ

କୁଲା ଡହ କନ୍ଧକୁ ହାଣି ପକାଇଲେ

।।

କୁଲାଗଡ଼ ବୋଲି ନାମ ତାର ଦେଲେ

ସେହିଠାରେ ତକତ କରିଣ ରହିଲେ

।।

ତ୍ରୟୋଦଶ ବରଷ ରାଜତ୍ଵକୁ କରି

ତହିଁ ଉତ୍ତାରୁ ଚଳିଗଲେ ସୁରପୁରୀ

।।

ତାହାଙ୍କ ସୁତ ବନମାଳି ଭଞ୍ଜ ହୋଇ

ଗୋପୀନାଥ ଭଞ୍ଜେତାଙ୍କ ସାନଭାଇ

।।

ସପ୍ତଦଶ ବରଷ ସେ ରାଜତ୍ଵକୁ କଲେ

ଗୋପିନାଥ ଭଞ୍ଜତାଙ୍କ ପ୍ରାଣ ନେଲେ

।।

ସେଠାରେ ଗୋପିନାଥ ଭଞ୍ଜ ହେଲେ ରାଜା

ବାରଟି ବରଷ ପାଳିଲେ ସେ ପ୍ରଜା

।।

ଗୋପିନାଥପୁର ନାମରେ ଶାସନ

ବସାଇଲେ କୁଲାଡ଼ ପାଖେ ସେ ରାଜନ

।।

ତାଙ୍କ ଭାର୍ଯ୍ୟା ନିଳାଦେଇ ନାମେ ଥିଲେ

ନିଳାଦେଇପୁର ଶାସନ ବସାଇଲେ

।।

ପରମାୟୁ ଶେଷରେ ପରାଣ ହାରିଲେ

ପରମ ପଦ ପାଇ ସୁଖେ ବିହରିଲେ

।।

ଗୋପିନାଥ ଭଞ୍ଜ ରଜାଙ୍କ ତନୟ

ଧନଞ୍ଜୟ ଭଞ୍ଜ ନାମରେ ଉଦୟ

।।

ତେଜରେ କି ଧନଞ୍ଜୟ ସେ ସାକ୍ଷାତ

ପ୍ରଜାକୁଳ ପାଳିବାରେ ସେ ପଣ୍ଡିତ

।।

କାବ୍ୟ ଶାସ୍ତ୍ରମାନଙ୍କେ ଗୁରୁଙ୍କ ପରି ସେହି

ସଙ୍ଗୀତରେ ଗନ୍ଧର୍ବ ଗୁଣକୁ ଗର୍ବ ବହି

।।

ଶିଳ୍ପ ବିଦ୍ୟାରେ ବିଶ୍ଵକର୍ମା ପରି ତାଙ୍କୁ

ମାନୁଥାନ୍ତି ଜନେ ଆଣ ହେ ମନକୁ

।।

କାମ ଶାସ୍ତ୍ରେ ବାମ ପରି ସେ ଅଟନ୍ତି

ସୁନ୍ଦର ପଣେ ତାଙ୍କୁ କାମ ହାରିଯାନ୍ତି

।।

ଗୋବିନ୍ଦ ଭଞ୍ଜ ନାମେ ଭ୍ରାତ ତାଙ୍କ ସାନ

ତାଙ୍କୁ ଥାଟ ରଜା କଲେ ସେ ବହନ

।।

ରାଉତ ଘରୁ ବେନି କନ୍ୟାକୁ ଆଣିଲେ

ଉତ୍ତମ ମୁହୂର୍ତ୍ତରେ ତାଙ୍କୁ ବିଭା ହେଲେ

।।

ଜମିଦାର ଘରୁ ଆଣିଲେ ସପ୍ତ ଭୀରୁ

ତାଙ୍କୁ ବିଭାହେଲେ ନୋହି କିଛି ଭୀରୁ

।।

କୋଠ ଲୋକମାନ ବିଶେଷେ ରଖିଲେ

ସାତ କୋଡ଼ ନାଚୁଣୀଙ୍କି ଖଞ୍ଜା କଲେ

।।

ସ୍ତିରୀମାନଙ୍କୁ ଧରି ଜଗତୀରେ କ୍ରୀଡ଼ା

କରୁଥାନ୍ତି ନିତି ଛାଡ଼ି ମନୁ ବ୍ରୀଡ଼ା

।।

କୂଚ ମରଦନ ଅଙ୍ଗରେ ରାଜନ

ନିତି କରାନ୍ତି ସଙ୍ଗେ ଘେନି ସ୍ତିରୀ ଜନ

।।

ସତୁରୀ ହଜାର ଟଙ୍କା ଖରଚ ଲଗାଇ

ଜଗତୀକି ନିର୍ମାଣ କଲେ ସେ ନରସାଇଁ

।।

ତହିଁ ନିତି ଆହାର ବିହାର କରୁଥାନ୍ତି

ଏ ରୂପରେ କେତେକାଳ ସାରିଲେ ନୃପତି

।।

ପାଣିଗ୍ରହଣ ମହାଦେଇ ଠାରୁ ଜାତ

ହୋଇଲେଟି ଦ୍ୱାଦଶ କୁମର ବିଖ୍ୟାତ

।।

ରାଉତ ଘର ନାତି ଅଟନ୍ତି ଜ୍ୟେଷ୍ଠ ସୁତ

ଗଙ୍ଗାଧର ଭଞ୍ଜ ନାମରେ ବିଖ୍ୟାତ

।।

ବଳଭଦ୍ର ଭଞ୍ଜ ଦ୍ଵିତୀୟ କୁମର

ଜଗନ୍ନାଥ ପଦ ଅର୍ଜନେ ସେ ବୀର

।।

ଜଗନ୍ନାଥ ପ୍ରସାଦ ମୁଠା ତାଙ୍କୁ ଦେଲେ

ସେହିଠାରେ ଗୃହ କରିଣ ରହିଲେ

।।

ପୁରୁଣା ଗଡ଼ଠାରେ ତକତ କରିଣ

ହରଷରେ ରହିଲେ ସେ କୁମର ଜାଣ

।।

ଜଗନ୍ନାଥ ପ୍ରସାଦ ବସ୍ତିରେ ଆପଣ

ଦିବ୍ୟ ମଣ୍ଡପକୁ କଲେକ ନିର୍ମାଣ

।।

ଶ୍ରୀ ଦଧିବାମନଙ୍କୁ ତହିଁରେ ବସାଇଲେ

ତାଙ୍କ ସମୀପେ ପୁଷ୍କରିଣୀଟିଏ କଲେ

।।

ମଙ୍ଗରାଜପୁର ନାମରେ ଶାସନ

ବସାଇଲେ ସ୍ନେହେ ନୃପଙ୍କ ରାଜନ

।।

ଲକ୍ଷେ ଭରଣ ଧାନ ପୁରୁଣା ଗୁଡ଼ାରେ

ସମ୍ପାଦି ରଖାଇଲେ ଆପଣା ଇଚ୍ଛାରେ

।।

କୂପ ବାମ୍ଫି ତୋଟାମାନଙ୍କୁ ସେ କଲେ

ମହୀରେ ଯଶକୁ ବିସ୍ତାରୀ ସମ୍ପାଦିଲେ

।।

ଆର କୁମର ହରିଶରଣ ଭଞ୍ଜ ନାମ

କ୍ଷାତ ହେଲେ ସେ ତ ଅଟନ୍ତି ଉତ୍ତମ

।।

ହନ୍ତକାରୁ ବଡ଼ ଜେନା ନାମ ଖ୍ୟାତ

ହୋଇଲା ତାହାଙ୍କର ଜାଣ ହେ ପଣ୍ଡିତ

।।

ତାହାଙ୍କର ପରିରେ ବେନି ଜଣ ଧରି

ନିଅନ୍ତିଟି ସାଙ୍ଗି ଭାର କନ୍ଧେ ଧରି

।।

ଅତି ବଳବନ୍ତ ଅଟନ୍ତିତ ସେହୁ

ତାଙ୍କ ସମ ବଳରେ ନଥିବେ ଜଣେ ଆଉ

।।

ତାଙ୍କ କର ପେଣ୍ଡାରେ ବରାଟକମାନ

ଦ୍ଵାଦଶ ବୋଡ଼ି ଯାଏ ହୁଅଇ ଗଣନ

।।

ଜଗତ ଗୁରୁ ସଙ୍ଗେ ସେହୁ ଧରି ଫରି

ଭିଡ଼ାଭିଡ଼ି ହେବାରୁ ସେ ଗଲାଟି ହାରି

।।

ତାଙ୍କ ବଳ ଦେଖି ବୁଗୁଡ଼ା ମୁଠାକୁ

ଲେଖିଦେଲେ ରାଜନ ନକରି ବିଳମ୍ବକୁ

।।

ନିଜ ବୁଗୁଡ଼ାରେ ତକତ ସେ କଲେ

ଜଗନ୍ନାଥ ଦେବଙ୍କୁ ସେଠାରେ ବସାଇଲେ

।।

ହରି ଶରଣପୁର ନାମରେ ଶାସନ

କଲେ ହରଷରେ ସେ ନୃପ ନନ୍ଦନ

।।

ଏଥୁ ଅନନ୍ତରେ ଶୁଣ ହେ ସୁଜନ

କହିବା ଧନଞ୍ଜୟ ଭଞ୍ଜଙ୍କ କଥାମାନ

।।

ଏରୂପେ କେତେ ସମ୍ବତ୍ସର ଭୋଗ ହୋନ୍ତେ

ଧର୍ମରେ ଚିତ୍ତ ବଳାଇଲେ ସେ ନୃପତେ

।।

ଧନଞ୍ଜୟପୁର ଶାସନକୁ କଲେ

ବିଷ୍ଣୁ, ଶିବ ପ୍ରାସାଦମାନଙ୍କୁ ବସାଇଲେ

।।

ଦେବାଳୟ ଆଦି କୂପ ପୁଷ୍କରିଣୀ

ଏମାନ ନିର୍ଭା କରାଇଲେ ନୃପମଣି

।।

ବହୁତ ଧନମାନ ବିପ୍ରଙ୍କୁ କରି ଦାନ

ଶିକ୍ଷା ନାହିଁ କରିବାକୁ ତାଙ୍କ ଗୁଣ

।।

ନବଦୁର୍ଗରେ ତ ବିବାହ ହୋଇଥିଲେ

ମଣ୍ଡା ଦେବୀ ସେ କନ୍ୟା ନାମ ଭଲେ

।।

ସେହି କନ୍ୟାଠାରେ ନୃପଙ୍କର ବହୁତ

ହୃଦୟରେ ସ୍ନେହ ହୋଇଥାଏ ଜାତ

।।

ତାଙ୍କ ସୁତ ନୀଳକଣ୍ଠ ଭଞ୍ଜ ନାମ

ଜାତ ହେଲେ ସେ ତ ଅଟନ୍ତି ଉତ୍ତମ

।।

ନୃପଙ୍କୁ ନିତି ମଣ୍ଡାଦେଇ ମହାଦେଈ

ଏକାନ୍ତରେ କୋମଳ ବଚନକୁ କହି

।।

ନୀଳକଣ୍ଠ ଭଞ୍ଜ ତ ମୋହର କୁମର

ତାଙ୍କୁ ଏ ରାଜ୍ୟରେ କର ନରବର

।।

ନୃପ ଶୁଣି ମଣ୍ଡାଦେଈଙ୍କର ବାଣୀ

ଭାଙ୍ଗି ନପାରିଣ ହେଉଥାନ୍ତି ଗୁଣି

।।

ଏ ଅନ୍ତେ କେତେ କାଳ ଯାଆନ୍ତେ ଅଶ୍ଵସ୍ଥାମା

କୁଲାଡ଼କୁ ଆସିଲେ ସେ ପୁଣ୍ୟ କରମା

।।

ମହାପୁରୁଷ ଲକ୍ଷଣକୁ ତାହାଙ୍କର

ଦେଖିବାରୁ ନେତ୍ରେ ସେହି ନୃପବର

।।

ଅଶ୍ଵସ୍ଥାମା ବୋଲି ଜାଣି ସେ ନୃପମଣି

ନିଜ ମାନସରେ ଭାବନ୍ତି ପୁଣ ପୁଣି

।।

ନାରାୟଣ ପାଟଣାରେ ତାଙ୍କୁ ବସା

ଦେଇ ଚର୍ଚ୍ଚା କଲେ ନୃପ ମହାଯଶା

।।

ନିତି ତାହାଙ୍କର ସମୀପକୁ ଯାଇ

ଦେଖା ହେଉଥାନ୍ତି ଭଞ୍ଜ ନରସାଇଁ

।।

ଏକଦିନେ ତାଙ୍କୁ କରି ନମସ୍କାର

ପଚାରିଲେ କରଯୋଡ଼ି ନରବର

।।

ଆମ୍ଭ ଉତ୍ତାରୁ କେ ଏ ରାଜ୍ୟେ ନରବର

ହେବ କହ ବତାଇ ସିଦ୍ଧଙ୍କର ବର

।।

ମୋ ଆଗରେ ସତ୍ୟ କରି ତାହା କହ

ଏଥିରେ ହେଉଅଛି ମୋହର ସନ୍ଦେହ

।।

ସିଦ୍ଧ କହିଲେ ସବୁ ସୁତଙ୍କୁ ସଙ୍ଗେ ଘେନି

କାଲି ପ୍ରାତଃକାଳୁ ଆସିବ ହୋଇ ତୁନି

।।

ମୋର ସମୀପକୁ ଆସିଲେ ନୟନେ

ଦେଖି ସମସ୍ତଙ୍କୁ କହିବି ତୋଷମନେ

।।

ଯଥାର୍ଥ କରି ଆମ୍ଭେ କହିବୁଟି ଯାହା

ସତ୍ୟ କରି ମନେ ରଖିଥିବ ତାହା

।।

ସିଦ୍ଧଙ୍କର ଏହି ବାଣୀ ନରମଣୀ

ଶୁଣି ନଅରକୁ ଗଲେ ସେହିକ୍ଷଣି

।।

ପ୍ରାତଃକାଳୁ ସମସ୍ତ ସୁତଙ୍କୁ ଡକାଇଲେ

ସେହିକ୍ଷଣି ସମସ୍ତେ ଆସି ଦେଖାହେଲେ

।।

ଗୋବିନ୍ଦ ଭଞ୍ଜ ଥାଟ ରଜାଙ୍କର ପୁଣ

ହୋଇଥିଲା କୁମର ଷଷ୍ଠଗୋଟି ଜାଣ

।।

ଭାଇ, ପୁତୁରାଙ୍କୁ ଧରାଇ ସଙ୍ଗତେ

ଚଳିଲେ ନୃପବର ସିଦ୍ଧଙ୍କ ପୁରତେ

।।

ତାଙ୍କଠାରେ ଦେଖା ହୋଇଣ ବସିଲେ

ଅତ୍ୟନ୍ତ କୋମଳରେ ଗୀରକୁ ଭାସିଲେ

।।

ଏମାନଙ୍କୁ ଚାହିଁ ଯଥାର୍ଥ କରି ସିଦ୍ଧ

କହିଦିଅ ଆମ୍ଭର ହୋଇଯାଉ ବୋଧ

।।

ତାହା ଶୁଣିକରି ସେ ସିଦ୍ଧ ସେହିକ୍ଷଣି

ସମସ୍ତଙ୍କୁ ଲକ୍ଷଣେ କଲେ ସେ ବିକ୍ଷଣି

।।

କହିଲେ କୋମଳରେ ମଞ୍ଜୁଳ କରି ବାଣୀ

ଧନିଆଁ ଉତ୍ତାରୁ ଘନିଆଁ ନରମଣି

।।

ହେବ ଏ କଥାକୁ ମନରେ ରଖିଥିବ

ଏକଥାରେ ସଂଶୟ କେବେ ନକରିବ

।।

ତାହା ଶୁଣି ନୃପ ଭାଳନ୍ତି ପୁଣ ପୁଣ

ଆମ୍ଭର ତ ଅଛନ୍ତି ଦ୍ଵାଦଶ ନନ୍ଦନ

।।

ଗଙ୍ଗାଧର ପାଟ କୁମର ଆମ୍ଭର

ସେ ତ ଏ ରାଜ୍ୟରେ ନୋହିବ ନରବର

।।

ଆନ ସୁତମାନେ ତ ଅଛନ୍ତି ମୋହର

ସେମାନେ ତ କେହି ନୋହିବେ ନରବର

।।

ଥାଟ ରାଜାଙ୍କର ଛଅଟି କୁମର

ତହିଁରେ ତ ସାନ ଘନ ଭଞ୍ଜ ବୀର

।।

ସେ ଏଥିରେ କିପରି ହୋଇବ ନୃପତି

ଏକଥାକୁ ପାଉନାହିଁ ଆମ୍ଭ ମତି

।।

ଧାତା ଲେଖିଥିବା କଥାକୁ ଏବେ ଆନ

କଲାପରିଦିଶୁନାହିଁ ଆନ ଜନ

।।

ଆମ୍ଭଙ୍କୁ ତ ହେଲା ନବତ୍ରୀ ବୟସ

ଗଙ୍ଗାଧରକୁ କରିଥାଇ ଯୁବଈଶ

।।

ନକରିବା ବୋଲି ଯାଉଛି ଆମ୍ଭ ମନ

କଲେ ସିଦ୍ଧ ବଚନ ହୋଇଯିବ ଆନ

।।

ନିତିତ ମତେ ମଣ୍ଡାଦେଇ ମହାଦେଈ

କହୁଥାନ୍ତି ପୁତ୍ର ନୀଳକଣ୍ଠ ପାଇଁ

।।

ଏହିପରି ବିଚାରି ରାଜନ ନହରକୁ

ଗଲେ ସଙ୍ଗେ ଘେନି ପୁଅ ପୁତୁରାଙ୍କୁ

।।

ମଣ୍ଡାଦେଇ ରାଣୀ କହିଲେ ଏ ବାଣୀ

ଶୁଣ ମୋହଠାରୁ ନୃପତି ଶିରୋମଣୀ

।।

ମୋ କୁମର ନୀଳକଣ୍ଠକୁ ଯୁବରାଜା

କରିଅଛି ଆନ ନକରିଣ ମଜ୍ଜା

।।

ଏହା ଶୁଣିକରି ଭଞ୍ଜ ନୃପବର

ବିସ୍ମୟ ହୋଇ ଅତି ନକହିଲେ ଗୀର

।।

ତା ଦେଖି ମଣ୍ଡାଦେଈ ମାନସ କରି ମନ

କିଛି ଆଉ ନଦେଲେ ନୃପଙ୍କୁ ବଚନ

।।

ଏହିପରି କେତେ କାଳ ବହିଯାନ୍ତେ

ଥାଟ ରାଜାଙ୍କର ଥିଲେ ବଡ଼ ସୁତେ

।।

ଗଙ୍ଗାଧର ଯୁବରାଜାଙ୍କର ଘରେ

ନିତି ବସୁଥାନ୍ତି ଅତି ସାଦରରେ

।।

ନାନା ପରିକ୍ରୀଡ଼ା ରସରେ ଦିନସାରି

ଏହା ଜାଣିକରି ମଣ୍ଡାଦେଈ ନାରୀ

।।

କୃତ୍ରିମକୁ କରି ଆପଣା ମାନସରେ

କହିଲେ ସେ ନୃପବରଙ୍କୁ ଏକାନ୍ତରେ

।।

ଥାଟ ରାଜାଙ୍କର କୁମରମାନେ ଥାଟ

-କୁମରମାନେ ବସି ପାଞ୍ଚନ୍ତି କିପରି

।।

ପରଲୋକ ହୋଇ ଗଲେ ନରପତି

ମଣ୍ଡାଦେଈ କରିବେ ପୁତ୍ରକୁ ନୃପତି

।।

ଆମ୍ଭେମାନେ ସମସ୍ତେ ହୋଇ ଏକମେଳ

ନୀଳକଣ୍ଠକୁ ଭେଟାଇବା ଯମ ଆଳ

।।

ଗଙ୍ଗାଧର ପାଟ କୁମର ନିତି ବସି

ହେଉଥାନ୍ତି ତାଙ୍କ କଥା ଶୁଣି ତୋଷି

।।

ମୋ ମନକୁ ପାଉଛି ଏହି ସକାଶରୁ

ସେମାନଙ୍କୁ ଘଉଡ଼ି ଦେବା କୁଲାଡ଼ରୁ

।।

ମଣ୍ଡାଦେଈଙ୍କ ଠାରୁ ଶୁଣିଣ ନରେଶ

ଗୋବିନ୍ଦ ଭଞ୍ଜ ଥାଟରାଜାଙ୍କୁ ଡାକି ପାଶ

।।

ବୋଇଲେ ତୁମ୍ଭ ପୁତ୍ରମାନେ ନିତିନିତି

ଗଙ୍ଗାଧରକୁ ବସି କପଟ ଶିଖାନ୍ତି

।।

ସେ ସକାଶୁ ପର ଦେଶକୁ ସେ ଯାନ୍ତୁ

ଆଜଠାରୁ ଏହିଠାରେ ସେ ନରହନ୍ତୁ

।।

କେତେ ଦିନ ଗଲା ଉତ୍ତାରୁ ଜାଣ ମୁହିଁ

ଡକାଇ ଆଣିବି ମଣ୍ଡାଦେଈଙ୍କୁ କହି

।।

ପଠିଆଇ ଦିଅ ଯାଆନ୍ତୁ ସତ୍ଵର

ମନରେ କିଛି ତୁମ୍ଭେ ଆନ ନବିଚାର

।।

ନୁଆଁଗଡ଼ ରାଜ୍ୟକୁ ପଠାଇଣ ଦିଅ

ମାନସରେ କିଛି କପଟ ନ ଥୁଅ

।।

ଭାଇ ରଜାଙ୍କ ଠାରୁ ଶୁଣି ଥାଟରାଜା

ପୁଅମାନଙ୍କୁ ଡାକି କରାଇଲେ ସଜା

।।

ନୁଆଁଗଡ଼ ରାଜ୍ୟକୁ ଶୀଘ୍ର ପଠାଇଲେ

ପାଞ୍ଚପୁଅ ବେନିରାଜ୍ୟରେ ରହିଲେ

।।

କେବଳ ଘନ ଭଞ୍ଜ ଧରାକୋଟ ଯାଇ

ରହିଲେ ମାନସରେ ଅତ୍ୟନ୍ତ ଭୟ ପାଇ

।।

ସେହିଦିନ ଠାରୁ ମଣ୍ଡା ମହାଦେଇ

ରହିଲେ ମାନସକୁ ହରଷ କରାଇ

।।

ନାୟକ ପାଇକଙ୍କୁ ଇନାମ ଧନ ଦେଲେ

ନୀଳକଣ୍ଠ ଭଞ୍ଜଙ୍କ ଅଧୀନ କରାଇଲେ

।।

ଦନ୍ତା ଦୟା ଆଦିଙ୍କି ରଖିଲେ ସମ୍ପାଦି

ସେମାନେ ତ ପାଟ କୁମରଙ୍କ ବାଦି

।।

ମଣ୍ଡାଦେଈ ମନେ କଲେକ ବିଚାର

ବୟସାଧିକ ଆସି ହେଲେ ନରବର

।।

ଯେବେ ବିୟୋଗକୁ ଲଭିବେ ସେ ଏବେ

ପାଞ୍ଚ କୁମରକୁ ତ ନୃପତି କରାଇବେ

।।

ମୋର କିଛି ବଳ ନପାଇବ ତେବେ

ପାଟକୁମର ଯେବେ ରଜା ହୋଇଯିବେ

।।

କିରୂପେ ନୃପତିଙ୍କ ପ୍ରାଣ ବଧ କରି

ପାଟ କୁମରକୁ ହଣାଇଁଦେବି ଧରି

।।

ତା କୁମର ଶତୃଞ୍ଜୟ ଭଞ୍ଜ ବୀର

ତାକୁ ମଧ୍ୟ କରାଇଦେବି ମୁଁ ସଂହାର

।।

ତେମନ୍ତ ହେଲେ ନୀଳକଣ୍ଠ ଭଞ୍ଜ ମୋର

ସୁଖେ ଏ ଧରିତ୍ରୀରେ ହେବ ନରବର

।।

ଏମନ୍ତେ ବିଚାରନ୍ତେ ଗଲା କେତେଦିନ

ଶୁଣ ଗୋବିନ୍ଦ ଭଞ୍ଜ ଥାଟରାଜା ମନ

।।

ପୁତ୍ରମାନେ ସନ୍ନିଧିରୁ ଯିବା ଜାଣି

ମାନସରେ ଚିନ୍ତା କରି ନରମଣି

।।

ଏ ଦିନଠାରୁ ଆମ୍ଭେ ଏ ରାଜ୍ୟ ଛାଡ଼ିଦେବା

କଦାଚିତେ ଆଉ ଏଠାରେ ନରହିବା

।।

ସେହିଦିନ ସରିକି ଓଡ଼ିଶାର ନୃପ

ନବଦୁର୍ଗ ମାନ୍ଧାତା ଠାରେ କଲେ କୋପ

।।

ତକ୍ଷଣରେ ନସ୍କର କରିଣ ତିଆର

ଯୁଝିବାକୁ ମନରେ କରିଣ ବିଚାର

।।

ଗୋବିନ୍ଦ ଭଞ୍ଜ ଥାଟରାଜା ତା ଶୁଣିଲେ

ଆପଣା ମାନସରେ ବିଚାରକୁ କଲେ

।।

ଅତି ଯତନରେ ଗୁପତେ ତାଙ୍କଠାକୁ

ଚିଟାଉଟିଏ ଲେଖି ପେଷିଲେ ଦୂତକୁ

।।

ଭାଇ ରଜାଙ୍କର ଛାମୁକୁ ଚିଟାଉ

ଆପଣ ଲେଖି ପଠାଇବାର ଏ ହେଉ

।।

ଗୋବିନ୍ଦ ଭଞ୍ଜ ଥାଟରାଜାଙ୍କୁ ଏ ରାଜ୍ୟକୁ

ପଠିଆଇ ଦେବ ନକରି ବିଳମ୍ବକୁ

।।

ଓଡ଼ିଶାର ରଜା ତ ତାଙ୍କର ଭିଣୋଇଁ

ଆମ୍ଭଠାରେ କ୍ରୋଧ ଅଛନ୍ତି ସେ ହୋଇ

।।

ସେ ଆସିଲେ ଓଡ଼ିଶା ନୃପଙ୍କଠାକୁ ଯିବେ

ତାଙ୍କୁ ଆମ୍ଭଙ୍କୁ ପ୍ରୀତି କରାଇ ଆସିବେ

।।

ଏରୂପେ ଚିଟାଉ ମାନଧାତା ଠାକୁ

ଥାଟରାଜା ଲେଖି ପେଷିଲେ ଦୂତକୁ

।।

ମାନଧାତା ସେହି ଚିଟାଉ କର୍ଣ୍ଣେ ଶୁଣି

ରାୟବାର ପେଷି ଦେଲେ ସେହିକ୍ଷଣି

।।

ସେହିରୂପେ ଚିଟାଉ ଲେଖି ନରପତି

ପେଷିଦେଲେ ଭଞ୍ଜ ରଜାଙ୍କର କତି

।।

ସେ ଦୂତ ଗୁମସର ରାଜ୍ୟକୁ ଆସିଲେ

ତାହା ଶୁଣି ରାଜା ହରଷ ହୋଇଲେ

।।

ତାହା ଶୁଣି ଭଞ୍ଜ ବୀର ନୃପବର

ଭାଇ ଥାଟରାଜାଙ୍କୁ ଡକାଇ ସତ୍ଵର

।।

କହିଲେ ‘‘ତୁମେ ନୁଆଁଗଡ଼କୁ ବେଗେ ଯିବ

ମାନ୍ଧାତାଙ୍କ ଠାରେ ତକ୍ଷଣେ ଭେଟ ହେବ

।।

ଓଡ଼ିଶା ନୃପ ସଙ୍ଗେ ତାଙ୍କୁ ସମାଧାନ

-କରାଇ କହିବ ଉତ୍ତମ ବଚନ

।।

ମାନ୍ଧାତାଙ୍କ ଠାରେ ସେ ବଡ଼ କ୍ରୋଧ ହୋଇ

ଅଛନ୍ତି ତାହାଙ୍କୁଟି କହିବ ବୁଝାଇ

।।

ତାହାଙ୍କର ନସ୍କର ନିବର୍ତ୍ତାଇ ଦେବ

ଅତି ଶୀଘ୍ରରେ ତୁମ୍ଭେ ବାହାରି ଆସିବ”

।।

ନୃପଙ୍କଠାରୁ ଥାଟ ରଜା ଶୁଣି ବାଣୀ

ନବଦୁର୍ଗ ରାଜ୍ୟକୁ ଗଲେ ସେହିକ୍ଷଣି

।।

ମାନ୍ଧାତାଙ୍କ ଠାରେ ଯାଇ ଦେଖା ହେଲେ

ସେହିଠାରେ ଘର କରିଣ ରହିଲେ

।।

ବେନି ପୁତ୍ରେ ତ ଆଗୁଥିଲେ ସେ ରାଜ୍ୟରେ

ତାଙ୍କ ସହିତରେ ରହିଲେ ସତ୍ଵରେ

।।

ଏଥି ଅନନ୍ତରେ ଶୁଣ ମନଦେଇ

ଯାହା କଲେ ମଣ୍ଡାଦେଈ ମହାଦେଈ

।।

ବିଚାର କଲେ ମନେ କେଉଁ ଉପାୟରେ

ରାଜାଙ୍କର ଜୀବନ ନେବି ମୁଁ ଶୀଘ୍ରରେ

।।

ଗଙ୍ଗାଧର ଭଞ୍ଜଙ୍କୁ ହଣାଇଁ ଦେଇକରି

ତା ସୁତ ଶତୃଞ୍ଜୟ ପରାଣ ନେବି ହାରି

।।

ଏମନ୍ତ ହେଲେ ସିନା ମୋ ସୁତ ରାଜତ୍ଵ

କରିବ ଏ ରାଜ୍ୟରେ ହୋଇଣ ନିଶ୍ଚିନ୍ତ

।।

ଏତେ ଭାଳି ଚମ୍ପା ନାନୀକୁ କହିଲେ

ମୋହଠାରୁ ଏକ କଥା ଶୁଣ ଭଲେ

।।

ନୃପତି ତ ପାହାନ୍ତିଆରୁ ବସି ନିତି

ସରୁ ଚକୁଳିକୁ ଯୋଗଣ କରନ୍ତି

।।

ଦୁଧ ସଙ୍ଗତରେ ବିଷ ମିଶାଇବୁ

ରଜାଙ୍କର ଯୋଗଣ ନିମନ୍ତରେ ଦେବୁ

।।

ଏହା କଲେ ତୋତେ ଇନାମ ଏକ ଗ୍ରାମ

ଦେବି ଆଗୋ ବ୍ରାହ୍ମଣୀନାରୀଙ୍କ ଉତ୍ତମ

।।

ଏହା ଶୁଣିକରି ସେ ବ୍ରାହ୍ମଣୀ ଚମ୍ପା

କେତେ ମାତ୍ର ମନେ ନକଲା ଅନୁକମ୍ପା

।।

ସରୁ ଚକୁଳି ଦୁଧ ସହିତରେ ବିଷ

ମିଶାଇଦେଲା ନାରୀ କରିଣ ସାହସ

।।

ନୃପତି ତାହା ସାରି ଧରାରେ ଢଳିଣ

ପଡ଼ିଲେ ଜୀବନକୁ ହରାଇ ସେହିକ୍ଷଣ

।।

ମଣ୍ଡାଦେଈ ଆଗେ ଯାଇଣ କହିଲା

ନୃପବରଙ୍କର ତ ପରାଣ ଚାଲିଗଲା

।।

ତା ଶୁଣି ପୁତ୍ର ନୀଳକଣ୍ଠକୁ ପାଶକୁ

ଡାକିକରି କହିଲେ କୋମଳ ବଚନକୁ

।।

ନୃପଙ୍କର ପ୍ରାଣ ତ ହୋଇଲା ବିନାଶ

ଏଥିକୁ ବିଚାରକୁ କର ହେ ମାନସ

।।

ଦନ୍ତା ଦୟା ଆଦିଲୋକଙ୍କୁ ସଙ୍ଗେ ଘେନି

ଗଙ୍ଗାଧର ଭଞ୍ଜଙ୍କୁ ବେଗେ ଦିଅ ହାଣି

।।

ଶତୃଞ୍ଜୟ ଭଞ୍ଜଙ୍କୁ ହଣାଇ ମଧ୍ୟ ଦିଅ

ସୁଖେ ଏ ଧରଣୀରେ ନରପତି ହୁଅ

।।

ଏମନ୍ତ ଶୁଣି ନୀଳକଣ୍ଠ ଭଞ୍ଜ ଗଲେ

ଦନ୍ତା ଦୟାକୁ ଧରି ବିଚାର ଛିଣ୍ଡାଇଲେ

।।

ଗଙ୍ଗାଧର ପାଟ କୁମରଙ୍କ ଘରେ

କବାଟକୁ ଚିରି ପଶିଲେ ଭିତରେ

।।

ଗଙ୍ଗାଧର ଭଞ୍ଜ ଚେତନା ପାଇଣ

ପଳାଉଥିଲେ ଡେଙ୍ଗା ପାଚେରୀ ଡେଇଁଣ

।।

ସେହି ସମୟରେ ଦନ୍ତା ଦୟା ତାଙ୍କୁ

ହାଣି ପକାଇଲେ ନକରି ଉପ୍ରୋଧକୁ

।।

ଶତୃଞ୍ଜୟ ଭଞ୍ଜେ ତ ତାଙ୍କର କୁମର

ସେ ତ ପଳାଉଥିଲେ ଭୟ କରି ଘୋର

।।

ଦନ୍ତା ଦୟା ଦୁହେଁ ଶୀଘ୍ରରେ ଗୋଡ଼ାଇଲେ

ଖଣ୍ଡାରେ ଦଣ୍ଡା କରି ହାଣି ଶୁଆଇଲେ

।।

ତାଙ୍କର ଭାବିନୀତ ଗର୍ଭ ହୋଇଥିଲେ

ତା ଜାଣି କେତେ ଛାମୁଁ ପାଇକ ଜମା ହେଲେ

।।

ତାଙ୍କୁ ଧର ସେହିକ୍ଷଣି ପଳାଇଲେ

Unknown

କରଡ଼ା ଦେଶ ରାଜା ଗ୍ରାମରେ ଯାଇ ହେଲେ

।।

ସେହିଠାରେ ସେ ମହାଦେଈଙ୍କି ରଖିଲେ

ତହିଁ ଉତ୍ତାରୁ ଯାହା ହେଲା ଶୁଣ ଭଲେ

।।

ନୀଳକଣ୍ଠ ଭଞ୍ଜ ଗୁମସରେ ରାଜା

ହେଲେ ଆପଣାର ଆନନ୍ଦ କରି ମଜ୍ଜା

।।

ଧନଞ୍ଜୟ ଭଞ୍ଜ ନରପତିଙ୍କର

ପୁତ୍ର ଗଙ୍ଗାଧର ଯେ ପାଟ କୁମର

।।

ଏ ବେନି ଲୋକଙ୍କର ପରଲୋକ କାର୍ଯ୍ୟ

କଲେ ଚିତ୍ତରେ ପାଞ୍ଚି ଚିତ୍ତରେ ଅକାର୍ଯ୍ୟ

।।

ଧନଞ୍ଜୟ ଭଞ୍ଜ ପଞ୍ଚଷଷ୍ଠୀ ବର୍ଷ

ଏ ଗୁମସର ରାଜ୍ୟେ ହୋଇଲେ ନରେଶ

।।

ଏଥୁଅନ୍ତେ ଜନେ ଶୁଣ ଦେଇ ହୃଦ

ନୀଳକଣ୍ଠ ଭଞ୍ଜ ହୋଇ ଅତି ମୋଦ

।।

ଗୁମସର ରାଜ୍ୟେ ନରପତି ହେଲେ

ଅଯଶକୁ ସବୁ ଦେଶେ ଖ୍ୟାତ କଲେ

।।

ପିତା, ଭ୍ରାତା, ପୁତୁରା, ନାତିଙ୍କୁ ମରାଇ

ନୀଳକଣ୍ଠ ଭଞ୍ଜ ହେଲେ ନରସାଇଁ

।।

ସେହିରୂପେ ସବୁଠାରେ ହେଲା କ୍ଷାତ

ଯେ ଶୁଣିଲେ ନିନ୍ଦା କଲେକ ବହୁତ

।।

ଘନ ଭଞ୍ଜ ଧରାକୋଟରେ ତ ଥିଲେ

ନୀଳକଣ୍ଠ ଭଞ୍ଜଙ୍କ ଦୁର୍ନୀତି ଶୁଣିଲେ

।।

ଧରାକୋଟ ରଜାଙ୍କୁ ସମସ୍ତ କଥା କହି

ଶହେ ପାଇକ ଧରି ବାହାରିଲେ ସେହି

।।

ସୋରଡ଼ା ବାଟେ କରଡ଼ା ରାଜାଙ୍କ ଗ୍ରାମରେ

ପରବେଶ ହେଲେ ସେ ଅତି ଶୀଘ୍ରରେ

।।

ଶତୃଞ୍ଜୟ ଭଞ୍ଜଙ୍କ ଭାର୍ଯ୍ୟା ସେହିଠାରେ

ଗର୍ଭବତୀ ହୋଇ ରହିଥିଲେ ତ ଦୁଃଖରେ

।।

ତାଙ୍କର ଏକ ପୁତ୍ର ସେଠାରେ ଜନମିଲେ

ରଣଭଞ୍ଜ ବୋଲି ତାଙ୍କ ନାମ ଦେଲେ

।।

ତାହାଙ୍କୁ ଘନ ଭଞ୍ଜ ନେଲେ ସଙ୍ଗତରେ

ପରବେଶ ହେଲେ ଗାଲେରୀ ମୁଠାରେ

।।

ଗରୁଡ଼ୁ ଗ୍ରାମେ ବସା କରିଣ ରହିଲେ

ମାଳ କନ୍ଧ, ଦିଗାଳମାନଙ୍କୁ ଡକାଇଲେ

।।

କନ୍ଧ, ମଳିକ ସହ ଦିଗାଳ ଆସିଲେ

ଘନ ଭଞ୍ଜଙ୍କର ଛାମୁରେ ଦେଖା ହେଲେ

।।

ପିତ ଭ୍ରାତା, ପୁତୁରାମାନଙ୍କୁ ମାରିବାର

ପୂର୍ବରୁ ତ ଶୁଣିଥିଲେ ସର୍ବ ନର

।।

ନୀଳକଣ୍ଠ ଭଞ୍ଜଙ୍କଠାରେ କ୍ରୋଧ ହେଲେ

ତାଙ୍କୁ ମାରି ଘଉଡ଼ି ଦେବା ବିଚାରିଲେ

।।

ବାଳକୁମର ରଣ ଭଞ୍ଜଙ୍କୁଟି ରଜା

କରି ଗୁମସରେ କରିବା ସର୍ବେ ପୂଜା

।।

ଘନ ଭଞ୍ଜଙ୍କଠାରେ ବିଚାର ଛିଣ୍ଡାଇଲେ

ରଣ ଭଞ୍ଜଙ୍କୁ ନୃପ କରି ଶାଢ଼ୀ ଦେଲେ

।।

ସେହିଦିନ ସରିକି ଯୋଡ଼ିଏ ସମ୍ବତ୍ସର

ନୀଳକଣ୍ଠ ଭଞ୍ଜ ହେବାର ନରବର

।।

ଶୁଣ ସୁଜନମାନେ ଦେଇକରି ମନ

ଘନ ଭଞ୍ଜ ରାଜତ୍ଵ ହେବାର ବିଧାନ

।।

ତାଙ୍କୁ ତ ଅଶ୍ଵଥାମା ଦେଇଥିଲେ ବର

ତେଣୁ ଘନ ଭଞ୍ଜ ଅତି ବଳିୟାର

।।

ରଣ ଭଞ୍ଜଙ୍କୁ ମାଳ କନ୍ଧଙ୍କୁ ସଙ୍ଗେ ଘେନି

ଘନ ଭଞ୍ଜ ଗଲେ ହୋଇ ଅଭିମାନୀ

।।

କୁଲାଡ଼ର ନିକଟେ ପରବେଶ ହେଲେ

କନ୍ଧେ ସିଙ୍ଗା, ଟମକ, ଚାଙ୍ଗୁ ବଜାଇଲେ

।।

ନୀଳକଣ୍ଠ ଭଞ୍ଜ ଶୁଣିଲେ କର୍ଣ୍ଣର

ଘନଭଞ୍ଜ ଧରି ବହୁତ ଲସକର

।।

ରଣ ଭଞ୍ଜଙ୍କୁ ରଜା କରି ଶାଢ଼ୀ ଦେଇ

ସର୍ବ କନ୍ଧ, ମଳିକମାନଙ୍କୁ ଡକାଇ

।।

ଗାଲେରୀ କୋକଳବା ମୁଠା ପାଇକଙ୍କୁ

ସଙ୍ଗେ ଘେନି ଆସିଲେ ଯୁଦ୍ଧ କରିବାକୁ

।।

ତାହା ଶୁଣି ନୀଳକଣ୍ଠ ଭଞ୍ଜ କରି ଭୟ

ଆପଣା ହୃଦୟକୁ କମ୍ପାଇ ଅତିଶୟ

।।

ଆପଣାର ଲୋକଙ୍କୁ ଘେନି ପଳାଇଲେ

ଧରାକୋଟରେ ଯାଇ ପ୍ରବେଶ ହୋଇଲେ

।।

ସେଠାରେ ସେ ଭୟ କରି ନରହିଲେ

ଆଠଗଡ଼କୁ ଅବିଳମ୍ବେ ପଳାଇଲେ

।।

ସେହିଠାରେ କେତେ ଦିନ ରହି ପୁଣି

ନୁଆଁ ଗଡ଼କୁ ଗଲେ ସମସ୍ତଙ୍କୁ ଘେନି

।।

ଖଟଦୋଳି ବାଙ୍କିଆ ଯେ ହଂସୁଳି ତୁଳି

ଜଗଦ୍ଦେବଙ୍କୁ ଦେଇ ସେଠାରୁ ଗଲେ ଚଳି

।।

ନୁଆଁଗଡ଼ ମାଳି ସାହିରେ କରି ଘର

ରହିଲେ ସେହିଠାରେ ଭୟ କରି ଦୂର

।।

ତାହାଙ୍କର କୁମର ଉପେନ୍ଦ୍ର ଭଞ୍ଜ ନାମ

ଛାନ୍ଦ କବିତ୍ଵରେ ସେ ଅଟନ୍ତି ଉତ୍ତମ

।।

ତାହାଙ୍କର କନ୍ୟା କେହି ତ ନଥିଲେ

ସେହି ମାଳିସାହି ଗ୍ରାମରେ ରହିଲେ

।।

ଏଥୁ ଅନନ୍ତରେ ଶୁଣ ହେ ସୁଜନ

ଘନ ଭଞ୍ଜଙ୍କର ଆଚରଣମାନ

।।

ରଣ ଭଞ୍ଜଙ୍କୁ ନରପତି ନାମ ଦେଇ

ସବୁ ଅଧିକାର କଲେ ନୃପ ହୋଇ

।।

ଚାରିଗୋଟି ସମ୍ବତ୍ସର ପର୍ଯ୍ୟନ୍ତରେ

ରାଜା ହେଲେ ରଣ ଭଞ୍ଜ ଏ ଗୁମସରେ

।।

ପାଞ୍ଚବର୍ଷ ପ୍ରଦେଶରେ ଦିନେ ଘନ

-ଭଞ୍ଜ ବୁଲିଯିବାକୁ ବଳାଇଲେ ମନ

।।

ରଣ ଭଞ୍ଜଙ୍କୁ ସଙ୍ଗେ ଘେନିଣ ସେ ଗଲେ

ପଥେ ଯାଉ ଗଭୀର କୂପ ନିରେଖିଲେ

।।

ସେ ପିଲାକୁ ଧରିପେଲିଦେଲେ ଖରେ

ପଡ଼ିଲେ ପ୍ରାଣ ଛାଡ଼ିଦେଇ କୂପ ନୀରେ

।।

କୂପେ ପଡ଼ି ମଲା ବୋଲି ଖ୍ୟାତ କଲେ

ଆପେ ଗୁମସରେ ନୃପତି ହୋଇଲେ

।।

ଏହିରୂପେ ସବୁ ଜମିଦାର ସ୍ଥଳେ

ଖ୍ୟାତ ହେଲା ରଣ ଭଞ୍ଜଙ୍କୁ ମାଇଲେ

।।

ଆପେ ନରପତି ହେଲେ ଘନ ଭଞ୍ଜ

ଖ୍ୟାତ ହେଲା ଏହିପରି ସବୁ ରାଜ୍ୟ

।।

ମୁଗଲ ନବାବଙ୍କ ଠାରେ ଏ ଯାବନ୍ତ

କଥା ଜଣା ହେବାରୁ ସେ ହୋଇ କୋପ ଚିତ୍ତ

।।

ଗୁମସରକୁ ସେ ଲସ୍କର ପେଷିଲେ

ଘନ ଭଞ୍ଜ ରାଜାଙ୍କୁ ଧରି ଘେନିଗଲେ

।।

ଇଚ୍ଛାପୁର ଠାରେ ରଖିଲେ ତାଙ୍କୁ ନେଇ

ଏହିରୂପେ କେତେ କାଳ ଗଲା ବହି

।।

ନବାବଙ୍କ ଠାରେ ଥିଲା ଘୋଡ଼ା ଏକ

ତାକୁ ଚଢ଼ି ନପାରନ୍ତି କେଉଁ ଲୋକ

।।

ଘନ ଭଞ୍ଜ ଚଢ଼ି ପାରନ୍ତି ତ ଘୋଡ଼ା

ତାଙ୍କ ସମ ସିପାହି କାହିଁ ନାହିଁ ଲୋଡ଼ା

।।

ଜନ ମୁଖରୁ ଏହା ନବାବ ଶୁଣିଲେ

ଘନ ଭଞ୍ଜଙ୍କୁ ସେ ପାଖକୁ ଡକାଇଲେ

।।

କହିଲେ ତୁମେ ପୁଣି ଘୋଡ଼ା ଚଢ଼ିପାର

ଦେଖିବା ଥରେ ଚଢ଼ ଏ ଘୋଡ଼ା ଆମ୍ଭର

।।

ତାହା ଶୁଣି ଘନ ଭଞ୍ଜ ସହି କଲେ

ସେ ଅଶ୍ଵ ପୃଷ୍ଠପରେ ଯାଇଣ ବସିଲେ

।।

ବେନି ଶତ ସିପାହୀ ଏ ନୃପ ଘୋଡ଼ାଙ୍କୁ

ଜଗାଇଲେ ଚାରିପାଖରେ ତାହାଙ୍କୁ

।।

ଦୁଇ ତିନିଥର ଟହଲାଇ ଘୋଡ଼ା

ଆଣ୍ଟ କରି ମାରିଦେଲେ ସେ କୋରଡ଼ା

।।

ପବନରୁ ଅଧିକ ହୋଇ ସେ ଗମିଲା

ଲସକର ବେଢ଼ିବାରୁ ବଳିଗଲା

।।

ଘୋଡ଼ା ଗୋଡ଼ ଅତି ବେଗରେ ଫିଙ୍ଗିଲେ

ବ୍ୟଗ୍ରଗତି ଲୋକେ ପଙ୍ଗୁପରି ହେଲେ

।।

କେତେଦୂର ଗୋଡ଼ାଇଣ ନିବର୍ତ୍ତିଲେ

ଗୁମସରକୁ ରଜା ଗମନକୁ କଲେ

।।

ବିଷ୍ଣୁ ଚକ୍ର ମୁଠା ସୋରଡ଼ ପର୍ଯ୍ୟନ୍ତ

ଯାଇ ସେଠାରେ ରହି ଭାବିଲେ ନିଜ ଚିତ୍ତ

।।

ଜମିଦାରମାନେ ଆମ୍ଭ ସଙ୍ଗେ ପ୍ରୀତି

କେହିହେଲେ ଜଣେ କରି ତ ନାହାନ୍ତି

।।

ମାଳ କନ୍ଧମାନେ ଆମ୍ଭଙ୍କୁ ବିପକ୍ଷ

ହୋଇଛନ୍ତି ଆମ୍ଭଙ୍କୁ ରାଜ୍ୟରେ ନାହିଁ ପକ୍ଷ

।।

ନବାବଙ୍କ ବନ୍ଦୀରୁ ତ ଆସିଲଇଁ

କେଉଁଠାରେ ରହିବା ସୁଖରେ ଏବେ ଯାଇ

।।

ଘୋଡ଼ାକୁ ସେହିଠାରେ ତାତପର୍ଯ୍ୟ କଲେ

ଆପଣାର ଜଳ ଯୋଗକୁ ସାରିଲେ

।।

ସେହିଠାରୁ ଘୋଡ଼ାକୁ ନେଲେ ବାହୁଡ଼ାଇ

ଇଛାପୁର ଠାରେ ପ୍ରବେଶ ହେଲେ ଯାଇ

।।

ନବାବଙ୍କ ଠାରେ ଯାଇ ଦେଖା ହେଲେ

ଘୋଡ଼ା ବଳିଆଇ ନେଲା ସେ କହିଲେ

।।

ଗୁମସର ସୋରଡ଼ କନ୍ଦିରୁ ମୁଁ ଏକା

ବାହୁଡ଼ିଲି ତୁମ୍ଭଙ୍କୁ ମନେ କରି ଶଙ୍କା

।।

ଯା ଇଚ୍ଛା ହେବ ଏବେ ଆପଣ ମୋତେ କର

ପରିବେଶ ହେଲିତ ତୁମ୍ଭର ଆଗର

।।

ଏହା ଶୁଣି ନବାବ ସନ୍ତୋଷ ହୋଇଲେ

ଇଚ୍ଛାପୁର ଶନିବାର ପେଣ୍ଠ ଦେଲେ

।।

ଏ ବାହାରେ ସାରୁ, ସିକିରି ଗ୍ରାମକୁ

ଇନାମ କରିଦେଲେ ସେ ନୃପବରଙ୍କୁ

।।

ସାତହଜାର ଟଙ୍କା କରି ମାମିଲିତ

ଗୁମସରରେ କରାଇଲେ ସେ ରାଜତ୍ଵ

।।

ହୁକୁମ ଲେଖିଦେଇ ଲସ୍କର ସଙ୍ଗେ ଦେଇ

ଗୁମସର ରାଜ୍ୟକୁ ଦେଲେ ସେ ପଠିଆଇ

।।

କୁଲାଡ଼ ଗଡ଼େ ଆସି ହୋଇଲେ ପ୍ରବେଶ

ମାଳ କନ୍ଧମାନଙ୍କୁ ଡକାଇଲେ ପାଶ

।।

ତାଲୁକାରେ ଥିବାର ସବୁ ସରଦାର

ପାଇକ ଆଦିଙ୍କୁ ଡକାଇ ସତ୍ଵର

।।

ରାଜ୍ୟଯାକ ପ୍ରଧାନଙ୍କୁ ଡକାଇଲେ

ନବାବଙ୍କ ଅନୁଗ୍ରହକୁ କହିଲେ

।।

ସର୍ବ ଲୋକମାନଙ୍କୁ ଆପଣାର କରି

ଆପେ ଗୁମସରେ ହୋଇଲେ ଦଣ୍ଡଧାରୀ

।।

ଷଷ୍ଟଦଶ ଚତୁର୍ବିଂଶ ଶକାବ୍ଦରେ

ନରପତି ହେଲେ ସେ ଏହି ଗୁମସରେ

।।

ସର୍ବ ଜମିଦାରମାନଙ୍କୁ ମଧ୍ୟ କଲେ

ମାଳକନ୍ଧଙ୍କୁ ସେ ବଶ୍ୟ କରାଇଲେ

।।

ରାଜ୍ୟ ପରଜାଙ୍କୁ ପୁତ୍ର ପରି ପାଳି

ଭୋଗ କଲେ ଆପଣାର ମହୀପାଳି

।।

ସାତ ମହାଦେଈଙ୍କୁ ସେ ବିଭା ହୋଇଲେ

କୋଠ ଲୋକ ନାଚୁଣୀ ବିଶେଷ ରଖିଲେ

।।

ମହାଦେଈଙ୍କ ଠାରୁ ହେଲେ ପୁତ୍ର ଜାତ

ଏ ବାହାରେ ଅନ୍ତର ପଚିଶଟି ସୁତ

।।

ଏଥିରୁ ଜ୍ୟେଷ୍ଠ ସୁତ ଅଟନ୍ତି କୃଷ୍ଣ ଭଞ୍ଜେ

ସେ ହେଲେ ଯୁବରାଜ ଏ ଗୁମସର ରାଜ୍ୟେ

।।

ଏଥୁ ଅନନ୍ତରେ ସୁବୁଧି ଜନଚୟ

ଗୁମସର ରାଜ୍ୟର ପୂର୍ବର ନିଶ୍ଚୟ

।।

ସମସ୍ତ ଜମିଦାର କଲେକ ବିଚାର

ଏ ଅଟନ୍ତିଥାଟ ରଜାଙ୍କ କୁମର

।।

ପାପ ବୁଦ୍ଧି କରି ପୁତ୍ର ପ୍ରତୁରା ମାରି

ଆପେ ହୋଇଛନ୍ତି ସିନା ଦଣ୍ଡଧାରୀ

।।

ଆମ୍ଭେମାନେ ଏକ ମନ ହୋଇଯିବା

ତାଙ୍କୁ ଆଉ କେହି ପ୍ରଣାମ ନକରିବା

।।

ଚିଟାଉ କେହି ନ ଲେଖିବା ବିଚାରି

ଆଚରଣ ମଧ୍ୟ କରିବା ସେହିପରି

।।

ଏକଥା ଶୁଣି ଘନ ଭଞ୍ଜ ନରପତି

ଜମା କଲେ ଆପଣା ସୈନ୍ୟ ସେନାପତି

।।

ଜମିଦାରମାନଙ୍କ ରାଜ୍ୟକୁ ସେ ଗଲେ

ଦ୍ରବ୍ୟ ଲୁଟି ଗ୍ରାମ ପାଟଣା ପୋଡ଼ିଦେଲେ

।।

ଏହିରୂପେ ବେନି ବରଷ ଭିତରେ

ଜମିଦାର ମାନଙ୍କୁ ବଶ୍ୟ କଲେ ଖରେ

।।

ଏ ଅନ୍ତରେ କେତେ ଦିନର ଉତ୍ତାରେ

ରାମଚନ୍ଦ୍ର ଦେବ ନୃପତି ଓଡ଼ିଶାରେ

।।

ରାଜତ୍ଵକୁ କରନ୍ତେ ନବାବ ସେଠାର

ପରବେଶ ହେଲେ ଘେନିଣ ଲସ୍କର

।।

ରାମଚନ୍ଦ୍ର ଦେବ ସଙ୍ଗତେ ଲଢ଼ାଇ

କରି କଟକ ଜିଲ୍ଲା ନେଲେ ସେ ଛଡ଼ାଇ

।।

ତହୁଁ ଅଳପ ଲୋକ ଘେନି ନରପତି

ଆସି ପ୍ରବେଶ ହେଲେ ଆଠଗଡ଼ କତି

।।

ସେଠାରେ କେତେଦିନ ରହନ୍ତେ ନରପତି

ଜଗଦ୍ଦେକ ଚଳାଇଲେ ତାଙ୍କ ନୀତି

।।

କେତେଦିନ ସେଠାରେ ମକାମ କରନ୍ତେ

ଭଞ୍ଜ ରାଜନ ତାହା ଶୁଣିଲେ ଗୁପତେ

।।

ଆଠଗଡ଼ ସନ୍ଧକି ଗମନ ସେ କଲେ

ରାମଚନ୍ଦ୍ର ଦେବଙ୍କ ଛାମୁରେ ଦେଖା ହେଲେ

।।

ବହୁତ ପରକାରେ କହିଣ ତାହାଙ୍କୁ

ସଙ୍ଗେ ଘେନି ଆସିଲେ ଆପଣା ରାଜ୍ୟକୁ

।।

ଜଗନ୍ନାଥ ପ୍ରସାଦ ଗଡରେ ରହିଲେ

ତାଙ୍କ ଅନୁକ୍ରମରେ ନୀତି ଚଳାଇଲେ

।।

କେତେଦିନ ତାଙ୍କୁ ରଖିଣ ସେଠାରେ

ଗ୍ୟାଲେରୀଠାକୁ ଘେନି ଗଲେ ସେ ସତ୍ଵରେ

।।

ଦୁଇମାସ ତାଙ୍କୁ ସେଠାରେ ରଖାଇଲେ

ମହତ ଲସ୍କରଙ୍କୁ ତୟାର କରାଇଲେ

।।

ଚାରି କଟକରେ ତୁମ୍ଭଙ୍କୁ ବସାଇବୁ

ବହୁତ ସୈନ୍ୟ ତୁମ୍ଭ ସଙ୍ଗତରେ ଦେବୁ

।।

ଏହିରୂପେ ତାଙ୍କୁ ଦେଇଣ ଭରଷା

ଓଡ଼ିଶାକୁ ପେଷନ୍ତେ ଭଞ୍ଜ ମହାଯଶା

।।

କ୍ଷତ୍ରୀୟ ବର ଦେଉ ବୋଲିଣ ଭଞ୍ଜଙ୍କୁ

ରାମଚନ୍ଦ୍ର ଦେବ କଲେ ଗମନକୁ

।।

ଗୁମସର ଲସ୍କର ଆଗରେ ତୋରାରେ

ଯାଇ ଯୁଦ୍ଧ କଲେ କଟକ ଜିଲ୍ଲାରେ

।।

ନବାବଙ୍କ ଲସ୍କର ଶୀଘ୍ରରେ ଘଉଡ଼ିଲେ

ରାମଚନ୍ଦ୍ର ଦେବଙ୍କୁ ତହିଁରେ ବସାଇଲେ

।।

ତହୁଁ ଲସ୍କର ଶୀଘ୍ର ବାହୁଡ଼ି ଆସିଲେ

ଗୁମସର ରାଜ୍ୟରେ ପରବେଶ ହେଲେ

।।

ନରପତିଙ୍କର ଛାମୁରେ ଦେଖା ହୋଇ

ଶାଢ଼ୀ, ଖଡ଼ୁ, ପଦମାନ ବହୁ ପାଇ

।।

ନିଶ୍ଚିନ୍ତ ହୋଇ ଗୁମସରରେ ରହିଲେ

ଏହିରୂପେ କେତେ କାଳକୁ ସାରିଲେ

।।

ଗୁମସର ରହି ରାଜତ୍ଵକୁ କରି

ଯଶମାନଙ୍କୁ ରଖିଦେଲେ ସେ ଦଣ୍ଡଧାରୀ

।।

କ୍ଷତ୍ରୀୟ ବରପୁର ଶାସନ ବସାଇଲେ

ଦେବାଳୟ ଆରାମମାନଙ୍କ ନିର୍ଭା କଲେ

।।

ରାସ୍ତାରେ ପାଣି ପଣା ଛତ୍ର ଦିଆଇଲେ

ପଥୁକି ଜନମନ ସନ୍ତୋଷ କରାଇଲେ

।।

ତ୍ରୟୋବିଂଶ ବର୍ଷ ଠାରୁ ନରପତି

ହୋଇ ପାଳନା କଲେ ଗୁମସର କ୍ଷିତି

।।

ପୁଷ୍କରିଣୀ କୂପମାନଙ୍କୁ ସଜାଡ଼ିଲେ

ଦାନ ଦେଇ ବିପ୍ରମାନଙ୍କୁ ମନାଇଲେ

।।

ତେଜବନ୍ତେ ସୂର୍ଯ୍ୟ ପରାୟ ହୋଇଲେ

ଚନ୍ଦ୍ରପରି ଆହ୍ଳାଦକୁ ପ୍ରକାଶିଲେ

।।

ସର୍ବଦିଗ ମାନଙ୍କେ କ୍ଷାତ ହେଲା ଯଶ

ଘନ ଭଙ୍ଗ ଏ ରାଜ୍ୟେ ହୁଅନ୍ତେ ନରେଶ

।।

ତାହାଙ୍କର ଏକ ନାମ ଲୋକନାଥ

ଭଞ୍ଜ ବୋଲି ନାମ ହୋଇଥିଲା ଖ୍ୟାତ

।।

କୃଷ୍ଣବର୍ଣ୍ଣ ସକାଶରୁଟି ତାହାଙ୍କୁ

ଘନ ଭଞ୍ଜ ବୋଲି ନାମ ଦେଲେ ତାଙ୍କୁ

।।

ସପ୍ତବିଂଶ ବର୍ଷ କରିଣ ରାଜତ୍ଵ

ସେହି ସମ୍ବତ୍ସରେ ହୁଅନ୍ତେ ସେ ମୃତ

।।

ତାଙ୍କ କୁମର କୃଷ୍ଣ ଭଞ୍ଜ ମହୀପତି

ନୃପ ହୋଇ ପାଳିଲେ ଗୁମସର କ୍ଷିତି

।।

ଯଶ କୀର୍ତ୍ତିରେ ମଣ୍ଡି ହୋଇଲା ଏ ମହୀ

ତାଙ୍କ ଚରିତ କିଛି କହିଯିବି ମୁହିଁ

।।

ଏଥୁ ଅନନ୍ତରେ ସୁବୁଦ୍ଧି ନରରାଣ

ଭଞ୍ଜ ରଜାଙ୍କ ବଂଶ ଚରିତକୁ ଶୁଣ

।।

ଯହିଁ ଶ୍ରୀକୃଷ୍ଣ ଭଞ୍ଜେ ରାଜନ ବଇରି

ପଞ୍ଚଗର୍ବ ଗଞ୍ଜନେ ପାର୍ଥ ସମସରି

।।

ସେ ରାଜନ ଅଟନ୍ତି ଜନକ ସମାନ

ଅକିଞ୍ଚନ ମାନଙ୍କେ ଅଟନ୍ତି ସେ ଧନ

।।

ସନକାଦି ବନ୍ଦନ ସେ ପାଦ ନଳିନ

ସେ ନାରାୟଣ ଦେବଙ୍କର ଉପାସନ

।।

ସକଳ ଭୂମଣ୍ଡଳ ବିଦିତ ସାରମୂଳ

ମଣ୍ଡିତ ଗୁମସର ନାମେ ଏକ ସ୍ଥଳ

।।

ଦିଶେ ଅତି ମଞ୍ଜୁଳ ଆଖଣ୍ଡଳ ପରି

ତହିଁରେ କୃଷ୍ଣ ଭଞ୍ଜେ ଅଟନ୍ତି ଦଣ୍ଡଧାରୀ

।।

ଗନ୍ଧର୍ବବାର ନାଗ ବରରେ ଭୂଷିତ

ଅପୂର୍ବ ପୁଣ୍ୟ ଜନଙ୍କରେ ସେ ଶୋଭିତ

।।

ସ୍ଵର୍ଗର ସୋଦର ସେ ନଗର ଉପମେୟ

ତା ସମ ଦିଶୁନାହିଁ ମହୀରେ ଦେଶ ଲୟ

।।

ତା ମଧ୍ୟରେ କଟକ କୁଲାଡ଼ ନାମରେ

ଅଳକାପୁରୀ ଶିରି ଗଞ୍ଜୁଛି ଧନରେ

।।

ଦାନୀ ପଣେ ମାନି ରହିବେ ବୈଲୋଚନ

ଦେଖିଲେ ବଳ ଉଣା କରନ୍ତି ଗୁମାନ

।।

ଶତ ଶତ ଧେନୁମାନଙ୍କୁ ଅଳଂକୃତ

କରି ତାଙ୍କୁ ବତ୍ସା ସହିତରେ ଯୁକ୍ତ

।।

ସୁବିଜ୍ଞ ଦ୍ଵିଜବରମାନଙ୍କର କରେ

ସମର୍ପନ୍ତି ପୁଣ୍ୟ ଦିବସମାନଙ୍କରେ

।।

ବିପୁଳ ଘର ତୁଳା ଆଦି ଦାନ କରି

ମହାଦାନମାନଙ୍କୁ ଦେଲେ ଦଣ୍ଡଧାରୀ

।।

ଶ୍ରୀ ଗୋବିନ୍ଦ ଗରୁଡ଼ ଦାନକୁ ଆନନ୍ଦ

ହୋଇ ବିପ୍ରଙ୍କ କରେ ଦେଲେ ସେ ନୃପଚନ୍ଦ୍ର

।।

ପୁଷ୍କରିଣୀ ଆନ ଆନକେ ଶ୍ରେଣୀ ଶ୍ରେଣୀ

କଲେ ସେ ନୃପମଣୀ ନୋହିବ ତାହା ଗଣି

।।

ଆରାମମାନ କଲେ ସେହି ମହୀ ପତେ

ନୋହିବ ଶତ ନର ମୁଖରେ ତା ଗଣିତେ

।।

କୃଷ୍ଣ ଶରଣପୁର, ନାରାୟଣ ପୁର

ନାମେ ବେନି ଶାସନ କଲେ ସେ ନୃପବର

।।

ବିଜେ କୃଷ୍ଣଶରଣପୁର ନାମେ ଶାସନ

କଲେ ହରଷରେ ନୃପଙ୍କ ଉତ୍ତମ

।।

ସାଧୁଜନ ଗ୍ରାମମାନଙ୍କେ ଯେତେ ମହୀ

ଦାନକୁ ଦେଲେ ନୃପବର ତୋଷ ବହି

।।

ସେମାନଙ୍କ ଜନାଙ୍କ ରୂପରେ କହିବାକୁ

କ୍ଷମ କେହି ନୋହିବେ ଆସେ ମୋ ମନକୁ

।।

ପାଷାଣରେ ଶ୍ରୀନାରାଣଙ୍କ ପ୍ରତିମା

ହର୍ଷ ହୋଇ ନିର୍ମାଣ କଲେ ସେ ମହାତ୍ତମା

।।

ଦୃଢ଼ତର ପାଷାଣେ ଦେଉଳ ନିର୍ମାଣ

କରି ଚୁନ ଦିଆଇଲେ ସେ ନରରାଣ

।।

ମୋହନ ମୁଖଶାଳା ଦେଉଳ ନିର୍ଭା କଲେ

ପାଚେରୀ ଆଦି କରି ପ୍ରତିମା ବସାଇଲେ

।।

ପ୍ରତିଷ୍ଠାକୁ କରାଇ ପ୍ରଭୁଙ୍କୁ ତହିଁରେ

ବିଜେ କରାଇଲେ ହରଷ ମାନସରେ

।।

ମଣୋହି ନିମତ୍ତରେ ବେନିଗୋଟି ଗ୍ରାମ

ଦତ୍ତ କରି ଖଞ୍ଜିଲେ ସେ ନୃପ ଉତ୍ତମ

।।

ନାନା ପ୍ରକାରେ ଭୋଜ୍ୟ ସାମଗ୍ରୀ କରି ସଜ

ନିବେଦନ କରୁଥାନ୍ତି ରୋଜ ରୋଜ

।।

ଶ୍ରୀଜଗନ୍ନାଥଙ୍କ ନିମିତ୍ତରେ ଏକ ଦେଉଳ

କୁଲାଡ଼ରେ ନିର୍ବାହ କଲେ ନରପାଳ

।।

ତହିଁରେ ଠାକୁରଙ୍କୁ ବିଜେ କରାଇଲେ

ନାନାପରି ଭୋଗମାନଙ୍କୁ ଖଞ୍ଜିଲେ

।।

ବିଷ୍ଣୁଚକ୍ରରେ ଏକ ଦେଉଳ ନିର୍ମାଣ

କରି ବସାଇଲେ ପ୍ରତିମା ନାରାୟଣ

।।

ଭୋଗ ଖଞ୍ଜାଇ କୁଲାଡ଼କୁ ଦରଶନ

ନିମିତ୍ତରେ ଯାଉଥାନ୍ତି ସେ ରାଜନ

।।

ପାଷାଣରେ ପ୍ରାସାଦ କାଷ୍ଠରେ ମଣ୍ଡପ

ନିର୍ମାଣ କରାଇଲେ ସେ ନୃପ କୂଳାଧିପ

।।

ବିଷ୍ଣୁ ପ୍ରତିମା ଶିବ ପ୍ରତିମାକୁ ତହିଁ

ନିର୍ବାହ କରି ବସାଇଲେ ସେ ନରସାଇଁ

।।

ଆଉ ଯେତେ କୀର୍ତ୍ତି କଲେ ସେ କହିବାକୁ

ଆସୁନାହିଁ ହେ ଜନେ ମୋହର ମନକୁ

।।

ଏ ଉତ୍ତାରୁ ଜନେ ହୋଇକରି ସ୍ଥିର

ଶୁଣ କହୁଛି ମୁଁ ଭଞ୍ଜବଂଶ ସମାଚାର

।।

ବିଭା ହେବାକୁ ଇଚ୍ଛା କରି ସେ ନରବର

ତୟାର କରାଇଲେ ବିଭାର ସମ୍ଭାର

।।

ରାଉତ ମାନଙ୍କର ଘରରୁ ବେନି କନ୍ୟା

ନୃପତିବିଭା ହେଲେ ହୋଇଣ ସୁମନା

।।

ଖେମଣ୍ଡି ଘରୁ ଏକ କନ୍ୟା ବିଭା ହୋଇ

ଧନୁକୋଟ ଖଲିକୋଟରୁ କନ୍ୟା ଦୁଇ

।।

ଏ ବାହାରେ ଦଶପଲା ରଜାଙ୍କର

ଦୁଇଗୋଟି କୁମାରୀ ଥିଲେ ମନେ କରେ

।।

ଲୋଭରେ ବିବାହ ହୋଇଣ ରାଜ୍ୟକୁ

ଆସିଲେ ନରପତି କରି ସମ୍ଭାରକୁ

।।

ନୁଆଁଗଡ଼ରେ ତ ପୁରୁଷୋତ୍ତମ ସିଂହ

ମାନ୍ଧାତା ରଜା ହୋଇ କହିଥିଲେ ସ୍ନେହ

।।

ତାଙ୍କର ଏକ କନ୍ୟା ଥିବାର ଶୁଣିଲେ

ବଡ଼ ସୁନ୍ଦରୀ ବୋଲି ତାଙ୍କୁ ବିଭା ହେଲେ

।।

ସେଠାରେ କୃଷ୍ଣ ଭଞ୍ଜ ରଜାଙ୍କୁ ମାନ୍ଧାତା

ନିୟମ କରାଇଲେ ଛାଡ଼ି ମନୁ ଚିନ୍ତା

।।

ଆମ୍ଭର ଜେମାଠାରେ ତୁମ୍ଭର ସେ କୁମର

ପ୍ରଥମରେ ଜନମ ହେବ ହେ ନରବର

।।

ଗୁମସର ରାଜ୍ୟରେ ରାଜତ୍ଵ କରିବ

ଏପରି ନିୟମକୁ କର ହେ ପାର୍ଥୀବ

।।

ନୃପ ସେକଥାକୁ କରିଣ ଶ୍ରବଣ

ନିୟମକୁ କଲେ ସେହି ପ୍ରକାରେଣ

।।

ବିଭା ହୋଇ ରାଜ୍ୟକୁ ବାହୁଡ଼ି ଆସିଲେ

ସୋରଡ଼ା ଘରୁ ଏକ କନ୍ୟାକୁ ବିଭା ହେଲେ

।।

ଏରୂପେ ଅଷ୍ଟପାଟ ମହିଷୀ ତାଙ୍କର

ହୋଇ ହେଲେ ଅନ୍ତର ଶହେ ଅଷ୍ଟୋତ୍ତର

।।

କହିବା ତାହା ଶୁଣ ଜନେ ଏକ ଚିତ୍ତେ

ଏଥିରୁ ପୁତ୍ରମାନେ ଜନମ ହେଲେ ଯେତେ

।।

ପ୍ରଥମେ ଧରାକୋଟ ମହାଦେଈଙ୍କର

ଲକ୍ଷ୍ମୀଶରଣ ଭଞ୍ଜ ନାମରେ କୁମର

।।

ନବଦୁର୍ଗ ମାନ୍ଧତା ନୃପତିଙ୍କ ନାତି

ତ୍ରିବିକ୍ରମ ଭଞ୍ଜ ହେଲେ ଉତପତି

।।

ଜୟ ମଙ୍ଗଳ ଭଞ୍ଜ ରାଉତ ଘର ନାତି

ତାଙ୍କଠାରେ ନୃପତି ରଖିଥାନ୍ତି ମତି

।।

ସୋରଡ଼ା ମହାଦେଈଙ୍କର ପଦ୍ମନାଭ

ନାମେ କୁମର ହେଲେ ଜନେ ମନେ ଭାବ

।।

ହରିଶରଣ ଭଞ୍ଜ ଖେମଣ୍ଡି ରଜାଙ୍କର–

-ନାତି ବୋଲି କ୍ଷାତି ହେଲା ଏ ଗୁମସର

।।

ଖଲିକୋଟ ନୃପତିଙ୍କ ପାଞ୍ଚ ନାତି

-ହେଲା ତାଙ୍କ ନାମ କହିବା ଦିଅ ମତି

।।

ରାମ ଶରଣ, ସୀତା ଶରଣ ସୁତ ବେନି

ନୃସିଂହ, ରଙ୍ଗନାଥ, ବିଷ୍ଣୁଶରଣ ତିନି

।।

ଏରୂପେ ପାଞ୍ଚପୁତ୍ର ହୋଇଲେଟି ଜାତ

ଦଶପଲ୍ଲା ରାଣୀଙ୍କର ବେନି ସୁତ

।।

ହରିରୁଦ୍ର କନିଷ୍ଠ, ଶିବରାମ ଜ୍ୟେଷ୍ଠ

ଏପରି କ୍ଷାତ ହେଲେ ସେ ଅତି ଗରିଷ୍ଠ

।।

ଏରୂପେ ଆଠ ମହାଦେଇଙ୍କ ଠାରୁ ଜାତ

ହୋଇଲେ ଗଣତିରେ ବାରଗୋଟି ସୁତ

।।

କୋଠ ଲୋକରୁ ଭିକ ଭଞ୍ଜ, ଅନାମ ଭଞ୍ଜ

ଫେତ ସିଂହ ବୋଲି କୁମାର ବିରାଜ

।।

ନିମ କୋଳି, ଭଙ୍ଗାଦି ଅଷ୍ଟ କୁମର ହେଲେ

ଦୁଇପଟରୁ ଅଷ୍ଟାଦଶ ଜନମିଲେ

।।

ଷୋଳ ଶତ ଚତୁର ଅଶି ଶକାବ୍ଦରେ

କର୍ମାନୀ ନବାବ ଆସିଣ ଏ ରାଜ୍ୟରେ

।।

ଜମାବନ୍ଦି ପଞ୍ଚଚାଳିଶି ହଜାର

ଟଙ୍କା ନିର୍ଣ୍ଣୟ କଲେ ଜନେ ମନେ କର

।।

କୃଷ୍ଣ ଭଞ୍ଜ ରାଜ୍ୟେ ଏପରିରାଜା ହୋଇ

ପ୍ରଜା ପାଳି ଭୋଗକଲେ ଏହୁ ମହୀ

।।

କୃଷ୍ଣ ଭଞ୍ଜଙ୍କୁ ଊନତ୍ରିଂଶ ବର୍ଷ ହ୍ୱନ୍ତେ

ନୃପତି ହେଲେ ଗୁମସରେ ସେ ନିଶ୍ଚିନ୍ତେ

।।

ଜମିଦାରମାନଙ୍କୁ ଆପଣା ବଶରେ

ରଖି ଯଶ ବିସ୍ତାର କଲେ ଏ ମହୀରେ

।।

ନବାବମାନଙ୍କୁ ସେ ଯୁଦ୍ଧରେ ଜିଣିଲେ

ଯାହାକୁଟି ବିରାମ ଗାଦି ହାରିଦେଲେ

।।

ଅଷ୍ଟ ପଞ୍ଚାଶ ବର୍ଷ ସମ୍ପୂର୍ଣ୍ଣ ହେବାକ୍ଷଣି

ପରମ ଗତିକୁ ଲଭିଲେ ନରମଣି

।।

ନୁଆଁଗଡ଼ରେ ବିଭା ହୋଇବା ସମୟରେ

ନିୟମତ କରିଥିଲେ ସେହିଠାରେ

।।

ତେଣୁ ତ୍ରିବିକ୍ରମ ଭଞ୍ଜଙ୍କୁ ରାଜ ଶାଢ଼ୀ

ଦେଇ ନରପତି ଗଲେ ସବୁ ଛାଡ଼ି

।।

ତ୍ରିବିକ୍ରମ ଭଞ୍ଜେ ହୋଇଲେ ନରବର

ହେଲେ ଖ୍ୟାତ ନରମାନଙ୍କେ ଏ ରାଜ୍ୟର

।।

ଜ୍ୟେଷ୍ଠ କୁମର ଆଉ କନିଷ୍ଠ କୁମରକୁ

ରାଜଶାଢ଼ୀ ଦେଲେ ନକରି ବିଚାରକୁ

।।

ଷୋଳଶତ ପଞ୍ଚାଣୋଇଁ ଶକାବ୍ଦରେ

ବିକ୍ରମ ଭଞ୍ଜ ରାଜା ହୁଅନ୍ତେ ଏ ରାଜ୍ୟରେ

।।

ଜନମାନଙ୍କୁ ବିଶେଷରେ ଦଣ୍ଡ ନିତି

ଦେବାରୁ ସର୍ବଜନମାନେ କଲେ ଭିତି

।।

କେଉଁମାନଙ୍କୁ ଉଗ୍ର ଦଣ୍ଡାଦିକୁ ଦେଲେ

କେଉଁମାନଙ୍କ ପ୍ରାଣ ବଧ କରାଇଲେ

।।

କେତେ ଜନମାନେ ସ୍ଵରାଜ୍ୟ ଛାଡ଼ିଦେଲେ

ପର ରାଜ୍ୟରେ ବାସ କରିଣ ରହିଲେ

।।

ଏରୂପେ କେତେବର୍ଷ ରାଜତ୍ଵ କରନ୍ତେ

ଧର୍ମ କଥା କଛି ନରଖିଲେ ଚିତ୍ତେ

।।

ଅନୁକ୍ଷଣେ କ୍ରୋଧ ହୋଇ ଦଣ୍ଡ ଦେଲେ

ଅନ୍ୟାୟ କଥାସବୁ କାଳରେ ଆଚରିଲେ

।।

ସରକାର ଜମା ବନ୍ଦିକୁ ନଦେଲେ

ତେଣୁକରି ସାହେବ ମନେ ଦୁଃଖ କଲେ

।।

ଅନ୍ୟାୟରେ ପ୍ରଜାମାନଙ୍କୁ ଦଣ୍ଡ ଦେଲେ

ପ୍ରଜାମାନଙ୍କର ମନ ଫିଟାଇଲେ

।।

ଲକ୍ଷ୍ମଣ ଭଞ୍ଜ ମନେ ବିଚାରକୁ କଲେ

ଆମ୍ଭ ପିତା ଅନ୍ୟାୟ କଥା ଆଚରିଲେ

।।

ଆମ୍ଭେ ଜ୍ୟେଷ୍ଠ ସୁତ ଥାଉ କନିଷ୍ଠ ସୁତ

ବିକ୍ରମକୁ ରାଜୁତି ଦେବାର କି ଉଚିତ

।।

ନିତି ତାଙ୍କ ମନ ଜାଣିକରି ସେବା

କିରୂପରେ ଆମ୍ଭେ କାଳ ବଂଚାଇବା

।।

ଏହା ବିଚାରି ଜୟ ମଙ୍ଗଳ ଭଞ୍ଜଙ୍କୁ

ଡାକିକରି କହିଲେ ଉତ୍ତମ ଗିରକୁ

।।

ବିକ୍ରମ ଭଞ୍ଜ ଏଥି ରାଜତ୍ଵ କରୁଥିବେ

ଆମ୍ଭେ ସିପାହୀ ହୋଇ ରହିବା ଅକର୍ତ୍ତବ୍ୟେ

।।

କିରୂପେ ଦିନ ନେବା ଏଠାରୁ ଏହିକ୍ଷଣି

ବାହାରି ଯିବା ଦଣ୍ଡେ ନରହିଣ ପୁଣି

।।

କହି ଦିବ୍ୟ ଘୋଡ଼ା ଶୀଘ୍ରରେ ଚଢ଼ିଲେ

ପୁତ୍ର ଶ୍ରୀକର ଭଞ୍ଜ ସଙ୍ଗତରେ ଥିଲେ

।।

ଜୟ ମଙ୍ଗଳ ଭଞ୍ଜ ସେରୂପେ ଘୋଡ଼ା ଚଢ଼ି

ବାହାରିଲେ ସଙ୍ଗତେ ଦେଖାଇ ନିଜପ୍ରୋଢ଼ି

।।

ଆସିକାଠାରେ ଖରସୋଧି ନାଲା ଥିଲେ

ତାହାଙ୍କଠାରେ ଏକା ବେଳକେ ଦେଖା ହେଲେ

।।

ତାଙ୍କୁ ସଙ୍ଗରେ ଘେନି ସତ୍ଵରେ ଗଞ୍ଜାମରେ

ପରବେଶ ହେଲେ ନବାବଙ୍କ ଠାରେ

।।

ଏହାଙ୍କର ଯେତେ ହଇକତମାନ

ନବାବଙ୍କ ଠାରେ କଲେ ନିବେଦନ

।।

ଜ୍ୟେଷ୍ଠ କୁମର ଆମ୍ଭେ ଆଉ କନିଷ୍ଠ ସୁତ

ଗୁମସର ରାଜ୍ୟରେ ହେଲେ ମହୀକ୍ଷିତ

।।

ଜମା ବନ୍ଦି ଟଙ୍କା ଷାଠିଏ ହଜାର

କରି ତାଲୁକା ଦେଇ କରାଅ ନରବର

।।

ବାଇଦା ପରକାରେ ଅଲଖ ରାମ ଲାଲା

ଠାରୁ ରୁପିଆ ନିଅ ଦେଲୁ ଆମ୍ଭେ ସାଲା

।।

ସେଇକ୍ଷଣି ଅଲଖ ରାମ ଲାଲାଙ୍କୁ

ନବାବ ପୁଚ୍ଛନ୍ତେ କଲେ ସିଉକାରକୁ

।।

ଲକ୍ଷ୍ମଣ ଭଞ୍ଜଙ୍କର ସଙ୍ଗେ ଲସ୍କର ଦେଇ

ଗୁମସରକୁ ପଠାଇଲେ ତୋରା ହୋଇ

।।

ଷୋଳଶ ଅଠାଣୋଇଁ ଶକାବ୍ଦରେ ଯୁଦ୍ଧ

କଲେ ବିକ୍ରମ ଭଞ୍ଜ ହୋଇ ଅତି କ୍ରୋଧ

।।

ଯୁଦ୍ଧେ ହାରି କୁଟୁମ୍ବଯାକ ଘେନିଗଲେ

ଦଶପଲ୍ଲା ରାଜ୍ୟରେ ନେଇଣ ରଖିଲେ

।।

ତହିଁ ରହି ନପାରି ଶୀଘ୍ରରେ ସେ ଗଲେ

ବଉଦ ରାଜ୍ୟେ ଯାଇ ପରବେଶ ହେଲେ

।।

ମରଜା କୁଦଠାରେ କୁଟୁମ୍ବ ରଖାଇ

ନୁଆଁ ଗଡ଼କୁ ଶୀଘ୍ରେ ଆସିଲେ ତୋରା ହୋଇ

।।

ଗୁମସରକୁ ଆସି ଗ୍ରାମମାନଙ୍କୁ ନାଶି

କର୍ମାନୀ ସଙ୍ଗତରେ ଯୁଝିଲେ ହୋଇ ରୋଷି

।।

ଯଶ ନପାଇ ବାଲିସିଂସାରେ ରହିଲେ

ଲକ୍ଷ୍ମଣ ଭଞ୍ଜ ତାହା ଶୁଣିଲେ ଜାଣ ଭଲେ

।।

କର୍ମାନୀ ସଙ୍ଗେ ଘେନି ଯାଇଣ ସେଠାରେ

ଯୁଦ୍ଧ କରିବାରୁ ସେ ପଳାଇଲେ ଖରେ

।।

ଦଶପଲ୍ଲା ପ୍ରବେଶ ହୋଇ ବଉଦରେ

କୁଟୁମ୍ୱକୁ ଦେଖିଲେ...............

ଏଥୁ ଅନ୍ତେ ଶୁଣ ସୁବୁଦ୍ଧି ସମାଜ

ମରଜା କୁଦେ ରହି ବିକ୍ରମ ଭଞ୍ଜ ରାଜ

।।

ପାତ୍ର ଭଲ ଲୋକ ସମସ୍ତେ ତ ଥିଲେ

ତାଙ୍କୁ ବସାଇଣ ବିଚାରକୁ କଲେ

।।

ଆମ୍ଭ ଭାଇ ଲକ୍ଷ୍ମଣ ଭଞ୍ଜ ବେଗେ ଗଲେ

ଖର ସୋଧି ଲାଲା ସଙ୍ଗେ ଦେଖା ହେଲେ

।।

ତାଙ୍କୁ ସଙ୍ଗେ ଘେନି ନବାବଙ୍କ ଠାକୁ

ଗଲେ ଅଲେଖ ରାମ କରି ସହାୟକୁ

।।

ନବାବଙ୍କ ଠାରେ କହିଲେ ଏହି ବାକ୍ୟ

ଆମ୍ଭେ ଜ୍ୟେଷ୍ଠ ଥାଉଁ ଆମ୍ଭର ଜନକ

।।

କନିଷ୍ଠ ବିକ୍ରମ ସୁତକୁ ରାଜତ୍ଵ

ଦେବାରୁ ଆମ୍ଭେ ଆସି ହେଲୁ ଉପଗତ

।।

ସେ ପଞ୍ଚାଶ ହଜାର ଟଙ୍କା ମାମିଲିତ

କରି ସିନା କରୁଅଛନ୍ତି ରାଜତ୍ଵ

।।

ତାଲୁକାର ଲୋକଙ୍କୁ ବହୁତ ଦଣ୍ଡ ଦେଲେ

କିସ୍ତି ପ୍ରକାରେ ଟଙ୍କା ଗୋଟିଏ ନଦେଲେ

।।

ଆମ୍ଭେ ଏବେ ଷାଠିଏ ହଜାର ଟଙ୍କା ଦେବୁ

ବାଇଦାକୁ କିଛି ଊଣା ନକରିବୁ

।।

ଅଲେଖ ରାମ ଲାଲା ଜାମିନ ହୋଇଲେ

କିସ୍ତି ପ୍ରକାରେ ଟଙ୍କା ଦେବେ ଜାଣ ଭଲେ

।।

ଏ ସକାଶୁ ନବାବ ସିଉକାର କଲେ

ଭାଇକୁ ରାଜା କରି ପଠିଆଇ ଦେଲେ

।।

ଆମ୍ଭେ ଏବେ ଚିନା ପାଟଣାକୁ ଯିବା

ଲାଟ ଗୌନରଙ୍କୁ ସମସ୍ତ କହିବା”

।।

ଏତେ ଭାଳି ପାତ୍ର ମନ୍ତ୍ରୀଙ୍କି ସଙ୍ଗେ ଧରି

ମାଳବାଟେ ବାହାରି ଗଲେ ଦଣ୍ଡଧାରୀ

।।

ବିଜେ ରାମ ରାଜୁ ସଙ୍ଗତେ ଦେଖା ହେଲେ

ଏକତ୍ର ହୋଇଣ ଦୁହେଁ ଚଳିଗଲେ

।।

ଏହାଙ୍କ ହଇକତ କହିଲେ ସମସ୍ତ

ତାଙ୍କ ସହିତରେ ହୋଇଲେ ସଙ୍ଗତ

।।

ବିଜେ ରାମରାଜୁ ସହାୟ ହୋଇଲେ

ସଙ୍ଗେ ଘେନି ଚେନା ପାଟଣାକୁ ଗଲେ

।।

ଗଭର୍ଣ୍ଣରଙ୍କ ଠାରେ ସମସ୍ତ ବିଷୟ

ଜଣାକଲେ ନୃପଙ୍କୁ ହୋଇଣ ସହାୟ

।।

ଏହାଙ୍କର ଜନକ କୃଷ୍ଣ ଭଞ୍ଜ ରାଜା

ଜ୍ୟେଷ୍ଠ ପୁତ୍ର ଅଯୋଗ୍ୟ ବୋଲି କଲେ ତ୍ୟଜ୍ୟା

।।

କନିଷ୍ଠ କୁମରକୁ ରାଜତ୍ଵକୁ ଦେଲେ

ଆୟୁ ଶେଷ ହୁଅନ୍ତେ ପରଲୋକ ହେଲେ

।।

ଦେଖି ଲକ୍ଷ୍ମଣ ଭଞ୍ଜ ସହି ନପାରିଲେ

ଗୁମସର ରାଜ୍ୟରୁ ପଳାଇ ଆସିଲେ

।।

କହିଲେ ଖରସୋଧି ଲାଲାଙ୍କୁ ସମସ୍ତ

ଅଲେଖ ରାମ ମଧ୍ୟ ହେଲେ ତାଙ୍କ ସାଥ

।।

ପଞ୍ଚାଶ ହଜାର ତ ହୋଇଥିଲା ଜମା

ଷାଠିଏ ହଜାର କରି ସେ ମହାତ୍ତମା

।।

ଗଞ୍ଜାମ ଜିଲ୍ଲା ନବାବଙ୍କ ଠାରେ କହି

ପିତା ଦତ୍ତ କରିବା ରାଜ୍ୟକୁ ଛଡ଼ାଇ

।।

ଖରସୋଧିଲାଲା ଅଲେଖ ରାମ ଦୁଇ

ଷାଠିଏ ହଜାରକୁ ଅଛନ୍ତି ଲଗା ହୋଇ

।।

ଗୁମସର ରାଜ୍ୟ ତାଙ୍କୁ ସମର୍ପିଲେ

ଲସ୍କର ନେଇ ସଙ୍ଗେ ପଠିଆଇ ଦେଲେ

।।

କର୍ମାନୀ ଲସ୍କରଙ୍କୁ ନୟନେ ଦେଖିଲେ

ସ୍ଵଦେଶ ଛାଡ଼ି ଦଶପଲ୍ଲା ପଳାଇଲେ

।।

ସେହିଠାରୁ ବଉଦ ମରଜା କୁଦରେ

ଘର କଲେ ବଉଦ ରଜାଙ୍କ ସହାୟରେ

।।

ସମସ୍ତ କୁଟୁମ୍ବଙ୍କୁ ସେଠାରେ ରଖାଇଲେ

ଭୟପାଇ ହଜୁରେ ଆସି ଦେଖା ହେଲେ

।।

ଏହାଙ୍କୁ ଅନୁଗ୍ରହ କରିବଟି ଯେବେ

ଜମାବନ୍ଦି ପଞ୍ଚାଶ ହଜାର ଟଙ୍କା ଦେବେ

।।

ଟଙ୍କା ଦେବାକୁ ଆମ୍ଭେ ଜାମିନ ହୋଇବୁ

ଏହାଙ୍କୁ ସଙ୍ଗେ ଘେନି ଗୁମସର ଯିବୁ

।।

ତା ଶୁଣି ସେ ଲାଟସାହେବ ସହି କଲେ

ଗୁମସର ରାଜତ୍ଵ ବିକ୍ରମକୁ ଦେଲେ

।।

ପଞ୍ଚାଶ ହଜାର ଟଙ୍କା କରି ମାମିଲିତ

ଗୁମସରକୁ ପେଶିଦେଲେ ସେ ତ୍ଵରିତ

।।

ବିକ୍ରମ ଭଞ୍ଜ ରାଜା ସିଲ ହୋଇ ବେଗେ

ବେଙ୍କଟା ଚଳକୁ ଚଳିଗଲେ ବେଗେ

।।

ସାତଦିନେ ସେଠାରେ ପ୍ରବେଶ ହୋଇଲେ

ଲସ୍‌ବନ ବାଲାଜିଙ୍କୁ ଦରଶନ କଲେ

।।

ନାନାପରି ମଣୋହି ସେହିଠାରେ କରି

ସତ୍ଵରେ ଗମନକୁ କଲେ ଦଣ୍ଡଧାରୀ

।।

ବିଜୟ ନଗ୍ରେ ଆସି ପ୍ରବେଶ ହୋଇଲେ

ବିଜେ ରାମ ରାଜୁ ତ ସଙ୍ଗତରେ ଥିଲେ

।।

ତାଙ୍କଠାରୁ ମେଲାଣି ହୋଇ ନରବର

ଗୁମସର ଆସିଲେ ହୃଷ୍ଟ ମାନସର

।।

କେତେ ଦିନେ ଆସି ଆସିକା ପ୍ରବେଶ

ଖରସୋଧି ଲାଲା ପାଇ ଏ ସନ୍ଦେଶ

।।

ଆସନକୁ ପକାଇଣ ସେ ବସିଥିଲେ

ବିକ୍ରମ ଭଞ୍ଜ ଆସି ଶୀଘ୍ରରେ ଭାଷିଲେ

।।

ତାଙ୍କ ଦ୍ୱାର ବାଟେ ସେ ନରବର ଗଲେ

ଅଭିମାନରୁ ତାଙ୍କ ଘରକୁ ନ ଗଲେ

।।

ଲକ୍ଷ୍ମଣ ଭଞ୍ଜ ରଜା ଗୁମସରେ ଥିଲେ

ବିକ୍ରମ ଭଞ୍ଜ ଆସିବାର ସେ ଶୁଣିଲେ

।।

ଆସିକା ଆସି ଲାଲାଠାରେ ଦେଖା ହୋଇ

ପୂର୍ବରୁ ତ ଅନୁଗ୍ରହ କରିଥିଲେ ସେହି

।।

ଲାଲା ଦେଖି ତାଙ୍କ ସଙ୍ଗେ କଥା ହୋଇ

ଗଞ୍ଜାମକୁ ଗଲେ ମାନସେ କ୍ରୋଧ ବହି

।।

ଅଲେଖ ରାମ ସଙ୍ଗେ ଶୀଘ୍ର ଦେଖା ହେଲେ

ଲକ୍ଷ୍ମଣ ଭଞ୍ଜଙ୍କୁ ସେ ଧରିଣ ବାହାରିଲେ

।।

ନବାବଙ୍କ ଠାରେ ଶୀଘ୍ର ଦେଖା ହୋଇ

ବିକ୍ରମ ଭଞ୍ଜଙ୍କର ହଇକତ କହି

।।

ବିକ୍ରମ ଭଞ୍ଜ ରାଜା ଗୁମସର ଗଲେ

ଯେତେ ଲୋକ ସେଠାରେ ବେପାର କରୁଥିଲେ

।।

ସେମାନଙ୍କୁ ଦଣ୍ଡଦେଇ ରାଜ୍ୟୁ ତଡ଼ିଦେଲେ

କର୍ମାନୀ ଘର ଟଙ୍କା ଗୋଟିଏ ନଦେଲେ

।।

ଲକ୍ଷ୍ମଣ ଭଞ୍ଜ ରାଜା ଏମାନ ସବୁ ଶୁଣି

ଲାଲା ଅଲେଖ ରାମ ସଙ୍ଗେ ଥିଲେ ପୁଣି

।।

ସେ ଚରିତ ସବୁ ନବାବଙ୍କ ଆଗେ

ଲାଲା ଅଲେଖ ରାମ ଜଣା କଲେ ବେଗେ

।।

ଲକ୍ଷ୍ମଣ ଭଞ୍ଜଙ୍କୁ ଦେବ ଯେବେ ଗୁମସର

ଏକ ଲକ୍ଷ ଟଙ୍କା ଦେବ ସେ ନିକର

।।

ସେ ଟଙ୍କାକୁ ଆମ୍ଭେ ଜାମିନ ରହିବୁ

କିସ୍ତି ପ୍ରକାରେ ସବୁ ଟଙ୍କା ଗଣିଦେବୁ

।।

ଏହା ଯହୁଁ ନବାବ ସାହେବ ଶୁଣିଲେ

ଗଭର୍ଣ୍ଣରଙ୍କ ଠାକୁ ସମସ୍ତ ଲେଖିଲେ

।।

ତାଙ୍କଠାରୁ ସିଉକାରକୁ ଅଣାଇଲେ

ଲକ୍ଷ୍ମଣ ଭଞ୍ଜଙ୍କୁ ରାଜା କରାଇଲେ

।।

ସତରଶ ତିନି ଶକାବ୍ଦରେ ପୁଣ

ଲକ୍ଷେ ଟଙ୍କା ଜମାବନ୍ଦି ହେଲା ଜାଣ

।।

ପଟଲାମ ଅତି ଶୀଘ୍ରରେ ପେଶିଲେ

ଗଞ୍ଜାମକୁ ବିକ୍ରମ ଭଞ୍ଜଙ୍କୁ ଡକାଇଲେ

।।

କର୍ମାନୀଲୋକେ ଆସି ଧରି ଘେନିଗଲେ

ଗଞ୍ଜାମରେ ନେଇ ପରବେଶ କଲେ

।।

ପାଟ ମହାଦେଇ ଭିତର ଲୋକଙ୍କୁ

ଆଠଗଡ଼ ଢୁଙ୍କାପଡ଼ାରେ ରଖି ତାଙ୍କୁ

।।

ବରଷକୁ ବାର ସହସ୍ର ମୂଳ କଲେ

ମାସକୁଟି ହଜାରେ ଲେଖାରେ ଟଙ୍କା ଦେଲେ

।।

କେତେଦିନ ଉତ୍ତାରୁ ହିଞ୍ଜିଳି ମୁଠାକୁ

ସାତ ହଜାର ଟଙ୍କା ତଳେ ଦେଲେ ତାଙ୍କୁ

।।

କାଟୁ ନାମ ଦେଇ ନହର ତୋଳାଇଲେ

ତହିଁ କୁଟୁମ୍ବ ଧରି ନୃପତି ରହିଲେ

।।

ଶୁଣ ଜନେ ମନଦେଇ ଗୁମସରେ

ଲକ୍ଷ୍ମଣ ଭଞ୍ଜେ ରଜା ହୋଇଣ ସେଠାରେ

।।

ହୁଅନ୍ତେ ପାତ୍ର ଆଦି ଯେତେ ଲୋକ

ସେହି ଗୁମସରେ ନକଲେ ଜାଣ ଓକଃ

।।

ବିକ୍ରମ ଭଞ୍ଜଙ୍କର ଆଶାରେ ରହିଲେ

କାଟୁରେ ଆଠଗଡ଼ ରାଜ୍ୟରେ ବାସ କଲେ

।।

ଧରାକୋଟ ଦଶପଲ୍ଲାରେ ରହିଲେ

ନୁଆଁ ଗଡ଼ରେ କେଉଁମାନେ ଘର କଲେ

।।

ଏକ ଭଣ୍ଡାରି ଜଣେ ଧୁନିଆଁ ନାମରେ

ଥିଲା ତାକୁ ବସାଇଲେ ଦରବାରେ

।।

ଅଶ୍ଵ ପାଲିଙ୍କି ଦେଇ ମେଦିନୀରା ପଦ

ଦେଇ ନୃପ କଲେ ମାନସରେ ମୋଦ

।।

ସାଇବ ଦାସ ବୋଲି ନିଜ ଗହଙ୍ଗୁରେ

ଥିଲେ ବସ୍ତୁ ବଣିଜ କରନ୍ତି ନିରନ୍ତରେ

।।

ତାଙ୍କ ଜ୍ୟେଷ୍ଠ କୁମର ନାଥ ଦାସ ନାମ

ଥିଲେ ସେ ବ୍ରାହ୍ମଣଙ୍କ ମଧ୍ୟରେ ଉତ୍ତମ

।।

ବିଷ୍ଣୁଚକ୍ର ବାଲିପଦର ମୁଠା ଗୁଢା

କଲେ ସେ ନାଥ ଦାସ ଛାଡ଼ି ମନୁ ଚିନ୍ତା

।।

ଆନମୁଠା ମାନଙ୍କୁ ଗୁଢା ନିର୍ଣ୍ଣୟ କରି

ବାଣ୍ଟିଦେଲେ ଲକ୍ଷ୍ମଣ ଭଞ୍ଜ ଦଣ୍ଡଧାରୀ

।।

ଏକ କରଣ ଜଣେ ପୁରୁଷୋତ୍ତମପୁର

ଠାରୁ ଅଣାଇଁଲେ ଭଞ୍ଜ ନୃପବର

।।

ତାଙ୍କୁ ଛାମୁ ପଟ୍ଟନାୟକ ପଦ ଦେଲେ

ଅତି ବିଶ୍ଵାସ କରି ପାଖରେ ରଖିଲେ

।।

ଧରାକୋଟରୁ ଜଣେ କରଣ ଆସିଲେ

ତାଙ୍କୁ ସୁମନ୍ତ ପଟ୍ଟନାୟକ ପଦ ଦେଲେ

।।

ସେହି ରାଜ୍ୟରୁ ଆଉ ଗୋଟିଏ କରଣ

ହଳ କରଣ କଲେ ଭଞ୍ଜ ନରରାଣ

।।

ଏ ଦୁଇଜଣ ମଧ୍ୟେ ପାଞ୍ଜିଆ ହୋଇଲେ

ଲେଖାମାନ ଲେଖି ଛାମୁରେ ଜଣାଇଲେ

।।

ମୁଠା ଗୋଟିକରେ କରଣ ଗୋଟିଏ

ରଖାଇଲେ ଲକ୍ଷ୍ମଣ ଭଞ୍ଜ ବୀର ରାଏ

।।

ଆପଣାର ପୁତ୍ର ଶ୍ରୀକର ଭଞ୍ଜକୁ

ଯୁବରାଜ କଲେ ହୋଇ ପ୍ରମୋଦକୁ

।।

ସେ ପୁତ୍ର ଧୁନି ମେଦିନୀରା ବିଷୟରେ

କହିଲେ ନାନାପରି ପିତାଙ୍କ ଛାମୁରେ

।।

ରାଜ୍ୟରେ ଜମିଦାର ସ୍ଥଳରେ ବହୁତ

ନିନ୍ଦା କରୁଛନ୍ତି ଜାଣ ଆହେ ତାତ

।।

ତାଙ୍କୁ ନକର ଏ ରାଜ୍ୟରେ ଅଧିକାରୀ

କଲେ ନିନ୍ଦା କରିବେ ସକଳ ଦଣ୍ଡଧାରୀ

।।

ଯେତେପରି ସେ ବିଷୟରେ କୁମର

କହିଲେ ତା ନଘେନିଲେ ନରବର

।।

ଏ ସକାଶରୁ ପିତାଙ୍କ ଠାରୁ ସେ ଅନ୍ତର

ହୋଇ ଯାଇ ରହିଲେ ଆସିକା କରି ଘର

।।

ରାଉତ ଘରୁ କନ୍ୟା ଶ୍ରୀକର ଭଞ୍ଜ ରାଜା

ବିଭା ହେଲେ ସେଠାରେ ରଖ ଜନେ ମଜ୍ଜା

।।

ଧରାକୋଟ ଗୋପିସିଂହଙ୍କ ଭଗିନୀ

ବିଭା ହେଲେ ଉତ୍ତମ ବୋଲି ସେ ଭାବିନି

।।

ବାମନପୁର ମୁଠା ଭିତରୁ ବାରଶ–

ଟଙ୍କାର ଜାଗା ଦେଲେ ପୁତ୍ରକୁ ନରେଶ

।।

ବେନି ବରଷ ଉତ୍ତାରୁ ସେ ହେଲେ ନରବର

ପାତ୍ର କଲେ ନାଥ ଦାସଙ୍କୁ ଆବର

।।

କର୍ମାନୀ ଜମାବନ୍ଦି ଦାଖଲ କରିବ

ଆମ୍ଭ ଖର୍ଚ୍ଚକୁ ମାସି ହଜାରେ ଟଙ୍କା ଦେବ

।।

ବାକି ରାଜନୀତି ନିମିତ୍ତେ ଯେତେ ହେବ

ତାହା ସବୁ ଫରମାଶରେ ଚାଲିବ

।।

ଏହାକହି ମାସକୁ ହଜାରେ ଟଙ୍କା ଦେଲେ

ଭିତର କଥା ଚାଳି ବର୍ତ୍ତମାନ ଦେଲେ

।।

ବଳିବାର ଟଙ୍କାରେ ଦେଉଳ ସଜାଡ଼ିଲେ

ପ୍ରତିଷ୍ଠା କରି ବାସୁଦେବଙ୍କୁ ବସାଇଲେ

।।

ତାଙ୍କ ଉତ୍ତର ପଟରେ ଗୋଟିଏ ଦେଉଳ

ନିର୍ବାହ କରାଇଲେ ଭଞ୍ଜ ନରପାଳ

।।

କପିଳେଶ୍ଵର ବୋଲି ଲିଙ୍ଗେକ ସ୍ଥାପନା

କଲେ ହରଷରେ ସେ ନୃପ ମହାମନା

।।

ବିଜେ ଲକ୍ଷ୍ମଣ ଶରଣପୁର ନାମରେ

ଶାସନ ବସାଇଲେ ସେ ନୃପ ଅତି ଖରେ

।।

ପ୍ରତାପ ଲକ୍ଷ୍ମଣପୁର ନାମରେ ଏକ

ଶାସନ ବସାଇଲେ ସେ ନୃପ ତିଳକ

।।

ବୀର ଲକ୍ଷ୍ମଣପୁର ଶ୍ରୀ ବାସୁଦେବପୁର

ନାମେ ବେନି ଶାସନ କଲେ ନରବର

।।

ବେବର୍ତ୍ତା କହିକରି ଲାଲାଙ୍କ ସିଉକାର

ଯାବତ ଅଧିକାର କଲେ ଏ ଗୁମସର

।।

ମାସକୁଟି ହଜାର ଲେଖାରେ ଟଙ୍କା ଦେଲେ

କର୍ମୀନୀ ଜମାବନ୍ଦି ଦାଖଲ କରାଇଲେ

।।

ଗହଙ୍ଗୁ ଗ୍ରାମରେ ବଂଶୀ ମହାନ୍ତି ନାମରେ

କରିଣଥିଲେ ତାଙ୍କ ପୁତ୍ରକୁ ସତ୍ଵରେ

।।

ଡକାଇ ଚୈତନ୍ୟ ଖାନସମା ପଦ

ଦେଲେ ନୃପବର ବହି ଅତି ମୋଦ

।।

ଏ ବେନିଜନ ଏହିରୂପେ ବୁଲି ରାଜ୍ୟ–

ଜାକରେ ଟଙ୍କା ଜମା କଲେ ରୋଜ ରୋଜ

।।

ଏ ଉତ୍ତାରୁ ସୋରଡ଼ା କୁଞ୍ଜ ସିଂହଙ୍କର

ଝିଅକୁ ବିଭା ହେଲେ ଭଞ୍ଜ ନରବର

।।

ସତରଶ ଦଶ ଶକାବ୍ଦ ପର୍ଯ୍ୟନ୍ତରେ

ଲକ୍ଷ୍ମଣ ଭଞ୍ଜ ରଜା ହେଲେ ଗୁମସରେ

।।

ପ୍ରଧାନ ପ୍ରଜାମାନେ ସୁଖିତ ହୋଇଲେ

କେହି କାହାକୁ ଶଙ୍କା ଚିତ୍ତରେ ନକଲେ

।।

ଜୟ ମଙ୍ଗଳ ଭଞ୍ଜଙ୍କର ସେ କୁମର

ରଘୁନାଥ ଭଞ୍ଜ ନାମ ତାହାଙ୍କର

।।

ତାଙ୍କୁ ବହୁତ ସୁଖ ଦେଇଣ ରାଜନ

ରଖିଥିଲେ ଗୁମସର ରାଜ୍ୟେ ଘେନ

।।

ଏହି ଶକାବ୍ଦରେ କାଳକୁ ନବଳି

ସୁରପୁରେ ଚଳିଗଲେ ସେ ମହାବଳି

।।

ବେବର୍ତ୍ତାଙ୍କୁ କହିଲେ ମେଦିନିରା ଯାଇ

ପରଲୋକ ହୋଇଗଲେ ନରସାଇଁ

।।

ଯିବା ସମୟେ କହିଗଲେ ସେ ଆମ୍ଭଙ୍କୁ

ତୁ ଯାଇ କହିବୁଟି ଶୀଘ୍ରେ ବେବର୍ତ୍ତାଙ୍କୁ

।।

ରଘୁନାଥ ଭଞ୍ଜଙ୍କୁ ଗୁମସରେ ରାଜା

କରିବ ଆମ୍ଭଠାରେ ରଖି ତୁମ୍ଭ ମଜ୍ଜା

।।

ତାହା ଶୁଣି ବେବର୍ତ୍ତା ସିଉକାର କଲେ

ରାତ୍ର ଅନ୍ତେ ପାଲିଙ୍କିରେ ବସିଗଲେ

।।

ଶ୍ରୀକର ଭଞ୍ଜଙ୍କର ସଙ୍ଗରେ ସମସ୍ତେ

କଥା ହୋଇ କହିଲେ ସକଳ ବୃତାନ୍ତେ

।।

ତାଙ୍କୁ ସଙ୍ଗେ ଘେନି ରାଜ୍ୟକୁ ଆସିଲେ

କାହାଳୀ ବାଜିବାରୁ ସମସ୍ତେ ଜାଣିଲେ

।।

କାହାଳି ବାଜିବାର ଶ୍ରବଣେ ଶୁଣିଲେ

ଶୁଣି ମେଦିନୀରା ସ୍ତବଧ ହୋଇଲେ

।।

ଏ କି ଶବଦ ବୋଲି ବିଚାରକୁ କଲେ

ଶ୍ରୀକର ଭଞ୍ଜ ଅବା ଆସିଲେ ବୋଇଲେ

।।

ସଭୟ ହୋଇ ତାଙ୍କ ଛାମୁରେ ସମସ୍ତେ

ଦେଖା ହେଲେ ଭୟ ରଖି ନିଜ ଚିତ୍ତେ

।।

ରାଜକୂଳରେ ପର ଲୋକରେ ଧର୍ମ ଯାହା

ତାହା କଲେ ଶ୍ରୀକର ଭଞ୍ଜ ନରନାହା

।।

ଭୟ ସକାଶରୁ ମେଦିନୀରା ଆସି

ଦେଖା ନୋହିଲାଟି ହୋଇଣ ସାହସି

।।

ତାହା ଶୁଣି ଶ୍ରୀକର ଭଞ୍ଜ ରାଜା ରୋଷ–

କରି ଲୋକ ପେଶି ଘେନାଇଁ ଗଲେ ପାସ

।।

ଦଣ୍ଡ ବିହି ଶାଙ୍କୋଳି ଦେଇ ବନ୍ଦୀ କରି

ତା ଘରେ ଥିବା ଦ୍ରବ୍ୟ ସବୁ ନେଲେ ହରି

।।

ନାଥ ବେବର୍ତ୍ତାଙ୍କୁ ରାଜଗୁରୁ ପଦ

ଦେଲେ ଶ୍ରୀକର ଭଞ୍ଜେ ହୋଇଣ ଆନନ୍ଦ

।।

ଏପରି ସେ ବେନିଜନଙ୍କୁ ଗୁମସରେ

ଅଧିକାର କଲେ ନୃପଙ୍କ ଅନୁଜ୍ଞାରେ

।।

ସପ୍ତଦଶ ଶତ ଏଗାର ଶକାବ୍ଦରେ

ଶ୍ରୀକର ଭଞ୍ଜ ରଜା ହେଲେ ଗୁମସରେ

।।

ଏଥୁଅନ୍ତେ ମନଦେଇ ଶୁଣହେ ସୁଜନ

ଶ୍ରୀକର ଭଞ୍ଜ ଏଥି ହୁଅନ୍ତେ ରାଜନ

।।

ବେବର୍ତ୍ତା ରାଜଗୁରୁ ଠାରେ ଅଧିକାର

ଦେବାରୁ ସେ ଭୋଗ କଲେ ନିରନ୍ତର

।।

ଏକ ହଜାର ଟଙ୍କା ମାସକୁ ଧରି ଯାଇ

ରାଜାଙ୍କ ଛାମୁରେ ଦିଅନ୍ତି ସବୁ ଥୋଇ

।।

ରାଜନୀତି ମାନଙ୍କେ ଯାହା ଫରମାଶ

କରିଥାନ୍ତି ତା ନେଇ ଦିଅନ୍ତି ନୃପ ପାସ

।।

ଆଉ ଯେତେ ବିଷୟ ନିର୍ଭୟ ହୋଇକରି

କାହାକୁ ହିଁ ଶଙ୍କା ମନରେ ନଧରି

।।

ରାଜଗୁରୁ ପଦ ପାଆନ୍ତେ ବ୍ରାହ୍ମଣଙ୍କୁ

ଦ୍ଵେଷ କଲା ସର୍ବଦା ନକରି ବିବେକକୁ

।।

ତାଙ୍କଠାରୁ ସାନ ବ୍ରାହ୍ମଣମାନଙ୍କୁ

ନମସ୍କାର କରି ନକହେ କଥାକୁ

।।

ବୟୋଧିକ ଲୋକଙ୍କୁ ଆପେ ନମସ୍କାର

କଲା ଆଉ କାହାକୁ ନକରି ନଜର

।।

ବେବର୍ତ୍ତାକୁ ଶ୍ରୀକର ଭଞ୍ଜ ନମସ୍କାର

କଲେ ସ୍ନେହ ପୂରିତ ଥାଏ ନିରନ୍ତର

।।

ପୁରୁଷୋତ୍ତମପୁରିଆ ଦ୍ଵିଜ ସେ ଅଟନ୍ତି

ହେଲେ ଦାନୁଆଁ ଆଚରଣକୁ କରନ୍ତି

।।

ନ୍ୟାୟ ଅନ୍ୟାୟରେ ଯାବନ୍ତ ପର ବିତ୍ତ

ରାଜ୍ୟରୁ ସାଥିନେଇ କଲା କରଗତ

।।

କର୍ମାନୀ ଘର ଜମାବନ୍ଦିକି ନଦେଇ

ବାକି ଦ୍ରବ୍ୟ ଆପଣା ଘରରେ ରଖଇ

।।

ଭଞ୍ଜ ରଜା ଶୁଣି ମାନସରେ ତାକୁ

କ୍ରୋଧ ହୋଇ ନ କହନ୍ତି ବଚନକୁ

।।

ଏ ଅନ୍ତରେ କେତେ ଦିନରେ ଗଙ୍ଗାରେ

ମହା ମହା ବାରେଣୀ ଯୋଗ ପଡ଼ିବାରେ

।।

ଗଙ୍ଗା ସ୍ନାନ କରିବା ନିମନ୍ତେ ରାଜନ

ଯାଇ ସ୍ନାନ ଦାନ ବ୍ରାହ୍ମଣ ଭୋଜନ

।।

କରାଇଲେ ପ୍ରତି ଦିନ ମାନଙ୍କରେ

ଯେତେ କଥା କଲେ କେବଳ ସତ୍ କଥାରେ

।।

ଧୂଆଁ ଛାଇ ଗ୍ରାମ ବିପ୍ରଙ୍କୁ ଦେବାକୁ

ସଂକଳ୍ପ କଲେ ନୃପ ନମାନି କାହାକୁ

।।

ଏହିଠାରୁ ନୃପ ବାହୁଡ଼ି ଆସିଲେ

ରାଜ୍ୟେ ପ୍ରବେଶ ହୋଇ ରାଜ୍ୟାଧିକାର କଲେ

।।

ବେବର୍ତ୍ତାର ଅମାର୍ଗ ଦିନକୁ ଦିନ ବୃଦ୍ଧି

ହେବାର ଦେଖି ନୃପ ହୋଇ ଅତି କ୍ରୋଧି

।।

ତାଙ୍କୁ ବଚନକୁ କେବେ ନ କହନ୍ତି

ଗୁମାନକୁ ଆପଣା ମାନସେ ରଖିଥାନ୍ତି

।।

କୁଲାଡ଼ରେ ରନ୍ନେଶ୍ଵରଙ୍କ ମଣ୍ଡପ

ନିର୍ବାହ କରାଇଲେ ତତ୍କାଳରେ ନୃପ

।।

ଧନଞ୍ଜୟ ପୁରରେ ବେନି ମଣ୍ଡପକୁ

କଲେ ନୃପବର ବହି ଆନନ୍ଦକୁ

।।

ଏକ ବାଲୁଙ୍କେଶ୍ଵର ବେନି ହନୁମାନ

ବସାଇଲେ ମଧ୍ୟ ନୃପଙ୍କ ମଣ୍ଡନ

।।

ରାଇପଡ଼ା ବାଲୁଙ୍କେଶ୍ଵରଙ୍କ ନିମନ୍ତେ

ଏକ ମଣ୍ଡପ ନିର୍ଭା କଲେ ସେ ନୃପତେ

।।

ପାଇଲିପଡ଼ା ଦଧିବାମନଙ୍କ ପାଇଁ

ମଣ୍ଡପ ନିର୍ଭା କଲେ ଭଞ୍ଜ ନରସାଇଁ

।।

ବାଲିପଦରରେ ଏକ ମଣ୍ଡପ ତୟାର

କଲେ ହରଷରେ ଭଞ୍ଜ ନରବର

।।

ବେବର୍ତ୍ତା କରିବାର ଅନ୍ୟାୟ ଶୁଣନ୍ତେ

ବିଚାରିଲେ ନୃପତି ଆପଣାର ଚିତ୍ତେ

।।

ଦ୍ଵିଜ ହୋଇ ଆମ୍ଭ ରାଜ୍ୟରୁ ରୁପିଆ

ସାଧି ରଖିଲା ଘରେ କେଡ଼େ ତାର ହିଆ

।।

ଆଜଦିନ ସରିକି ଲକ୍ଷେ ଟଙ୍କା ବାକି

ହୋଇଲା କି ବିଚାର କରିବା ଏଥିକି

।।

ଘାଟ ପଠିଆଇ ନବାବ ବେବର୍ତ୍ତାକୁ

ଗଞ୍ଜାମକୁ ନେଲେ ନକରି ବିଳମ୍ବକୁ

।।

ଟଙ୍କା ଦିଅ ବୋଲି ଘାଟରେ ରଖିଲେ

ପୁଣି ଘାଟ ପେଶି ଚ୍ୟାଉକୁ ଘେନିଗଲେ

।।

ଶ୍ରୀକର ଭଞ୍ଜ ରଜା ପାଖେ ଥିବା ଭଲ

ଲୋକଙ୍କୁ ବସାଇଣ କହିଲେ ଛାଡ଼ି ଗେଲ

।।

ମୁଠା କରଣ କାର୍ଯୀମାନଙ୍କୁ ଡକାଇ

ବିଚାରି ତାଙ୍କୁ ପଚାରିଲେ ନରସାଇଁ

।।

ବେବର୍ତ୍ତା ରାଜ୍ୟରୁ ଟଙ୍କା ସାଧି ନେଲା

ସରକାର ଜମାବନ୍ଦିକି ନଦେଲା

।।

ବାକି ଟଙ୍କାଯାକ ଗୃହରେ ରଖିଲା

ଏ ସରିକି ଲକ୍ଷେ ଟଙ୍କା ବାକି ହେଲା

।।

ଆମ୍ଭେ ସେ ଟଙ୍କାଙ୍କୁ ଜାମିନ ହୋଇବାକୁ

ରୁଜ୍ଜୁ ହେବା ଚାଲ ନକରି ବିଳମ୍ବକୁ

।।

ତହିଁକି କାର୍ଯୀ ଭଲ ଲୋକେ ସନମତ

କଲେ କରଣ ମଧ୍ୟ ହୋଇ ସନମତ

।।

ସେହି ସମୟରେ ଫରମାସ ଘେନି

ଆସି ପରବେଶ ହେଲେ ପାଇକ ବେନି

।।

ଦେଖାଇଣ ରଜାଙ୍କୁ ବୋଇଲେ ଗଞ୍ଜାମକୁ–

ଚାଲ ନବାବ କରିଅଛନ୍ତି ହୁକୁମକୁ

।।

ତାହା ଶୁଣି ରଜା ହରଷ ହୋଇଲେ

ଭଲ ଲୋକମାନଙ୍କୁ ସଙ୍ଗତେ ଧଇଲେ

।।

ଆଠ ବରଷ ଲେଖା ବେବର୍ତ୍ତାଙ୍କ ମୂଳେ

ଯେତେ ଦେଇଥିଲେ ସେ ଲେଖା ସମ୍ପାଦିଲେ

।।

କାର୍ଯୀ କରଣମାନେ ସେ ଲେଖା ଦେଖିଲେ

ନୃପଙ୍କର ଛାମୁରେ ତାହା ନେଇ ଦେଲେ

।।

ପୁରୁଷୋତ୍ତମପୁର ଠାକୁ ତ ନବାବ

ଆସି ରହିଥିଲେ କରି ତହିଁ ଠାବ

।।

ସେଠାବରେ ନୃପତି ଶୀଘ୍ର ଦେଖା ହେଲେ

ସେହିଠାରେ ବସା କରିଣ ରହିଲେ

।।

ଦୁଇଲକ୍ଷ ଟଙ୍କା ଦେଶରୁ ସାଧନ

ହେବାର ଶୁଣି ନୃପ ହେଲେ ହୃଷ୍ଟମନ

।।

ନବାବଙ୍କୁ କହି ବେବର୍ତ୍ତାଙ୍କ ଲେଖା

ରୁଜ୍ଜୁ କରାଇଲେ ନୃପତି ବସି ଏକା

।।

ବାକି ଟଙ୍କା ଦିଅ ବୋଲି ବେବର୍ତ୍ତାଙ୍କୁ

ଗଞ୍ଜାମରେ ରଖିଲେ କରି ନଜରକୁ

।।

ରଜାଙ୍କ ମୂଳେ ତାଲୁକାକୁ ସମର୍ପିଲେ

ରାଜ୍ୟକୁ ଯାଅ ବୋଲି ପଠିଆଇ ଦେଲେ

।।

ଦଇବରେ ସେ ସମ୍ବତ୍ସରରେ ଟଙ୍କାକୁ–

ଛକୋଡ଼ି ଧାନ ହେଲା ଆଣ ହେ ମନକୁ

।।

ଦ୍ଵାନ ପଟ୍ଟନାୟକ ଚୈତନ୍ୟ ଚ୍ୟାଉକୁ

ରାଜ୍ୟେ ପାତ୍ର କଲେ କରି ବିଚାରକୁ

।।

କରନ୍ତେ ସେ ଦୁହେଁ ରାଜ୍ୟରେ ବୁଲି ବୁଲି

ଅଳ୍ପ ଟଙ୍କା ସାଧିଲେ ସାଙ୍ଗରେ ଘାଟ ଧରି

।।

ତାହାଙ୍କୁ ଗଞ୍ଜାମ ଗ୍ରାମକୁ ପେଶିଦେଲେ

ହେଲେ ଗୋଟିଏ କିସ୍ତିକି ସମ୍ପୂର୍ଣ୍ଣ ନକଲେ

।।

ପୁଣି ତହିଁ ଉତ୍ତାରୁ ଟଙ୍କାଟିକୁ ଧାନ

ଦଶ କୋଡ଼ି ହେଲା ଶୁଣ ହେ ସୁଜନ

।।

ଏ ସକାଶୁ କିସ୍ତି ପ୍ରକାରେ ଟଙ୍କାମାନ

ସାଧନ ହୋଇଲାଟି ଦେଶରୁ ମନେ ଘେନ

।।

ନବାବଙ୍କ ଠାରୁ ପାଇକ ଆସିଲେ

ଟଙ୍କା ନିମିତ୍ତରେ ତକରାର କଲେ

।।

ସେ ଉତ୍ତାରୁ ବାଲନା ପଣ୍ଡିତ ଆସିଲେ

ସଙ୍ଗତରେ ପାଇକ ପଞ୍ଚାଶ ଜଣ ଥିଲେ

।।

ଗୁମସର ଗଡ଼ରେ ପରବେଶ ହୋଇ

ଅତି ତୋରା ହୋଇ ନହର ଦ୍ଵାରେ ଯାଇ

।।

ରାଜାଙ୍କୁ ଡାକି କରି ବୋଇଲେ ଟଙ୍କା ଦିଅ

ଥିବା ବାକିଯାକ ବେବାକ କରାଅ

।।

ରଜା ଯେତେପରି କହିଲେ ଦେଲେ ତାଙ୍କୁ

ନ ଘେନିଲେ ମନେକରି ଗୁମାନକୁ

।।

ବେବାକରେ ଟଙ୍କା ଦେଲେ ଲୋକ ଧରି

ବାହାରିଯିବୁ ଏଥି ନରହି ଦଣ୍ଡଧାରୀ

।।

ନୃପ ଶୁଣି ଏହା ବିଚାରକୁ କଲେ

ସେହିରାତିରେ କୁଟୁମ୍ବଙ୍କୁ କାଢ଼ିଦେଲେ

।।

ନହର ଛାଡ଼ିଯାଇ ରହିଲେ ବାରୁଡ଼ାରେ

ଦଣ୍ଡେ ରହି ସେଠାରୁ ପ୍ରବେଶ ବଦାଙ୍ଗିରେ

।।

ନବାବ ହୁଜରୁକୁ ଅରଜି ଲେଖିଲେ

ଖାଉଁଦ ଘର ଏହା ଶୁଣିବା ହୋଇଲେ

।।

ଟଙ୍କାଟିକୁ ଧାନ ଦଶ କୋଡ଼ି ହେଲା

ଦେଶରୁ ଟଙ୍କାଟିଏ ସାଧନ ନୋହିଲା

।।

ତୁମେ ତ ଆମଠାକୁ ବାଲାନା ପଣ୍ଡିତଙ୍କୁ

କ୍ରୋଧ ହୋଇ ପେଶିଲ ଦେଇ ପିଆଦାଙ୍କୁ

।।

ସେ ଆସିଣ ଆମ୍ଭ ଦୁଆରେ ବସିଲେ

ପାଣି ଅଗେରା ସରଞ୍ଜାମ ନ ଛାଡ଼ିଲେ

।।

ଆମ୍ଭେ ଏ ମାର୍ଗ ଦେଖି ନହର ଛାଡ଼ିଦେଲୁ

ଗାଲେରୀ ମୁଠା ବଦାଙ୍ଗି ଗ୍ରାମରେ ରହିଲୁ

।।

ଆମ୍ଭଙ୍କୁ ରକ୍ଷା କରିବାର କର୍ତ୍ତା ତୁମ୍ଭେ

ଏହି ଘେନି ଅର୍ଜି ଲେଖିବାର ଆମ୍ଭେ

।।

ଆସିବାର ଖନ୍ଦରେ ଟଙ୍କା ପରବେଶ–

କରିବୁ ଏ କଥାରେ ନକର ସନ୍ଦେଶ

।।

ଘନ ପଟ୍ଟନାୟକ ଚୈତନ୍ୟ ଚିଆଉ

ଯେତେ ଟଙ୍କା ସାଧିଲେ ଗୋଟିଏ ନାହିଁ ଆଉ

।।

ସେସବୁ ସରିଗଲା ରଜାଙ୍କ ବୟରେ

ଗୋଟିଏ ଟଙ୍କା ଆଉ ନାହିଁ ଗନ୍ତାଘରେ

।।

ପୁଣି ତୀର୍ଥ କରିଯିବାକୁ ନରବର

ମାନସରେ ବିଚାର କଲେକ ସତ୍ଵର

।।

Unknown

ପୁତ୍ର ଧନଞ୍ଜୟ ଭଞ୍ଜଙ୍କୁ ଚଉଦ–

ବରଷ ହୋଇଥିଲା ଏ ଘେନି ନରଦେବ

।।

ରାଜଶାଢ଼ୀ ପୁଅକୁ ଦେବା ବୋଲିକରି

ବିଚାରିଲେ ପାତ୍ର ଭଲ ଲୋକ ଧରି

।।

ଦେଶ କାର୍ଯ୍ୟୀ କରଣ ପଧାନ ଡାକିଲେ

ବସାଇଣ ପୁଅକୁ ରାଜ ଶାଢ଼ୀ ଦେଲେ

।।

ଭାଇ ପୁଅଙ୍କ ପାଶେ ବସିଲେ ସେ ଯାଇ

ଏରୂପେ ତହିଁ କେତେ ମାସ ଗଲା ବହି

।।

କାହାକୁ ନକହିଣ ବଜ୍ରକୁ ଗମନ

କରିବାକୁ ବିଚାର କଲେକ ରାଜନ

।।

ମକୁନ୍ଦ ପରିଚ୍ଛା ଆଦି ଲମତାଏ

ସଙ୍ଗରେ ଗୋଡ଼ାଇଲେ ରଜାଙ୍କର ଶ୍ରେୟେ

।।

କାହାକୁ ଦେଖା ନ ଦେଇଣ ଉଦ୍‌ବେଗରେ

ଗଲେ ବଉଦ ସମ୍ବଲପୁରର ରାସ୍ତାରେ

।।

ସେ ଉତ୍ତାରୁ କେନ୍ଦୁଝରକୁ ଗଲେ ଖରେ

ସେହିଠାରୁ ଚଳିଲେ ସେ ବ୍ରଜ ରାସ୍ତାରେ

।।

ସତରଶ ଏକ ବିଂଶ ଶକାବ୍ଦରେ

ଶ୍ରୀକର ଭଞ୍ଜ ରଜା ନୋହି ଗୁମସରେ

।।

ବୃନ୍ଦାବନ ଗଲେ ହରଷ ମାନସରେ

ତହିଁ ପ୍ରବେଶ ହେଲେ ବତିଶ ଦିନରେ

।।

ଧନଞ୍ଜୟ ଭଞ୍ଜ ନୃପତି ହୁଅନ୍ତେ

ଚୈତନ୍ୟ ଚ୍ୟାଉଙ୍କୁ କହିଲେ ଏକାନ୍ତେ

।।

ବିଦେଶକୁ ବେଗେ ତସକର ପେସ

ଧନୀମାନଙ୍କର ଧନ ଘେନି ଆସ

।।

ନହରରେ ଥାଇ ଟୋକାଟୋକୀ ସଙ୍ଗେ

ପ୍ରବର୍ତ୍ତିଲେ ଉନ୍ମାଦ ପରାଏ ନାନାରଙ୍ଗେ

।।

ଭଗବାନ ସିଂହ ଲାଚ୍ଛନା ଜମାଦାର

ଏ ଦୁହେଁ ମିଶି ଆସିଲେଟି ଗୁମସର

।।

ପଟଲାମ ମଧ୍ୟ ପଳାଇ ଆସିଲେ

ବେନି କର୍ମାନୀ ସହିତରେ ଜାଣ ଭଲେ

।।

ଧନଞ୍ଜୟ ଭଞ୍ଜ ରଜାଙ୍କ ଛାମୁରେ

ଆସିକରି ଦେଖା ହୋଇଲେ ନିର୍ଭୟରେ

।।

ନୃପଙ୍କର ଠାରୁ ସମ୍ଭାବନା ପାଇ

ନିଶ୍ଚିନ୍ତ ହୋଇକରି ରହିଲେ ଜାଣ ସେହି

।।

ଧନଞ୍ଜୟ ଭଞ୍ଜଙ୍କର ଆଦେଶରେ

ସିପାହୀ କଲେ ତିନି ଶହକୁ ହରଷରେ

।।

ଇଙ୍ଗିରାଜି ନଳି ଡାବାସୁ ଧରାଇଲେ

ବେଶ କରି ଧାଇଁ ଯୁଦ୍ଧ ଶିକ୍ଷା ଦେଲେ

।।

ଏହିପରି ସମ୍ବତ୍ସରକୁ ଶେଷ କଲେ

ମୋ କହିବାର ଜନେ ଜାଣ ଏବେ ଭଲେ

।।

ରାମଚନ୍ଦ୍ର ପରମ ଗୁରୁଙ୍କୁ ରାଜଗୁରୁ

ପଦ ଦେଲେ ରାଜା ନୋହି କିଛି ଗରୁ

।।

ବ୍ରାହ୍ମଣମାନଙ୍କୁ ସର୍ବ ଅଧିକାର

ଦେଲେ ବଡ଼ କରି ଜାଣ ହେ ନରବର

।।

ଚୈତନ୍ୟ ଚ୍ୟାଉଠାରେ ତାଙ୍କର ତ ରୋଷ

ପୁରି ରହିଥାଏ ନିରତେ ମାନସ

।।

ବହୁତ ପଦାର୍ଥ ସେ ବୟ କଲେ ବୋଲି

ରଜାଙ୍କୁ କହୁଥାନ୍ତି ନିତି ପେଲି ପେଲି

।।

ପଞ୍ଚଦଶ ସହସ୍ର ଟଙ୍କା ତାଙ୍କ ଘରେ

ଅଛି ତୁମ୍ଭେ ଘେନି ପଳାଅ ନିରନ୍ତରେ

।।

ସେକଥା ଶୁଣି ନୃପ ତାଙ୍କୁ ବନ୍ଦ କଲେ

ଦ୍ଵାନ ପଟ୍ଟନାୟକଙ୍କୁ ଡକାଇଲେ

।।

ରାଜଗୁରୁ ତୁମ୍ଭେ ଦୁହେଁ ଅଧିକାର

କର ହରଷରେ ଭୟ କରି ଦୂର

।।

ଚଇତନ ଚ୍ୟାଉକୁ ଟଙ୍କା ଦିଅ ବୋଲି

ସାଙ୍କୋଳି ଦେଲେ ନୃପ ଅଟନ୍ତି ମହାବଳି

।।

ଏଥୁ ଅନନ୍ତରେ ଶ୍ରୀକର ଭଞ୍ଜ ଈଶ

ତୀର୍ଥଯାତ୍ରା କରନ୍ତେ ସମ୍ପୂର୍ଣ୍ଣ ବରଷ

।।

କାଶୀ ପ୍ରୟାଗ ଆଦି ମଥୁରା ବୃନ୍ଦାବନ

ତୀର୍ଥ କରି ତେରମାସ ହୁଅନ୍ତେ ସମ୍ପୂର୍ଣ୍ଣ

।।

ଶ୍ରୀକର ଭଞ୍ଜ ରଜା ରାଜ୍ୟରେ ଆସି ହେଲେ

ପୁଅଙ୍କ ଠାରୁ ଲେଖା ବାଟରୁ ଲେଖିଲେ

।।

ଚଇତନ ଚ୍ୟାଉକୁ ପଠିଆଇ ଦେବ

ସେ ଆସି ଆମ୍ଭେ ସଙ୍ଗେ କଥା ହୋଇ ଯିବ

।।

ସେ ଉତ୍ତାରୁ ଆମ୍ଭେ ଯିବୁ ତ ରାଜ୍ୟକୁ

ଏହିପରି ପତ୍ରିକା ଲେଖିଲେ ପୁଅଠାକୁ

।।

ସେ ପତ୍ରିକା ପଢ଼ି ପୁଅ ଶଙ୍କା କଲେ

ଚଇତନ ଚ୍ୟାଉକୁ ବନ୍ଦୀରୁ ଫିଟାଇଲେ

।।

ତାଙ୍କୁ ବହୁତ କରି କହିଲେ ରାଜନ

କିଛି ମଧ୍ୟ ଆଉ ନକଲେ ସମାଧାନ

।।

ଜଗନ୍ନାଥ ଆଚାରୀ ଗୋସାଇଁଙ୍କୁ ଡାକି

ଚ୍ୟାଉ ସଙ୍ଗେ ପୋଷିଲେ ଦଦାଙ୍କ କତିକି

।।

ଦଦାଇଙ୍କି ସତ୍ଵରେ ଆଣିବ ବୋଲି କହି

ଚ୍ୟାଉ, ଗୋସାଇଁ ଗଲେ ନୃପ ଥିଲେ ଯହିଁ

।।

ଖଣ୍ଡପଡ଼ାଠାକୁ ଶୀଘ୍ର ଚଳିଗଲେ

ମହନ୍ତ ରାଜନକୁ ଦରଶନ କଲେ

।।

ଯାବନ୍ତ ସମାଚାର ତାଙ୍କ ଶ୍ରୀଛାମୁରେ

ଜଣା ମଣା କଲେ ଅତି ବିନୟରେ

।।

ଚିଆଉ ଏକାନ୍ତରେ ନୃପଙ୍କୁ କହିଲେ

ନୃପ ଶୁଣି ଅତ୍ୟନ୍ତରେ କ୍ରୋଧ ହେଲେ

।।

ତାଙ୍କ ସଙ୍ଗେ ଥିବା ବୈଷ୍ଣବମାନଙ୍କୁ

ସଙ୍ଗେ ଘେନି ଆସିଲେ ଆପଣା ରାଜ୍ୟକୁ

।।

ଦଶପଲ୍ଲା ରଜା, ଖଣ୍ଡପଡ଼ା ନୃପ

ନରସିଂହପୁର ହରିଚନ୍ଦନ ଭୂପ

।।

ଏ ତିନି ନୃପତିଙ୍କୁ ସଙ୍ଗତେ ଧରିଲେ

ଗୁମସର ରାଜ୍ୟେ ଆସି ପରବେଶ ହେଲେ

।।

ମାର୍ଗରେ ଯାଇକରି ଭେଟିଲେ ନନ୍ଦନ

ସପ୍ତଦଶ ଶତଦ୍ଵାବିଂଶ ଶକାବ୍ଦରେ ଘେନ

।।

ତହୁଁ ଆସି କୋକବାରେ ପ୍ରବେଶ

ବାରୁଡ଼ା ତୋଟାଠାରେ ମିଳିଲେ ନରେଶ

।।

କୁଲାଡ଼ରୁ ଆସି ଧନଞ୍ଜୟ ଭଞ୍ଜେ

ସଙ୍ଗତରେ ଥିଲେ ଦେଖା ହେବା ସଜେ

।।

ଅତି କ୍ରୋଧରେ ବାଣୀ ତାଙ୍କୁ ନରମଣୀ

କହିଲେ ଆମ୍ଭେ ଯେତେ ଶିକ୍ଷା ଦେଲୁ ପୁଣି

।।

ସେକଥାକୁ କେବେ ମନରେ ନ ଘେନିଲ

କର୍ମାନୀ ଘର ଟଙ୍କା ଗୋଟିଏ ନଦେଲ

।।

ଅନ୍ୟାୟ କଥାଯାକ ବସି ବିଚାରିଲ

ଧର୍ମାର୍ଥ ବିଷୟରେ ଚିତ୍ତ ନ ଥୋଇଲ

।।

ପଟଲାମ ପକାଇ ଆସିଲେ ଜମାଦାର

ତାଙ୍କୁ ପାଶେ ରଖିଲ କରି କି ବିଚାର

।।

ଶୁଣି କର୍ମାନୀ ଘର ଡମ୍ବରୁ ବଇଁଶୀ

ବାଜା ବଜାଇବାରେ ହେଲେ ମନେ ଖୁସି

।।

ଗୁମସରୁ କେତେ ମିଶାଇଣ ଲୋକ

ପାଞ୍ଚ କର୍ମୀନୀ କଲ ଛାଡ଼ି ମନୁ ଦକ

।।

ପର ରାଜ୍ୟକୁ ତସକର ପଠାଇଣ

ଧନ ଲୁଟି ଆଣିଲ ଏକ ତୁମ ଗୁଣ

।।

ଗୋସାଇଁ ସେ ପାଖେ ଥିଲେ ସେ ତୁମଙ୍କୁ

କିଛି ନକହିଲେ ବିଚାରି କଥାକୁ

।।

ଅତି ଦୁର୍ମାର୍ଗ କଥାରେ ଚାଲିଲ

ତୁମକୁ ଶିକ୍ଷା ତେଣୁ ଦେବା କଥା ମୂଳ

।।

ଏମନ୍ତେ କହିକରି ବାରୁଡ଼ା ତୋଟାଠାକୁ

ଶୀଘ୍ରେ ଶ୍ରୀକର ଭଞ୍ଜ କଲେ ଗମନକୁ

।।

ରାମଚନ୍ଦ୍ର ପରମ ଗୁରୁଙ୍କୁ ପଦ ଦେଇ

ଥିଲେ ଧନଞ୍ଜୟ ଭଞ୍ଜ ନରସାଇଁ

।।

ଶ୍ରୀକର ଭଞ୍ଜ ତାଙ୍କଠାରେ କ୍ରୋଧ ହେଲେ

ସାଙ୍କୋଳି ଦେଇ ବନ୍ଦୀ କରିଣ ରଖିଲେ

।।

ଲେଖା ବୁଝିକରି ତାଙ୍କଠାରୁ ଟଙ୍କା

ଘେନି ପକାଇଲେ ନକରି ତାଙ୍କୁ ଶଙ୍କା

।।

ଦୁର୍ଗା ପ୍ରସାଦରେ ତ ଭିତର ଲୋକ ଥିଲେ

ସେହିଠାକୁ ଶ୍ରୀକର ଭଞ୍ଜ ଚଳିଗଲେ

।।

ଧନଞ୍ଜୟ ଭଞ୍ଜ ରଜାଙ୍କ ଆଚରଣ

ଭିତର ଲୋକଠାରୁ ଶୁଣିଲେ ରାଜନ

।।

ଶୁଣି ନୃପତିକ୍ରୋଧ ହୋଇ ବାରୁଡ଼ାରେ

ପରବେଶ ହେଲେ ବିରସ ମାନସରେ

।।

ଏଥୁଅନ୍ତେ ଶୁଣ ସୁବୁଦ୍ଧି ନରଗଣ

ଧନଞ୍ଜୟ ଭଞ୍ଜଙ୍କର ଆଚରଣ

।।

ଭିତର ଲୋକଙ୍କର ଠାରୁ କଥା ଶୁଣି

କ୍ରୋଧ ହେଲେ ଶ୍ରୀକର ଭଞ୍ଜ ନରମଣି

।।

ପିଲା ନମତା ଯେତେ ଥିଲେ କ୍ରୋଧ ହେଲେ

ଦେଖିଲେ ମାଡ଼ ମାରିବାକୁ ଇଚ୍ଛା କଲେ

।।

ତିଳା ବୋଲି ଏକ ନାମ ତାର ଥିଲା

ସେ ଯାଇ ନୃପଙ୍କର ଛାମୁରେ ଦେଖା ହେଲା

।।

ତାଙ୍କୁ ଦେଖି ନୃପତି ଅତିକ୍ରୋଧ ହେଲେ

ଦଣ୍ଡ, କରେ ଧରି ତା ଉପରେ ପିଟିଲେ

।।

ସେହିକ୍ଷଣି ସେଠାରୁ ନମତା ପଳାଇଲା

ସବୁକଥା ଧନଞ୍ଜୟ ଭଞ୍ଜଙ୍କୁ କହିଲା

।।

ତାଙ୍କ ପାଖରେ ଯେତେ ଥିଲେ ଦୁଷ୍ଟ ନର

ତାଙ୍କୁ ଘେନିକରି କଲେକ ବିଚାର

।।

ସେହିକ୍ଷଣି ତାଙ୍କୁ ସଙ୍ଗତେ ଧଇଲେ

ନୁଆଁ ଗଡ଼ ରାଜ୍ୟକୁ ଶୀଘ୍ରେ ପଳାଇଲେ

।।

ତାହା ଶୁଣି ଶ୍ରୀକର ଭଞ୍ଜ ଜଗନ୍ନାଥ–

ପ୍ରସାଦକୁ ଗଲେ କପାଳେ ମାରି ହାତ

।।

ଜଗନ୍ନାଥ ଆଚାରୀ ଗୋସାଇଁ, ଗୋପି ସିଂହ

ଏ ଦୁହିଁଙ୍କୁ ପେଷିଲେ ପୁଅକୁ ଆଣିଯାଅ

।।

ନୁଆଗଡ଼ ପର୍ଯ୍ୟନ୍ତ ଏ ଦୁଇଜଣ ଗଲେ

ବହୁତ କରି ପୁଅ-ରଜାଙ୍କୁ କହିଲେ

।।

ଧନଞ୍ଜୟ ଭଞ୍ଜେ ତାହା ନ ଘେନିଲେ

ନୁଆଁ ଗଡ଼ ମାନଧାତାଙ୍କୁ ଦେଖା ହେଲେ

।।

ମାନଧାତା ଭଞ୍ଜଙ୍କୁ ଗଡ଼ରେ ବସା ଦେଲେ

ରାଜ ମର୍ଯ୍ୟଦା ତାଙ୍କଠାରେ ଚଳାଇଲେ

।।

ତାଙ୍କ ସଙ୍ଗେ ଏକାନ୍ତରେ କଥା ହେଲେ

ମାନଧାତା କଥାଏ ନିଶ୍ଚୟ କରିଲେ

।।

ତୁମ୍ଭଙ୍କୁ ଆମ୍ଭ ଜ୍ୟେଷ୍ଠ ଝିଅଙ୍କୁ ବିବାହ

କରାଇବୁ ଏକଥାରେ ନାହିଁଟି ସନ୍ଦେହ

।।

ଅଳସୁ, କମସର ଆମ୍ଭଠାରେ ତୁମ୍ଭେ

ଲେଖିଦିଅ ତୁମ୍ଭଙ୍କୁ ସାହାଯ୍ୟ ହେବୁ ଆମ୍ଭେ

।।

ବସାଇବୁ ନେଇ ତୁମ୍ଭଙ୍କୁ ଗୁମସରେ

ତା ଶୁଣି ପୁଅ-ରଜା ହରଷ ମାନସରେ

।।

ସେହିରୂପେ ପତ୍ର ଖଣ୍ଡିଏ ଲେଖିଦେଲେ

ସୀତାରାମ ଭଞ୍ଜେ ତ ସଙ୍ଗତରେ ଥିଲେ

।।

ସେହିଠାରୁ ଖଣ୍ଡପଡ଼ାକୁ ସେ ଗଲେ

ଦିନେ ରହି ଦଶପଲ୍ଲାକୁ ଆସିଲେ

।।

ଶ୍ରୀକର ଭଞ୍ଜ ନୃପ ପୁତ୍ର ଆସିବାର

ଶୁଣି କ୍ରୋଧ ହୋଇ ବିଚାରି ମାନସର

।।

ଚନ୍ଦ୍ରିଆ ନମତାକୁ ଶୀଘ୍ରରେ ପେଶିଲେ

ଦଶପଲ୍ଲାଠାକୁ ଚିଟାଉ ଲେଖିଲେ

।।

ଆମ୍ଭ ପୁତ୍ରକୁ ବେଗେ ପଠିଆଇ ଦେବ

ଏକଥାରେ ସଂସୟ କେବେ ନକରିବ

।।

ତା ଶୁଣି ଦଶପଲ୍ଲା ରାଜନ କହିଲେ

ଧନଞ୍ଜୟ ଭଞ୍ଜେ କେବେ ନଘେନିଲେ

।।

ଶ୍ରୀକର ଭଞ୍ଜ ରଜା କହିଥିଲେ ଯାହା

ନମତାର କଥା ଶୁଣିଲେ ନାହିଁ ନରନାହା

।।

ସେହିକ୍ଷଣି ନମତା ଚନ୍ଦ୍ରିଆ ବାହୁଡ଼ିଲା

ଶ୍ରୀକର ଭଞ୍ଜଙ୍କୁ ସେ ସମସ୍ତ କହିଲା

।।

ତାହା ଶୁଣି ନୃପତି ଦୁଃଖିତ ହୋଇଲେ

ଧନଞ୍ଜୟ ଭଞ୍ଜେ ସେଠାରୁ ପଳାଇଲେ

।।

ଖଣ୍ଡପଡ଼ା ଡେଇଁ ନୁଆଁଗଡ଼ ଯାଇ

ମାନ୍ଧାତାଙ୍କ ଠାରୁ କିଛି ଶିକ୍ଷା ପାଇ

।।

ଦୁଷ୍ଟ ଲୋକ ଗୋଟା କେତେ ମେଳ କଲେ

ବାଣପୁରରେ ଯାଇ ପରବେଶ ହେଲେ

।।

ସେଠାରୁ ପୁନିପଡ଼ା ମାର୍ଗରେ ପ୍ରବେଶ

ଗୁମସରେ ଯାଇ ମିଶଲେ ନରେଶ

।।

ବୁଗୁଡ଼ା ମୁଠା କାନକୁଟୁରୁ ଗ୍ରାମରେ

ଯାଇ ପ୍ରବେଶ ହେଲେ ଯାମିନୀ ଅର୍ଦ୍ଧରେ

।।

ନିଳା ପାତ୍ର କୁମୁଟି ଘରକୁ ଲୁଟିଲେ

ତାର ପୁଅକୁ ମଧ୍ୟ ବାନ୍ଧି ଘେନିଗଲେ

।।

ତହୁଁ ଆସି ପଙ୍କାଳ ସାହିରେ ରହିଲେ

ବ୍ରାହ୍ମଣ ରଘୁ ମହାପାତ୍ରଙ୍କୁ ଡକାଇଲେ

।।

କିଛି ଫରମାସ ତାହାଠାରୁ ନେଲେ

ତାକୁ କିଛି ଉପଦ୍ରବକୁ ନଦେଲେ

।।

ସେହିହଣି ଦଣ୍ଡେ ନ ରହିଣ ଗଲେ

କରଚୁଲିରେ ଯାଇ ପରବେଶ ହେଲେ

।।

ସେହି ରାତ୍ର ରାତ୍ର ଲୋକ ଚଳିଗଲେ

କୁଲାଡ଼ ଗଡ଼େ ଯାଇ ପରବେଶ ହେଲେ

।।

ବାନ୍ଧିନେବା, ଘର ଲୁଟି କରିବାର

ମହନ୍ତ ରାଜା ଆଗେ କହିଲା ଯାଇ ଚାର

।।

ଶ୍ରୀକର ଭଞ୍ଜ ତାହା ଶୁଣି କ୍ରୋଧ ହେଲେ

ସେହିକ୍ଷଣି ପାଞ୍ଚଶ ପାଇକ ପେଶିଲେ

।।

କରଚଲି ଠାରେ ଯାଇଣ ଦେଖିଲେ

ଯୁଦ୍ଧ କରନ୍ତେ ସେଠାରେ କେତେ ଲୋକ ମଲେ

।।

କେ ପଳାଇ ପୁନିପଡ଼ାରେ ଲୁଚିଲେ

ଲୁଟିବା ଦ୍ରବ୍ୟ ପାଇ ସେଠାରୁ ଆଣିଲେ

।।

କେତେ ଲୋକଙ୍କୁ ମଧ୍ୟ ଯତ୍ନରେ ଧଇଲେ

ଫେରିଯାଇ କୁଲାଡ଼ ଗଡ଼ରେ ରହିଲେ

।।

ନୃପତିଙ୍କ ଛାମୁରେ ସମସ୍ତ କହିଲେ

ଧରି ଯିବା ଲୋକଙ୍କୁ ବନ୍ଦୀ କରାଇଲେ

।।

ଧନଞ୍ଜୟ ଭଞ୍ଜେ ଲୁଚିଣ ରହିଲେ

ଯୋଗୀନାଥ ଭଞ୍ଜେ ତାଙ୍କ ସଙ୍ଗେ ଥିଲେ

।।

ଯୋଗୀନାଥ, ମେଦିନିରା, ଆଲା ସିଂହ

ନାଥଗୁରୁ ଆଦି ଦୁଷ୍ଟ ଲୋକ ସ୍ନେହ

।।

ସମସ୍ତେ ମିଶି ଧନଞ୍ଜୟଙ୍କୁ ଶିକ୍ଷା ଦେଲେ

ପରରାଜ୍ୟରୁ ଧନ ଲୁଟିବା ବୋଇଲେ

।।

ଆଠଗଡ଼ ଧରାକୋଟକୁ ସେ ଗଲେ

ପୂର୍ବ ଖଣ୍ଡରୁ ମଧ୍ୟ ଧନ ଲୁଟି କଲେ

।।

ଶ୍ରୀକର ଭଞ୍ଜେ ଲୁଟି କଲେ ବୋଲି କ୍ଷାତ

ହୋଇଲାଟି ତାଙ୍କ ନାମରେ ବିକ୍ଷାତ

।।

ତାଲୁକାରୁ ଟଙ୍କା ସାଧନ ନୋହିଲା

ଏହିପରି କେତେ ଦିନ ବହିଗଲା

।।

ଶ୍ରୀକର ଭଞ୍ଜଠାକୁ ଟଙ୍କା ନିମିତ୍ତରେ

ସାହେବ ଲୋକ ପଠିଆଇଲେ କ୍ରୋଧରେ

।।

ଟଙ୍କାକୁତ ଧାନ ଭରଣେ ହୋଇଲା

ଟଙ୍କା ବିନମନ୍ତେ ଗୋଟିଏ ନଆସିଲା

।।

ଏହିରୂପେ କେତେ ମାସ ହେଲା ଶେଷ

ତା କହିବା ଜନେ ଶୁଣି ହୁଅ ତୋଷ

।।

ଜଳନ୍ତର ସାନ ପାଇଛା ବନ୍ଦୀ ଥିଲେ

ପଳାଇ ଆସି ଗୁମସରରେ ରହିଲେ

।।

ଶ୍ରୀକର ଭଞ୍ଜ ରଜାଙ୍କର ଶ୍ରୀଛାମୁରେ

ଦେଖା ହୋଇ ରହିଲେ କୁଲାଡ଼ ଗ୍ରାମରେ

।।

ତାଙ୍କ ନିମିତ୍ତରେ ଯେତେ ସରଞ୍ଜାମ

ଲାଗିଲା ତାହା ଦେଲେ ନୃପତି ଉତ୍ତମ

।।

କେତେଦିନ ଉତ୍ତାରୁ ପାରଳା ଖେମଣ୍ଡିରୁ

ଜଗନ୍ନାଥ ଦେଓ ଆସିଲେ ନୋହି ଭୀରୁ

।।

କୁଟୁମ୍ବ ସଙ୍ଗେ ଘେନି ଆସିଲେ ଗୁମସରେ

ତାଙ୍କୁ ଦେଖି ନୃପତି କଲେକ ଆଦିରେ

।।

ଗଞ୍ଜାମରେ ମଣିଦେଉ ବନ୍ଦୀ ଥିଲେ

ଭଞ୍ଜ ରଜାଙ୍କ ଠାକୁଚିଟାଉ ଲେଖିଲେ

।।

ଆମ୍ଭଙ୍କୁ ତୁମ୍ଭେ ଯେବେ ଏଠାରୁ ଘେନିଯିବ

ତେବେ ତୁମ୍ଭର ଯଶ ମହୀରେ ରହିବ

।।

ତାହା ଶୁଣି ନୃପ ସତ୍ଵରେ ତ୍ଵରା ହେଲେ

ସମର୍ଥ ହେବା ଲୋକମାନଙ୍କୁ ଡାକିଲେ

।।

ଅଗ୍ରଭେଦିଲୋକମାନଙ୍କୁ ପେଶିଲେ

ପାଞ୍ଚଶତ ପାଇକ ତାଙ୍କ ପଛେ ଗଲେ

।।

ବନ୍ଦୀଘରୁ ଚୋରାଇ ଗୁମସରେ ନେଲେ

କୁଲାଡ଼ ନଅରର ଭିତରେ ରଖିଲେ

।।

ଅନେକ ସରଞ୍ଜାମ ମାନଙ୍କୁ ତାଙ୍କୁ ଦେଇ

ଚରଚା କରାଇଲେ ଭଞ୍ଜ ନରସାଇଁ

।।

ଏରୂପେ କେତେଦିନ ଉତ୍ତାରୁ ନବାବ

ଶୁଣିଲେ ଯାହା ଚଳିଥିଲା କଥା ସର୍ବ

।।

ଗହଙ୍ଗୁ ଗ୍ରାମ ପର୍ଯ୍ୟନ୍ତରେ ସେ ଆସିଲେ

ଭଞ୍ଜ ନୃପବରଙ୍କୁ ସେଠାକୁ ଡକାଇଲେ

।।

ଚାରି ସହସ୍ର ପାଇକଙ୍କୁ ସଙ୍ଗେ ଧରି

ବିଷ୍ଣୁଚକ୍ରରେ ବସା କଲେ ଦଣ୍ଡଧାରି

।।

ଯାଇ ନବାବଙ୍କ ହଜୁରେ ଦେଖା ହେଲେ

ନୃପବରଙ୍କୁ ଦେଖି ନବାବ କହିଲେ

।।

ସାନପାଇଚ୍ଛା, ପାରଳା ଜଗନ୍ନାଥ ଦେଓ

ଏମାନଙ୍କୁ ରଖିଛି କି କହିବା ଆଉ

।।

ଏହା ଶୁଣି ଶ୍ରୀକର ଭଞ୍ଜ ନରପତି

କହିଲେ ସେ ଆମ୍ଭ ରାଜ୍ୟରେ ନାହାନ୍ତି

।।

ଏ ବାହାରେ ମଣିଦେଓଙ୍କୁ ଘେନିଆଣି

କୁଲାଡ଼ରେ ତାଙ୍କୁ ରଖିଅଛ ପୁଣି

।।

ଆମ୍ଭଠାରେ ଆଣି ସମର୍ପି ଦିଅ ତାଙ୍କୁ

ଶୁଣି ନୃପ କହିଲେ ଏମନ୍ତ ଗିରକୁ

।।

ହେ ସାହେବ ଆମ୍ଭେ ବସାକୁ ଫେରିଯିବୁ

କାଲି ପ୍ରଭାତରେ ସେକଥା କହିବୁ

।।

ଏରୂପେ କହି ନୃପ ବିଷ୍ଣୁ ଚକ୍ର ଗଲେ

ସେହି ରାତ୍ର କୁଲାଡ଼କୁ ବିଜେ କଲେ

।।

ପ୍ରଭାତରୁ ଉଠିକରି ସାହେବ ତାହା ଶୁଣି

ଗଞ୍ଜାମକୁ ବାହାରିଗଲେ ସେହିକ୍ଷଣି

।।

ସାହେବ ସେକଥାକୁ କଳ୍ପନା ମନେ କରି

ଗଭର୍ଣ୍ଣରଙ୍କଠାକୁ ଲେଖିଲେ ବିଚାରି

।।

ଶ୍ରୀକର ଭଞ୍ଜ ରାଜାଙ୍କର ଯେ କୁମର

ଧନଞ୍ଜୟ ଭଞ୍ଜ ନାମ ତାହାଙ୍କର

।।

ତାଙ୍କୁ ରାଜତ୍ଵକୁ ଦେଇ ଗୁମସରେ

ଶ୍ରୀକର ଭଞ୍ଜ ତୀର୍ଥ କରିଗଲେ ଖରେ

।।

ପୁଅ ରାଜତ୍ଵ କଲେ ସମ୍ବତ୍ସର ପୂର୍ଣ୍ଣେ

ସେ ବାହୁଡ଼ି ଆସିଲେ ଅତି ହୃଷ୍ଟମନେ

।।

ପୁଅଙ୍କର ପ୍ରକାରକୁ ସେ ଦେଖିଲେ

କ୍ରୋଧ ହୋଇ ଉପ୍ରୋଧକୁ ଉପେକ୍ଷିଲେ

।।

କେତେ କେତେ ତରଫକୁ ସେହୁ ଗଲେ

ନୁଆଁ ଗଡ଼, ବାଣପୁରରେ ରହିଲେ

।।

ଶ୍ରୀକର ଭଞ୍ଜ ଟଙ୍କା ନଦେଇଣ ଶଙ୍କା–

ନକରି ବିଚାରିଲେ ଅଟେ ମୁଁ ରାଜା ଏକା

।।

କର୍ମାନୀ ତମ୍ବୁରୁ ବଂଇଶୀକି ନେଲେ

ପଇଦ ଲୋକମାନ ଅନେକ ରଖିଲେ

।।

ପର ରାଜ୍ୟରୁ ଧନ ଲୁଟିକରି ନେଲେ

ଆମ୍ଭଙ୍କୁ ସେ ଭୟ ଟିକିଏ ନକଲେ

।।

ଗଭର୍ଣ୍ଣରଙ୍କ ଠାକୁ ଲେଖନ୍ତେ ସାହେବ

ଶୁଣି ଚେନା-ପାଟଣା ଲାଟ ଭାବି ସର୍ବ

।।

କଲିକତାକୁ ସେ ଲେଖିଲେ ସତ୍ଵର

ସେହିଠାରୁ ଶୀଘ୍ରେ ଆସିଲା ଖବର

।।

ବହୁତ ନସ୍କରଙ୍କୁ ତୟାର କରାଇଲେ

ଯୁଦ୍ଧ କରିବାକୁ ଉଦଯୋଗ କଲେ

।।

ଚେନା-ପାଟଣା ଠାରୁ ଚଢ଼ିଣ ବୋଇତ

ଗଞ୍ଜାମରେ ନସ୍କର ମିଳିଲେ ତୁରିତ

।।

ଗୁମସରକୁ ଆସି ଯୁଝିବା କରି ମୂଳ–

ବୋଲି ଖବରକୁ ଶୁଣିଲେ ନରପାଳ

।।

ଦୁର୍ଗା ପ୍ରସାଦରେ ନଅର ତୋଳାଇଲେ

ଭିତର ଲୋକ ଧରି ସେଠାରେ ରହିଲେ

।।

ଏଥି ଉତ୍ତାରୁ କଲିକତାରୁ ନସ୍କର

ତିନି ପଟଲାମ ଆସିଲେ ମନେକର

।।

ଗଭର୍ଣ୍ଣରଙ୍କୁ ମଧ୍ୟ ସଙ୍ଗତରେ ଦେଇ

ପଠିଆଇ ଦେଲେ କ୍ରୋଧମନା ହୋଇ

।।

ବୋଇତ ଚଢ଼ି ସେହୁ ଚେନା ପାଟଣାରେ

ପରବେଶ ହେଲେ ମନ ଆନନ୍ଦରେ

।।

ନସକର ଘେନ ଗଞ୍ଜାମରେ ପ୍ରବେଶ–

ହେଲେ କୁରାନ ସାହେବ ହୋଇ ବର୍ଷ

।।

ସମସ୍ତ ନସକର ଘେନି ବାହାରିଲେ

ବାନା ବଜାଇବାରେ ମହୀ ପୂରାଇଲେ

।।

ଏଥୁଅନ୍ତେ ନରେ ଶୁଣ ଦେଇ ମନ

ଧନଞ୍ଜୟ ଭଞ୍ଜ ରଜାଙ୍କ ଆଚରଣ

।।

ଧନଞ୍ଜୟ ଭଞ୍ଜେ ବାଣପୁରେ ଥିଲେ

ଗଞ୍ଜାମରେ ଯାଇ ପରବେଶ ହେଲେ

।।

କୁରାନ ସାହେବଙ୍କ ଠାରେ ଦେଖା ହେଲେ

ସମସ୍ତ ବିଷୟକୁ ତାଙ୍କୁ ଜଣାଇଁଲେ

।।

ସାହେବ ତାଙ୍କୁ ବଡ଼ ଭରଷାକୁ ଦେଲେ

ତାଙ୍କୁ ଧରି ଗଞ୍ଜାମରୁ ବାହାରିଲେ

।।

ବାଟରେ ତ ନୃପ ଲୋକ ରଖିଥାନ୍ତି

ନିତି ନିତି ଖବରମାନଙ୍କୁ ବୁଝନ୍ତି

।।

ଚଇତନ ଚ୍ୟାଉ ନସକର ଧରି

ଧନଞ୍ଜାରେ ରହିଥାନ୍ତି ବସା କରି

।।

ବୁରାନ ସାହେବ ତ ତିନି ପଟଲାମ

ଧରି ଆସି କଲେ ଆସିକା ମକାମ

।।

ତାହା ଶୁଣିକରି ଚଇତନ ଚ୍ୟାଉ

ପଳାଇଲେ ସେ ସ୍ଥାନେ ନରହିଣ ଆଉ

।।

ବୁରାନ ସାହେବ ଧନିଞ୍ଜା ପ୍ରବେଶ

ହେବାରେଟି ଆଉ ନୋହିଲା କେ ଦୃଶ୍ୟ

।।

ସେହିଠାରୁ ବିଷ୍ଣୁଚକ୍ର ବାଟେ ଗଲେ

ନୁଆଁ ଗ୍ରାମରେ ଯାଇ ପ୍ରବେଶ ହୋଇଲେ

।।

ସେହିଠାରୁ କୁଲାଡ଼ ପ୍ରବେଶ ହୋଇକରି

ପୋଡ଼ିଦେଲେ ଗଡ଼ ଉପ୍ରୋଧ ନକରି

।।

ଧନଞ୍ଜୟ ଭଞ୍ଜେ ତ ସଙ୍ଗତରେ ଥିଲେ–

ଦଦାଙ୍କର ଛେଦ ଭେଦକୁ କହିଲେ

।।

ତାହା ଶୁଣି ସାହେବ ହୋଇଗଲେ ଖୁସି

ନୃପଙ୍କୁ ଆଲିଙ୍ଗନ କଲେ ହସି ହସି

।।

ତାହା ଶୁଣି ନୃପ ଆନନ୍ଦ ଅତି ହୋଇ

ନିଶପରେ ହାତ ପକାଇଲେ ନେଇ

।।

କୁଲାଡ଼ ଧନଞ୍ଜୟପୁର ପର୍ଯ୍ୟନ୍ତରେ

ବେଢ଼ି ରହିଲେ ପଟଲାମ ନିର୍ଭୟରେ

।।

ଯେତେ କର୍ମାନୀ ଲୋକ ରଜାଙ୍କ ପାଖେ ଥିଲେ

ସେସବୁ ପରରାଜ୍ୟମାନଙ୍କୁ ପଳାଇଲେ

।।

ଗୁମସର ଲୋକ ରହିଲେ ପାଖରେ

ବିଦେଶୀ ଲୋକମାନେ ପଳାଇଲେ ଖରେ

।।

ଏଥୁଅନ୍ତେ ସାହେବ ଧନଞ୍ଜୟ ଭଞ୍ଜଙ୍କୁ

ବିଚାରିଣ ଗଲେ ଦୁର୍ଗା ପ୍ରସାଦକୁ

।।

ଧନଞ୍ଜୟ ଭଞ୍ଜେ ସାହେବ ସଙ୍ଗରେ

ଯାଇଥିଲେ ଦୁର୍ଗାପ୍ରସାଦ ପର୍ଯ୍ୟନ୍ତରେ

।।

ଦୁର୍ଗାପ୍ରସାଦରେ ପ୍ରବେଶ ମାଳ ଲୋକେ

ସର୍ବେରୋଷ ହୋଇ ଜମା ହେଲେ ଥୋକେ

।।

ଅଦୃଶ୍ୟରେ ରହି ଗୁଳି ଆଦି କାଣ୍ଡ

ମାରି ଗଡ଼ାଇଲେ କର୍ମାନୀ ଲୋକପିଣ୍ଡ

।।

କନ୍ଧେ ଫିଙ୍ଗି ପଥର କେତେ ଲୋକଙ୍କର

ହାଡ଼ ଭାଙ୍ଗି ଦେଲେ କରିଣ ନିଷ୍ଠୁର

।।

ସେଠାରୁ କ୍ଷଣେମାତ୍ର ନରହି ପଳାଇ

ଆସିଲେ ନସକର ଭୟକୁ ହୃଦେ ଥୋଇ

।।

ପୃଷ୍ଟ ଦେଶେ ଦୁଇପାଖରେ ଜଗିକରି

ମାରନ୍ତେ କେତେ ଲୋକ ଦେଲେ ପ୍ରାଣ ହାରି

।।

କେତେ ଲୋକ ଘାଉଆ ହୋଇଣ ପଡ଼ିଲେ

ଯେତେ ଲୋକ ଅଙ୍ଗରେ ଆୟୁଷ ରଖିଥିଲେ

।।

ସେମାନେଟି ଆସି କୁଲାଡ଼େ ରହିଲେ

କେତେ କେତେ ଘାଉଆ ଲୋକଙ୍କୁ ଆଣିଲେ

।।

କେତେ କେତେ ଲୋକଙ୍କୁ ମାର୍ଗରେ ଛାଡ଼ିଲେ

ପୁଅ ରଜାଙ୍କୁ ଘେନି ସାହେବ ଆସିଲେ

।।

କୁଲାଡ଼ରେ ମଧ୍ୟ ନପାରିଲେ ରହି

ଚାରିପାଖେ ଜଗି କନ୍ଧେ ମାରିଲେ କ୍ରୋଧ ବହି

।।

ପୁରୁଣା ଗୁମସର ପର୍ଯ୍ୟନ୍ତେ ଆସିଲେ

ଧନଞ୍ଜୟ ଭଞ୍ଜଙ୍କୁ ନୃପତି ଶାଢ଼ୀ ଦେଲେ

।।

ପୁରୁଣା ଗୁମସରେ ରହିବାରେ ସେହି

ଏହିରୂପେ ତିନି ସମ୍ବତ୍ସର ଗଲା ବହି

।।

ସତରଶ ସତର ଶକାବ୍ଦ ପୁରିଲା

ପାଞ୍ଚ ବରଷ ତା ଉପରେ ବହିଗଲା

।।

ଧନଞ୍ଜୟ ଭଞ୍ଜେ ନୃପତି ହୋଇଲେ

ଏ ଅନ୍ତେ ଯାହା ହେଲା ଶୁଣ ତାହା ଭଲେ

।।

ବୁରାନ ସାହେବଙ୍କୁ କରିଣ ବିଚାର

ନାଥ ବେବର୍ତ୍ତା ରାଜ୍ୟେ ହୋଇଲେ ପାତର

।।

ଧନଞ୍ଜୟ ଭଞ୍ଜେ ହୋଇଲେ ନୃପତି

ଦୁଷ୍ଟ ଖଣ୍ଟ ଲୋକେ ପ୍ରବର୍ତ୍ତିଲେ ନିତି

।।

ଯୋଗିନାଥ ଭଞ୍ଜେ ମେଦିନୀର ଆଦି

ବ୍ୟବହାର କଲେ ହୋଇବା ପରି ବାଦି

।।

ତାହା ଶୁଣି ନାଥ ବେହର୍ତ୍ତା ମନେ ଗୁଣି

ନବାବଙ୍କ ଠାରେ କହିଲେ ଯାଇ ପୁଣି

।।

ଶ୍ରୀକର ଭଞ୍ଜେ ଯାଇ ରହିଲେ ଉଦୟଗିରି

ଦୁଷ୍ଟ ଲୋକମାନେ ନଷ୍ଟବୁଦ୍ଧି କରି

।।

କନ୍ଧ ମଜିକାଦି ଦିଗାଳ ସହିତ

ହୋଇ ରାଜ୍ୟରେ ମେଳି କଲେକ ବହୁତ

।।

ଗ୍ରାମମାନ ପୋଡ଼ି ପାଇକେ କଲେ ଲୁଟି

କଲେ ସିନା ପରିଲୋକେ ହୋଇ ଗୋଟି

।।

ଗାଈ, ମଇଁଷୀ ଆଦି ବଳଦମାନ ନେଲେ

ଏ ବାହାରେ ରଇତଙ୍କୁ ସେ ହାଣିଲେ

।।

ରାଜ୍ୟ ଛାଡ଼ି ସମସ୍ତ ଲୋକ ପଳାଇଲେ

ଘରଟିଏ ମାତ୍ର ରାଜ୍ୟରେ ନରହିଲେ

।।

ବୁରାନ ସାହେବ ନୁଆଁ ଗ୍ରାମ ଠାକୁ

ଆସି ତହିଁ ରହିଲେ କରି ମକାମକୁ

।।

ଶ୍ରୀକର ଭଞ୍ଜଠାକୁ ଚିଟାଉ ଲେଖିଲେ

ତୁମ୍ଭେ ଆମ୍ଭ ହଜୁରେ ଦେଖା ହେବ ଭଲେ

।।

ତାହା ଶୁଣିକରି ମହନ୍ତ ରାଜନ

କୁଲାଡ଼ ଗଡ଼ଠାରେ ମିଳିଲେ ବହନ

।।

ସାହେବ ନାଥ ବେବର୍ତ୍ତାକୁ ଡ଼ାକି କହି

ପେଷିଦେଲେ ନୃପଠାକୁ ତ୍ଵରା ହୋଇ

।।

ଏଣିକି ଆଉ ତୁମ୍ଭେ ଫିତୁର ନକର

ନିଶ୍ଚିନ୍ତ ହୋଇକରି ମାଳରେ କର ଘର

।।

ବାର ହଜାର ଟଙ୍କାର ଯାଗା ଦେଉଅଛୁ

ସୁଖେ ଭୋଗ କର ଆମ୍ଭେ କହୁଅଛୁ

।।

ଧନଞ୍ଜୟ ଭଞ୍ଜେ ରାଜ୍ୟରେ ରଜା ହୋଇ

ପାଳନ କରନ୍ତୁ ପ୍ରଜା ସହିତେ ମହୀ

।।

ପିତା ପୁତ୍ର ଆଉ ବିରୋଦ୍ଧ ନହୁଅ

ପ୍ରଜାଙ୍କ ମନ ତୋଷି ନିଶ୍ଚିନ୍ତରେ ରହ

।।

ତୁମ୍ଭେ ମାଳ ଲୋକଙ୍କୁ ପ୍ରତିପାଳନା କର

ନିଶ୍ଚିନ୍ତରେ ରହି କିଛି ନ ବିଚାର

।।

ନାଥ ବେବର୍ତ୍ତା ଯାଇ ସମସ୍ତ କଥାଯାକ

ନୃପ ଆଗେ କହିଲେ ମନରେ ରଖି ଦକ

।।

ନୁଆଗ୍ରାମ ଠାରୁ କୁଲାଡ଼କୁ ଘେନି

ଗାଲେରୀ, କୋକଳବା ଅଟଇ ମୁଠା ବେନି

।।

ପାଞ୍ଚ ଗଡ଼ଯାକ ଉତ୍ତର ଗଡ଼ ତଳ

ଜାକସା ବାଡ଼ି ମିଶି ପୂର୍ବ ଗଡ଼ ତଳ

।।

ଏତକ ମୁଠାମାନ ଆମ୍ଭ ମୂଳେ ଦିଅ

ବୋଲି ବେବର୍ତ୍ତାକୁ କହିଲେ ଯାଇ କହ

।।

ନାଥ ବେବର୍ତ୍ତା ଶୁଣି ଏମନ୍ତ ଉତ୍ତର

ସାହେବଙ୍କ ଠାରେ କଲେକ ଗୋଚର

।।

ଶୁଣି ତାହା ସାହେବ ସିଉକାର କଲେ

କହିବା ପ୍ରକାରେ ମୁଠା ଲେଖିଦେଲେ

।।

ନାଥ ବେବର୍ତ୍ତା ଯାଇ ଶ୍ରୀକର ଭଞ୍ଜଙ୍କୁ

ଲେଖା ପଢ଼ା କରିଦେଲେ ନକରି ଶଙ୍କାକୁ

।।

ଶୁଣି ତାହା ରାଜନ ସନ୍ତୋଷ ହୋଇଲେ

କୁଲାଡ଼ ଗଡ଼େ ଯାଇ ମୁକାମକୁ କଲେ

।।

ଦୁର୍ଗା ପ୍ରସାଦରେ କଲେଜ ନଅର

ମାଳ ବୁଲି କନ୍ଧଙ୍କୁ କଲେ ଆପଣାର

।।

କୁଲାଡ଼ ଆସି ଦୁର୍ଗା ପ୍ରସାଦ ଯାଉଥାନ୍ତି

ଏହିପରି ସୁଖେ ଦିନ ସାରିଲେ ନୃପତି

।।

ବୁରାନ ସାହେବ ତହୁଁ ବାହୁଡ଼ିଲେ

ପୁରୁଣା ଗୁମସର ଗଡ଼ରେ ଆସି ହେଲେ

।।

ଧନଞ୍ଜୟ ଭଞ୍ଜେ ସେକ୍ଷଣି ଦେଖା ହେଲେ

ତାଙ୍କୁ ବସାଇ ସାହେବ ତିଆରି କହିଲେ

।।

ଦୁଷ୍ଟ ନଷ୍ଟ ଲୋକମାନଙ୍କୁ ନରଖିବ

ଏକଥାକୁ ସର୍ବଦା ମନରେ ରଖିଥିବ

।।

କିସ୍ତି ବାଇଦା ପ୍ରକାରେଟି ଟଙ୍କାକୁ

ପଠିଆଇ ଦେଉଥିବ ଗଞ୍ଜାମକୁ

।।

ଅନ୍ୟାୟ ବୋଲିବାର ଗୋଟିଏ ନକରିବ

ପ୍ରଜାମାନଙ୍କର ଫିରାଦ ବୁଝିବ

।।

ହେ ରାଜନ ଏତକ କହିଲୁଟି ମାତ୍ର

ନାଥ ବେବର୍ତ୍ତାଙ୍କୁ କରିବ ତୁମ୍ଭେ ପାତ୍ର

।।

ଏତକ କହିସାରି ସାହେବ ଚଳିଗଲେ

ଧନଞ୍ଜୟ ଭଞ୍ଜ ରଜା ହୋଇଣ ରହିଲେ

।।

ପଳାଇ ପର ରାଜ୍ୟେ ଥିଲେ ପ୍ରଜାଚୟ

ତାଲୁକାରେ ଆସି କଲେକ ନିଳୟ

।।

ଗ୍ରାମମାନ ବସ୍ତି ହେଲା ସର୍ବଲୋକ–

ମାନେ ଯେ ଯାହା ସ୍ଥାନେ ରହିଲେ ଛାଡ଼ି ଦକ

।।

ଏଥୁ ଅନନ୍ତରେ ଶୁଣ ହେ ସୁଜନ

ଧନଞ୍ଜୟ ଭଞ୍ଜଙ୍କର ଆଚରଣ

।।

ଦୁଷ୍ଟ ଲୋକମାନେ ପ୍ରବର୍ତ୍ତିଲେ ନିତି

ରାଜ୍ୟରେ ଅଧିକାର କଲେ ଛାଡ଼ିଭୀତି

।।

ରାଜଗୁରୁ, ଗୋପିନାଥ ଭଞ୍ଜେ ମିଶି

ମେଦିନିରା, ଆମଞ୍ଚନ ହୋଇ ଅତି ଖୁସି

।।

ବ୍ୟବହାର ବୁଝିଲେ ବେବର୍ତ୍ତାକୁ କହି

ନମାନିଣ ପାତ୍ରପରି ହେଲେ ସେହି

।।

ମେଦିନିରା ରାଜ୍ୟେ କରନ୍ତେ ବ୍ୟବହାର

ଦୁଷ୍ଟ ଜନମାନେ ମିଳିଲେ ତାପାଖର

।।

ଯୋଗୀନାଥ ଭଞ୍ଜ ବୁଗୁଡ଼ା ମୁଠାକୁ

ଖାସରେ ଆପେ ବୁଝି କଲେ ଆୟତ୍ତକୁ

।।

ବେବର୍ତ୍ତାଙ୍କ ଅଧିକାର କେଉଁଠାରେ

ନରହିଲା ସେ ଯାଇ ସାହେବଙ୍କୁ ଖରେ

।।

କହି ଯୋଗୀନାଥ ଭଞ୍ଜଙ୍କୁ ଧରି ନେଲେ

ଗଞ୍ଜା ଗଡ଼ରେ ରଖି ବନ୍ଦୀ କରାଇଲେ

।।

ନାଥ ବେବର୍ତ୍ତାଏ ରହିଲେ ଏ ରାଜ୍ୟରେ

ଜାଣି ମେଦିନିରା ପଳାଇଗଲେ ଖରେ

।।

ଯାବତ ଅଧିକାର ବେବର୍ତ୍ତା ଦ୍ଵିଜବର

କଲେ ଆଉ କାହାକୁ ନକରି ନଜର

।।

ବଳଭଦ୍ର ଦାସ ବୋଲିଣ କରଣ

ଜାଣିଲେ ବେବର୍ତ୍ତା ଡକାଇଲେ ପୁଣ

।।

ଚ୍ୟାଉ ଅଧିକାର ତାଙ୍କୁ ଦିଆଇଲେ

ସେ ମଧ୍ୟ ଗୁମସର ରାଜ୍ୟରେ ରହିଲେ

।।

ଏ ଅନ୍ତେ ଗଞ୍ଜାମରୁ ଗୋପିନାଥ ଭଞ୍ଜେ

ପଳାଇ ଲୁଚିଲେ ନୂଆଗଡ଼ ରାଜ୍ୟେ

।।

ମାନଧାତାଗ୍ରାମ ଦେଇଣ ରଖିଲେ

ନିଶ୍ଚିନ୍ତ ହୋଇ ସେ ରାଜ୍ୟରେ ରହିଲେ

।।

ସର୍ବ ଅଧିକାର ବେବର୍ତ୍ତାଏ କଲେ

ରାଜ୍ୟରୁ ଯେତେ ଟଙ୍କା ସାଧନ କରାଇଲେ

।।

କେତେ ଟଙ୍କା ସରକାର ଖଜଣାରେ

ପଇଠ କଲେ ବାକି ରଜାଙ୍କ ବୟରେ

।।

ବଳଭଦ୍ର ଚ୍ୟାଉଙ୍କୁ ଧରିଣ ବେବର୍ତ୍ତା

ସର୍ବ ଅଧିକାର କଲେ ଛାଡ଼ିଚିନ୍ତା

।।

ଦଇବକୁ ବଳିତ ଦିଶୁନାହିଁ ନର

ଅନ୍ତେ ଆୟୁଷ ଶେଷ ହେଲା ବେବର୍ତ୍ତାର

।।

ପର ଲୋକକୁ ସେ କରନ୍ତେ ଗମନ

ସାହେବ ସେ ବାର୍ତ୍ତା ଶୁଣିଣ ବହନ

।।

ଡକାଇଣ ତ୍ରିପତିରା ପଣ୍ଡିତଙ୍କୁ

ପଠାଇଲେ ଝଟତି ନକରି ବିଳମ୍ବକୁ

।।

ସେ ଆସିଣ ରାଜ୍ୟେ ଅଧିକାର କଲା

ଧନଞ୍ଜୟ ଭଞ୍ଜ ରାଜାଙ୍କୁ ନମାନିଲା

।।

ଘାଟ ପେସିଣ ବଳଭଦ୍ର ଚ୍ୟାଉଙ୍କୁ

ଗଡ଼ରୁ ଘେନିଗଲେ ଗହଙ୍ଗ ଗ୍ରାମକୁ

।।

ଏ ଉତ୍ତାରୁ କାର୍ଯି, କରଣ ପ୍ରଧାନଙ୍କୁ

ଧନଞ୍ଜୟ ଭଞ୍ଜେ ଡାକି ନଅରକୁ

।।

ସୂର୍ଯ୍ୟମଣି ପରଆ ପଟ୍ଟନାୟକଙ୍କୁ

ସଙ୍ଗେ ଦେଇ ପେସିଲେ ସାହେବଙ୍କ ଠାକୁ

।।

ସେ ତାଲୁକାରେ କମା ଥିଲେ କେବେ ଆମ୍ଭେ

ରହିବୁନାହିଁ ଜାଣ କହୁଅଛି ଦମ୍ଭେ

।।

ଆମ୍ଭ ରାଜ୍ୟେ ବେଭାର କରିବାକୁ ତୁମ୍ଭେ

ଜାଣିବା ଲୋକ ପେଶ କହୁଅଛୁ ଆମ୍ଭେ

।।

ତାହା ଶୁଣି ସାହେବ ସୁଖି ତ ହୋଇଲେ

ବେବର୍ତ୍ତାଙ୍କ ଭାଇ ବ୍ରହ୍ମାଙ୍କୁ ଡକାଇଲେ

।।

ଗୁମସରକୁ ତୁମ୍ଭେ ଯାଅ ଶୀଘ୍ର ହୋଇ

ଧନଞ୍ଜୟ ଭଞ୍ଜଙ୍କୁ ଦେଖା କର ଯାଇ

।।

ପୂର୍ବ ମାମୁଲୁ ପ୍ରକାରେ ବେଭାର କରିବ

ଏ ବାହାରେ ରୟତ ଲୋକଙ୍କୁ ପାଳିବ

।।

ଶୁଣିକରି ମାର୍କଣ୍ଡ ବ୍ରହ୍ମା ଗୁମସର

ଯାଇ ସେଠାରେ କଲେ ସର୍ବ ଅଧିକାର

।।

ବଳଭଦ୍ର ଚ୍ୟାଇଁଙ୍କୁ ରଖିଲେ ପାଖରେ

ବ୍ୟବହାର କଲେ ଅତି ରସଭରେ

।।

ବଡ଼ ଅଦଭୁତ ଅଟଇ ବ୍ରାହ୍ମଣ

କାହାକୁ ହେଲେ କିଛି ନକଲା ବିତରଣ

।।

ନବମାସ ପର୍ଯ୍ୟନ୍ତ ବ୍ୟବହାର କଲା

ବାର ହଜାର ଟଙ୍କା ଗୃହରେ ରଖିଲା

।।

ଧନଞ୍ଜୟ ଭଞ୍ଜ ଏହା ଶୁଣିପାରି

ସାହେବଙ୍କ ଠାକୁ ଗଲେ ଶୀଘ୍ର କରି

।।

ବଳଭଦ୍ର ଚ୍ୟାଉଙ୍କୁ ସଙ୍ଗତରେ ନେଲେ

ସାହେବଙ୍କ ଠାରେ ସମସ୍ତ କହିଲେ

।।

ନବମାସ ଭିତରେ ବାର ହଜାର ଟଙ୍କା

ରଖିଲା ସେ ଆମ୍ଭଙ୍କୁ ନକରିଣ ଶଙ୍କା

।।

ହେ ସାହେବ ଜମା ବନ୍ଦିକି କରି ସାର

ଦିଅ ଆମ୍ଭମୂଳେ ବିଳମ୍ବ କରି ଦୂର

।।

ଲକ୍ଷେ ଟଙ୍କା ଜମା ବନ୍ଦୀ ତ ଗୁମସର

ପଞ୍ଚସ୍ତୋରି ସହସ୍ର କରିଣ ନିକର

।।

ମୁଠା ଗୋଟିକରେ କାର୍ଯି ଜଣେ ଜଣେ

କଲେ ହରଷରେ ବିଚାରି ଆପଣେ

।।

ବଳଭଦ୍ର ଚ୍ୟାଉଙ୍କ ଠାରେ ସବୁ ଲେଖା

ସମର୍ପିଲେ ରାଜନ ଛାଡ଼ି ମନୁ ଦକ

।।

ଏହିରୂପେ ଗଲା କେତେ ସମ୍ବତ୍ସର

କିସ୍ତି ଟଙ୍କା ବାନ୍ଧୁଥାନ୍ତି ନରବର

।।

ଧନଞ୍ଜୟ ଭଞ୍ଜ ତ ଧରାକୋଟ ନାତି

ହୋଇକରି ଜନମି ଥିଲେ ଏଇ କ୍ଷିତି

।।

ରଗଡ଼ା ଜମିଦାର ଘରୁ କନ୍ୟା ବିଭା–

ହୋଇଥିଲେ ରାଜନ ହୋଇ ଅତି ଲୋଭା

।।

ତାଙ୍କଠାରୁ ଯଦୁ ଭଞ୍ଜ ନାମେ ସୁତ

ପୂର୍ବରୁ ତ ଜାଣ ହୋଇଥିଲେ ଜାତ

।।

ଅନ୍ତର ଗିରି ଭଞ୍ଜ, ବୃନ୍ଦାବନ ଭଞ୍ଜ

ଏ ବାହାରେ ସାନସୁତ ରାମ ଭଞ୍ଜ

।।

ରଘୁନାଥ ଭଞ୍ଜେ ତ ତାଙ୍କ ପାସେ ଥିଲେ

ତାଙ୍କୁ ଥାଟ ରଜା କଲେ ଜାଣ ଭଲେ

।।

କୁଲାଡ଼ ଗଡ଼ରେ ନିରନ୍ତରେ ସେହି

ଏହିରୂପେ ପାଞ୍ଚ ବର୍ଷ ଗଲା ବହି

।।

ପୁରୁଣା ଗୁମସର ଗଡ଼ରେ ସେ ସ୍ଥିତି

ଧନଞ୍ଜୟ ଭଞ୍ଜଙ୍କର ହେଲାନିତି

।।

ପ୍ରଥମରେ ଅମର ରଜାଙ୍କ ଝିଅକୁ

ବିଭା ହେଲେ ନୃପ କରିଣ ସ୍ନେହକୁ

।।

ତାଙ୍କୁ ପାଟ ମହାଦେଈ ନୃପ କଲେ

ରଣପୁର ରାଉତ କନ୍ୟାଏ ବିଭା ହେଲେ

।।

ବଉଦରେ ଏକ କନ୍ୟାଏ ବିଭା ହୋଇ

ତାଙ୍କଠାରେ ସେହ କଲେ ନରସାଇଁ

।।

ଖଣ୍ଡପଡ଼ା ଭ୍ରମର ବରଙ୍କର ଘରେ

କନ୍ୟା ବିଭା ହେଲେ ବହୁତ ସ୍ନେହରେ

।।

ଦଶପଲ୍ଲାରେ ରାମଚନ୍ଦ୍ର ଭଞ୍ଜଙ୍କର

ଝିଅ ଥିଲା ବିଭା ହେଲେ ନରବର

।।

ନୁଆଗଡ଼ ମାନ୍ଧାତା ଆପଣା ଝିଅକୁ

ବିଭା ଦେବା ପାଇଁ କରିଥିଲେ ନିଶ୍ଚୟକୁ

।।

ବେନିଗଡ଼ ଅଳସୁ ଗ୍ରାମ କମସର

ମାନ୍ଧାତାଙ୍କୁ ଦେଇଥିଲେ ନରବର

।।

ପ୍ରଥମରେ ବିବାହ ନୋହିଲେ ବିଚାରି

ତାଙ୍କୁ ବିଭା ମଧ୍ୟ ନୋହିଲେ ଦଣ୍ଡଧାରୀ

।।

ଏଣୁ ଧନଞ୍ଜୟ ଭଞ୍ଜ କ୍ରୋଧ ହେଲେ

ଆମ୍ଭ ଗଡ଼ ଆମ୍ଭଙ୍କୁ ଦିଅ ହେ ବୋଇଲେ

।।

ସେ ଗଡ଼କୁ ବାନ୍ଧିକରି ଦୃଢ଼ତର

ଧନଞ୍ଜୟ ଭଞ୍ଜଙ୍କୁ ନଦେଲେ ନିକର

।।

ଧନଞ୍ଜୟ ଭଞ୍ଜେ ମନରେ ବିଚାରିଲେ

ବଳଭଦ୍ର ଚ୍ୟାଉଙ୍କୁ ରାଜ୍ୟରେ ପାତ୍ର କଲେ

।।

ଶ୍ରୀଚରଣ ପଟ୍ଟନାୟକ ପଦ ଦେଲେ

ସକଳ ବ୍ୟବହାର ତାଙ୍କୁ ସମର୍ପିଲେ

।।

ସୂର୍ଯ୍ୟମଣି ପରିକ୍ଷା ପଟ୍ଟନାୟକଙ୍କୁ

ଚ୍ୟାଉ ପଟ୍ଟନାୟକ ପଦ ଦେଲେ ତାଙ୍କୁ

।।

ରାଜ୍ୟଯାକ ଲେଖା ତାଙ୍କୁ ସମର୍ପିଲେ

ତାଙ୍କଠାରେ ବହୁତ ବିଶ୍ଵାସକୁ କଲେ

।।

ସେ ବେନି ଗଡ଼ ମାରି ଆଣିବା ବିଚାର

କଲେ ଧନଞ୍ଜୟ ଭଞ୍ଜ ନରବର

।।

ଆଣି ନପାରି ବିରସ ମନରେ ରହିଲେ

ଏ ଅନ୍ତେ ଧନଞ୍ଜୟ ଭଞ୍ଜେ ଯାହା କଲେ

।।

କହିବା ତାହା ଜନେ ଶୁଣ ଦେଇ ମତି

ଧନଞ୍ଜୟ ଭଞ୍ଜେ କଲେ କେଉଁ ନୀତି

।।

ପାଞ୍ଚମୁଠା ରହିଲା ଦଦାଇଙ୍କ ଠାରେ

ଗୁମସର ବିଭାଗ ହେଲା ଜାଣିବାରେ

।।

ଯଦୁ ଭଞ୍ଜ ନାମେ ପୁତ୍ର ତ ଅଛନ୍ତି

ଦଦାଇଙ୍କ ଉତ୍ତାରୁ ହେବେ ସେ ନରପତି

।।

କି ରୂପରେ ସେ ମୁଠାମାନଙ୍କୁ ଛଡ଼ାଇବା

ଆମ୍ଭେ ଯାଇ କୁଲାଡ଼ ଗଡ଼ରେ ରହିବା

।।

ସତରଶ ଏକ ବିଂଶ ଶତାବ୍ଦରେ

ନସ୍କରକୁ ତୟାର କରାଇଲେ ଖରେ

।।

କୁଲାଡ଼ରେ ରଘୁନାଥ ଭଞ୍ଜେ ଥିଲେ

ନସ୍କର ଘେନିଯାଇ ସେଠାରେ ଯୁଦ୍ଧ କଲେ

।।

ରଘୁନାଥ ଭଞ୍ଜଙ୍କର ହୃଦେ ଗୁଳି

ବାଜିବାରୁ ସେଠାରେ ପଡ଼ିଲେ ସେ ଢଳି

।।

ଯେତେ ଲୋକ ଥିଲେ ସେମାନେ ପଳାଇଲେ

ଯାଇ ଶ୍ରୀକର ଭଞ୍ଜଙ୍କ ଆଗରେ କହିଲେ

।।

ଯେତେଠାରେ ଗଡ଼ ବାନ୍ଧି ରହିଥିଲେ

ଧନଞ୍ଜୟ ଭଞ୍ଜଙ୍କ ଲୋକେ ଯୁଦ୍ଧ କଲେ

।।

ଯେଉଁ ପାଇକ ଗଡ଼ମାନଙ୍କରେ ଥିଲେ

ସମସ୍ତେ ଜମା ହୋଇ ମନରେ ଚିନ୍ତା କଲେ

।।

ଧନଞ୍ଜୟ ଭଞ୍ଜେ କମ୍ପାନୀ ଜମିଦାର

ହୋଇ ରାଜତ୍ଵ କରୁଅଛନ୍ତି ନିରନ୍ତର

।।

ଶ୍ରୀକର ଭଞ୍ଜ ଲୁଚିଛନ୍ତି ତ ମାଳରେ

ଆମ୍ଭେ ଯେବେ ରହିବା ଏହାଙ୍କ ପାଶରେ

।।

ନିଶ୍ଚେ ଆମ୍ଭମାନଙ୍କର ପ୍ରାଣ ଯିବ

ଆମ୍ଭ ପୁତ୍ର ନାତିଙ୍କୁ ଅନ୍ନ ନ ମିଳିବ

।।

ଏତେ ଭାଳି ଗଡ଼ମାନଙ୍କୁ ଛାଡ଼ି ଗଲେ

ଧନଞ୍ଜୟ ଲୋକେ ସେ ଗଡ଼େ ରହିଲେ

।।

ଶ୍ରୀକର ଭଞ୍ଜ ରଜା ଏ ଖବର ଶୁଣି

ଆପଣା ହୃଦୟରେ କଲେକ ଭାଳେଣି

।।

ଆମ୍ଭର ଜୀବନ ବୃତ୍ତି ବିଚାରିଣ ଭଲେ

କମ୍ପାନୀ ଘର ପାଞ୍ଚମୁଠା ଦେଇଥିଲେ

।।

ପୁତ୍ର ହୋଇକରି ଆମ୍ଭର ବିଘାତ

ବିଚାରିଲେ ଏଥିକି ଉପାୟ ନାହିଁ ତ

।।

ଏଠାରେ ଆଉ ଜଳ ସ୍ପର୍ଶ ନକରିବା

ଏହିକ୍ଷଣି ତୀର୍ଥ କରି ଚାଲିଯିବା

।।

ଏତେ ଭାଳି ଗାଲେରୀରେ କୁଟୁମ୍ବ ରଖିଲେ

ସେହିକ୍ଷଣି ରାଜା ରାଜ୍ୟକୁ ଛାଡ଼ିଲେ

।।

ଏ ଚରିତ ଧନଞ୍ଜୟ ଭଞ୍ଜେ ଶୁଣି

ତାଲୁକାରେ ଅଧିକାର କଲେ ପୁଣି

।।

କୁଲାଡରେ କୁଟୁମ୍ବ ନେଇଣ ରଖିଲେ

ଗଡ଼ମାନ ଦୃଢ଼ ତରରେ ବନ୍ଧାଇଲେ

।।

ରଣପୁର ରାଉତ କନ୍ୟାଙ୍କ ଗର୍ଭରେ

କୁମାର ଜନ୍ମ ହେଲେ ଅତ୍ୟନ୍ତ ସୌନ୍ଦର୍ଯ୍ୟରେ

।।

କାଟିଙ୍ଗାର ଏକ କନ୍ୟାକୁ ରଖିଲେ

ତାଙ୍କ ନାମ ସୁଆଗୀ ବୋଲି ନାମ ଦେଲେ

।।

ତାଙ୍କ ଠାରୁ ତିନିଝିଅ ଜନମିଲେ

କୋଠ ଲୋକରୁ ପୁଅ ଝିଅ ଜନମିଲେ

।।

ଅନାମ ଭଞ୍ଜ ବୋଲି ଯୋ ଅନ୍ତର ସୁତ

ଧନଞ୍ଜୟ ଭଞ୍ଜଙ୍କର ହେଲା ଜାତ।

।।

ଏହି ରୂପେ କେତେ ଦିନ ବହିଗଲା

ଶୁଣ ଜନେ ଏଥି ଉତ୍ତାରୁ ଯାହା ହେଲା

।।

ଦୁର୍ମାର୍ଗ ମାନଙ୍କରେ ଚିତ୍ତ ପ୍ରବର୍ତ୍ତିଲା

ଧନଞ୍ଜୟ ଭଞ୍ଜଙ୍କ ମୋହ ଜାତ ହେଲା

।।

କରଣମାନେ କନ୍ୟା ଯାଚିକରି ଦେଲେ

ତାଙ୍କୁ ନେଇ ରାଜନ କୋଠ ଲୋକ କଲେ

।।

ଶକ୍ରାସନ, ଆୟୁ ଇତ୍ୟାଦି ଭକ୍ଷିଲେ

ସାନନ୍ଦ ମୋଦକ ମାନଙ୍କୁ ପାନ କଲେ

।।

ଏଣୁ ତାଙ୍କ ଦେହୁ ଜ୍ଞାନ ହେଲା ଲୋପ

ସବୁବେଳେ କଥା କହିଲେ ପ୍ରଳାପ

।।

ଦ୍ରବ୍ୟ ଥିବା ଜନମାନଙ୍କୁ ବନ୍ଦୀ କଲେ

ତାଙ୍କ ଧନ ଗନ୍ତା ଘରକୁ ଆଣିଲେ

।।

ବ୍ରାହ୍ମଣ ବୈଷ୍ଣବ ବୋଲି ନମାନିଲେ

ତାଙ୍କ ଘରେ ଥିବା ଧନକୁ ଆଣିଲେ

।।

ଏହିରୂପେ ବହୁତ ଅନ୍ୟାୟକୁ କରି

କାଳକୁ ସାରୁଥାନ୍ତି ଭଞ୍ଜ ଦଣ୍ଡଧାରୀ

।।

କମ୍ପାନୀ କିସ୍ତିକି ବାଇଦାରେ ନଦେଲେ

ତେଣୁ ଅମିନ ରାଜ୍ୟେ ଆସିଣ ବସିଲେ

।।

ଅମିନ ପାଇକମାନଙ୍କ ବର୍ତ୍ତନ

ଲେଖି ନେଉଥାନ୍ତି ହୁଏ ଯେତେଦିନ

।।

ଘାକ ପଲକନ ମାନେ ଥାନ୍ତି ବସି

ଦାରୋଗାମାନେ ମଧ୍ୟ ଥାନ୍ତି ଅହର୍ନିଶି

।।

ସବୁ ଆଚରଣ ସାହେବ ଜାଣିଲେ

ନୂଆଁ ଗ୍ରାମେ ଏକ କମ୍ପାନୀ ରଖାଇଲେ

।।

ପଚାରି ହୋଇ ଯେତେ ଲୋକ ପଳାଇଲେ

ସାହେବଙ୍କ ହଜୁରେ ସେ ଫିରାଦ କଲେ

।।

ହାତୀ ଘୋଡ଼ା ବିକିବା ନିମନ୍ତେ ମୁସଲମାନ

ମାନେ ଆସିଲେ ତାହା ରଖନ୍ତି ରାଜନ

।।

ଟଙ୍କା ନ ଦିଅନ୍ତେ ସଉଦାଗର ମାନେ

ଫିରାଦ କରୁଥାନ୍ତି ସାହେବ ସନ୍ନିଧାନେ

।।

ଦେଶର ଲୋକଙ୍କୁ ନୌକର ରଖିଲେ

ବର୍ତ୍ତନ ନଦେବାରୁ ସେ ଫିରାଦ କଲେ

।।

ଜିଲ୍ଲା ସାହେବ ଶୁଣି ଯାହା ଲେଖୁଥାନ୍ତି

ଧନଞ୍ଜୟ ଭଞ୍ଜେ ତାହା ନ ମାନନ୍ତି

।।

ଏହିରୂପେ ବେନି ସମ୍ବତ୍ସର ଗଲା

ରଜାଙ୍କ ନାମରେ ଫିରାଦ ହୋଇଲା

।।

ନୀଳକଣ୍ଠ ଗଜଗୁରୁ ନାମେ ଦ୍ୱିଜ

ସର୍ବଜ୍ଞ ବିଦ୍ୟାରେ ସେ ଦେଖାନ୍ତି ବଳ ଓଜ

।।

ଚୋରୀ ଯିବା ପଦାର୍ଥମାନଙ୍କୁ କହନ୍ତି

ଥିବା ସ୍ଥାନମାନଙ୍କୁ ବତାଇ ଦିଅନ୍ତି

।।

ତାଙ୍କ ଘର ପାରଳା ବୋଲିଣ ଶୁଣିଲେ

ଲୋକ ପଠିଆଇ ତାଙ୍କୁ ଡକାଇଲେ

।।

ଡକାଇବା କ୍ଷଣି ବ୍ରାହ୍ମଣ ଆସିଲେ

ଧନଞ୍ଜୟ ଭଞ୍ଜଙ୍କ ଛାମୁରେ ଦେଖା ହେଲେ

।।

ଯାହା ପଚାରିଲେ କହିଲେ ସେ ସତ

ନୃପ ଶୁଣି ସନ୍ତୋଷ ହୋଇଲେ ବହୁତ

।।

ଆଦର କରି ବସା ଦେଇଣ ରଖାଇଲେ

ତାଙ୍କଠାରୁ କେଉଁ ମନ୍ତ୍ର ବା ଶିଖିଲେ

।।

ବାତୁଳ ପରି ତାଙ୍କ ଆଚରଣ ହେଲା

ଭୋଜନ ଶୟନାଦି କିଛିହିଁ ନୋହିଲା

।।

ନଅରର ଭିତରୁ ରଜାଙ୍କ କିଛି ଧନ

ଚୋରୀ ଯିବାର ଶୁଣି ହୋଇଲେ ଅଜ୍ଞାନ

।।

ପାଟ ମହାଦେଈ ଆଦିଙ୍କି ଧଇଲେ

ଶାଙ୍କୁଳି ଦେଇ ବନ୍ଦୀ କରିଣ ରଖିଲେ !

।।

ପୁଅ ବଳଭଦ୍ର ଭଞ୍ଜଙ୍କୁ ଶାଙ୍କୋଳୀ

ଦେଲେ ଆଉ କିଛି କଥାକୁ ନଭାଳି

।।

ସାତକୋଡ଼ି ବନ୍ଦୀଆ ରଖିଲେ ଭିତରେ

ଚାରି ଶତ ଲୋକ ରଖିଲେ ବାହାରେ

।।

ବାହାର ବନ୍ଦୀଆମାନଙ୍କୁ ଦଣ୍ଡ ଦେଇ

ତାଙ୍କ ଘରୁ ସବସ୍ଵ ଆଣିଲେଟି ବୋହି

।।

ଦୟା ଗନ୍ତାୟତ ବୋଲିଣ ନମତା

ମତ୍ତଗଜ ବୋଲି ତାର ଏକ ଭ୍ରାତା

।।

ଏ ଦୁହିଁଙ୍କୁ ଶାଙ୍କୋଳୀ ଦେଇଣ ରଖିଲେ

କୁଟୁମ୍ବକୁ ଚାରି ଦ୍ୱାରେ ବନ୍ଦୀ କଲେ

।।

ଶ୍ରୀକର ଭଞ୍ଜଙ୍କର ପାଟ ମହାଦେବୀ

ଆନ ମାତାମାନଙ୍କୁ ମନରେ ନଭାବି

।।

ଏମାନଙ୍କୁ ଶାଙ୍କୋଳୀ ଦେଇଣ ରଖିଲେ

ଖାଇବାକୁ ଅନ୍ନ ଜଳହିଁ ନଦେଲେ

।।

ଦୟା ଗନ୍ତାୟତ ବନ୍ଦୀରୁ ପଳାଇଲା

ସବୁ ସାହେବଙ୍କ ଆଗରେ କହିଲା

।।

ସମସ୍ତଙ୍କୁ ବନ୍ଦୀ ରଖିବାର କଥା

ଶୁଣି ସାହେବ ମନେ ପାଇଲେ ବଡ଼ ବ୍ୟଥା

।।

ଦାରୋଗା ଠଣା ଦ୍ଵାର ପଟରେ ରଖିଲେ

ଆମ୍ଭଙ୍କୁ ନମାନି ରଜା ଅନ୍ୟାୟ ଆଚରିଲେ

।।

ସାହେବ ଜାଣି ଲେଖିଲେ ଚିନାପାଟଣା

ଗଭର୍ଣ୍ଣର ସାହେବଙ୍କୁ ସବୁ ହେଲା ଜଣା

।।

ସାହେବଙ୍କ ତରଫ ଲୋକଙ୍କୁ କୁଲାଡ଼କୁ

ନଛାଡ଼ି ବନ୍ଦ କଲେ ଦୁଆରମାନଙ୍କୁ

।।

ସାହେବଙ୍କ ଠାରୁ ଯେତେ ଲୋକ ଗଲେ

ବଣିଆ ପଲ୍ଲି ବେତାରରୁ ବାହୁଡ଼ିଲେ

।।

ନୁଆଁଗ୍ରାମ ଠାରେ ବେନି କମ୍ପାନୀ ଥାନ୍ତି

ସେ ଆସନ୍ତି ଦ୍ୱାରଠାରୁ ବାହୁଡ଼ନ୍ତି

।।

ରାଜ୍ୟରେ ଧନବନ୍ତ ଯେତେ ଲୋକ ଥିଲେ

ବଳତ୍କାର କରି ଭିତରକୁ ନେଲେ

।।

ଫିରାଦକୁ କଲେ ସାହେବଙ୍କୁ ନମାନିଲେ

ଯେ ଆସିଲା ଦ୍ଵାରଠାରୁ ବାହୁଡ଼ିଲେ

।।

ଧନୀମାନଙ୍କର ଥାଏ ଯେତେ ଧନ

ବହି ଆଣନ୍ତି ଗନ୍ତାଘରକୁ ରାଜନ

।।

ଯାହାଘରେ ସୁନ୍ଦରୀ ସ୍ତିରୀମାନେ ଥିଲେ

ବଳାତ୍କାରେ ଆଣି ଭିତରେ ରଖିଲେ

।।

ନାନା ଅନ୍ୟାୟ ମାନଙ୍କରେ ପ୍ରବର୍ତ୍ତିଲେ

ବାତୁଳ ଜନ ପରି ନୃପତି ହୋଇଲେ

।।

ଦୁର୍ଗା ପ୍ରସାଦରେ ଘର ସଜାଡ଼ିଲେ

ଉଦୟଗିରି ଦୁର୍ଗ ଦୃଢ଼ରେ ବାନ୍ଧିଲେ

।।

ଦୋରା ବିଷୋୟୀଙ୍କି ବନ୍ଦୀରେ ରଖିଲେ

ତାଙ୍କ କୁଟୁମ୍ବ ସମେତରେ ଜାଣ ଭଲେ

।।

ଜୟସିଂହ ବିଷୋୟୀ କେଉଟ ବିଷୋୟୀଙ୍କୁ

ବନ୍ଦୀ କରି ରଖିଲେ ଛାଡ଼ି ଓପ୍ରୋଧକୁ

।।

ମାଳ ଦିଗାଳ କନ୍ଧମାନଙ୍କୁ ଧରିବାକୁ

ନସ୍କରକୁ ପେଷିଲେ ସେ ମାଳ ଦିଗକୁ

।।

ଏ ସକାଶୁ ମାଳ ଲୋକ, ରାଜ୍ୟ ଲୋକ

ନିରନ୍ତରେ ରାଜାଙ୍କୁ କଲେ ମନେ ଦକ

।।

ଭଞ୍ଜବଂଶାବଳୀ ପରି କଥା ହୋଇ

ଥିଲା ଉତ୍ତମ ଲୋକଠାରୁ ଶୁଣି ମୁହିଁ

।।

ଏଣୁ ଗୀତ ରଚିଲି ଯା’ ଦିଶିଲା ମତେ

ଏଥିରେ ଦୋଷ ଥିଲେ ନ ଘେନିବ ଚିତ୍ତେ

।।

ଏଥୁ ଅନନ୍ତରେ ଶୁଣ ହେ ସୁଜନ

ଭଞ୍ଜରାଜ ବଂଶାବଳୀର କଥନ

।।

ଶ୍ରୀକର ଭଞ୍ଜରାଜା ରାଜ୍ୟ ତେଜିଦେଲେ

ତୀର୍ଥଯାତ୍ରା କରିବା ନିମିତ୍ତରେ ଗଲେ

।।

କାଶୀ ପ୍ରୟାଗ ଆଦି ଅଯୋଧ୍ୟା ଚିତ୍ରକୂଟ

ଦ୍ଵାରକା ଗଲେ ଶ୍ରୀକର ଭଞ୍ଜ ରାଷ୍ଟ୍ର

।।

ଶାସ୍ତ୍ର ଅନୁସାରେ ସ୍ନାନଦାନ କଲେ

ସେଠାରୁ ବଦରିକାଶ୍ରମେ ଚାଲିଗଲେ

।।

ନର ନାରାୟଣଙ୍କୁ କରିଣ ଦର୍ଶନ

ବାହୁଡ଼ିଣ ନୃପ ଆସିଲେ ବହନ

।।

ଉତ୍ତର ପଶ୍ଚିମରେ ଯେତେ ତୀର୍ଥ ଥିଲେ

ସ୍ନାନ ଦାନ ସାରି ସତ୍ୱରେ ବାହୁଡ଼ିଲେ

।।

ଚେନା ପାଟଣାରେ ପରବେଶ ହୋଇ

ବସାକରି ତହିଁ ରହିଲେ ନରସାଇଁ

।।

ଗଭର୍ଣ୍ଣର ସାହେବଙ୍କ କୁମରକୁ ସର୍ପ-

ଆଘାତ କରିଥିଲା ଦେଇ ମହା ତାପ

।।

ନାନା ପରକାରେ ପ୍ରୟୋଗମାନ କଲେ

ତା ଅଙ୍ଗରୁ ବିଷ ନଝଡ଼ିଲା ଭଲେ

।।

ସେ ଜୀବନ ତେଜିବାରୁ ଆସି ତାଙ୍କ

-କୂଳରେ ଯେତେରୂପେ ଥିଲା ବିଧିଯାକ

।।

କରନ୍ତେ ତା ଶ୍ରୀକର ଭଞ୍ଜ ନୟନରେ

ଦେଖି ପରବେଶ ହୋଇଲେ ସେଠାରେ

।।

ସେ ପିଲକୁ ନୟନେ ଦେଖିବା କ୍ଷଣି ଯାଇ

ମନ୍ତ୍ର ପଢ଼ି ଝାଡ଼ିଦେଲେ ତ୍ୱରା ହୋଇ

।।

ନିଦ୍ରା ଯିବା ଜନ ପରାଏ ସେ ଉଠିଲା

ଚଉଦିଗକୁ ଚାହିଁ ବଚନ କହିଲା

।।

ଗଭର୍ଣ୍ଣର ସାହେବ ଦେଖିବା କ୍ଷଣି ତାଙ୍କ

ମୁଖରେ ହସ ଜାତ ହୋଇଲା ଅନେକ

।।

ଶ୍ରୀକର ଭଞ୍ଜଙ୍କୁ ସେ ପୁଚ୍ଛିଲେ କେଉଁଠାରୁ

ଆସିଅଛ କହ ଆମ୍ଭଙ୍କୁ ନୋହି ଭୀରୁ

।।

ଶୁଣି ଶ୍ରୀକର ଭଞ୍ଜ ରାଜନ କହିଲେ

ଆମ୍ଭେ ଅଟୁ ଗୁମ-ସର ରାଜା ଭଲେ

।।

ହେ ସାହେବ ଆମ୍ଭ କୁମର ଧନଞ୍ଜୟ

ଭଞ୍ଜ ଅଟନ୍ତିଟି ବିଚାର ହୃଦୟ

।।

ରାଜ୍ୟରେ ସେ ବହୁତ ଅନ୍ୟାୟ ଆଚରିଲେ

ଆମ୍ଭେ ଶିକ୍ଷା ଦେବାରୁ କିଛି ନ ଘେନିଲେ

।।

ପଳାଇ ଯାଇ ନୂଆଁ ଗଡ଼ରେ ରହିଲେ

ଦୁଷ୍ଟ ନଷ୍ଟ ଲୋକଙ୍କ ସଙ୍ଗତରେ ନେଲେ

।।

ସେ ସମୟେ ଟଙ୍କାକୁ ତିନି ଭରଣ ଧାନ

ହେଲାଟି ଟଙ୍କାଟିଏ ନ ଦେଖିଲୁ ଜାଣ

।।

ଏ ସକାଶୁ ବେନି ସମ୍ବତ୍ସର ଯାଏ

ଜମା ବନ୍ଦି ଟଙ୍କା ପଇଠ କରି ନୋହେ !

।।

ନ ରହିଣ ଆମ୍ଭ କୁମର ଆମ୍ଭଠାରେ

ରହିଥିଲେ ଯାଇ ରାଜ୍ୟ ବାଣପୁରେ

।।

ସେହି ଠାରୁ ଚୋରମାନଙ୍କୁ ପେଷିଲେ

ପରରାଜ୍ୟ ଧନ ଯାକ ଲୁଟି ନେଲେ

।।

ବୁରାନ ସାହେବ ପ୍ରବେଶ ହେବାକ୍ଷଣି

ତାଙ୍କ ଠାରେ ଦେଖା ହୋଇଲେ ସେ ପୁଣି

।।

ସେ କରିବା ଦୁର୍ଣ୍ଣୟ ଆଚରଣ ମାନ

ଆମ୍ଭ ନାମରେ ଖ୍ୟାତ କଲେ ମନେ ଘେନ

।।

ବୁରାନ ସାହେବ ଘେନିଣ ନସକର

ପରବେଶ ହେଲେ ଆସି ଗୁମସର

।।

ସାହେବଙ୍କ ସଙ୍ଗେ କିପରି ଜୁଝିବୁ

ବୋଲି ଆମ୍ଭ ହୃଦରେ ବିଚାରି ରହିଲୁ

।।

ଦୁର୍ଗା ପ୍ରସାଦ ମାଳେ ରହିଲୁ ଯାଇ ଆମ୍ଭେ

ସେଠାକୁ ନସକର ଚଳିଲେ ଅଦମ୍ଭେ

।।

ସାହେବ, ଧନଞ୍ଜୟ ଭଞ୍ଜ ଯାଇଥିଲେ

ଦୁର୍ଗାପ୍ରସାଦରୁ ନସ୍କର ବାହୁଡ଼ିଲେ

।।

ନୁଆଁ ଗାଁ ଗ୍ରାମେ ଆସି ପରବେଶ ହେଲେ

ନସକର ସହିତେ ସାହେବ ରହିଲେ

।।

ବୁରାନ ସାହେବଙ୍କ ଠାରୁ ଅର୍ଜି ଲେଖି

ପଠାଇଲୁ ଆମ୍ଭେ ମନରେ ହୋଇ ସୁଖୀ

।।

ସେ ଆମ୍ଭଠାକୁ ‘‘ନୁଆଁ ଗ୍ରାମଠାରୁ ଭୋଗ—

କର" ବୋଲି ଲେଖି ଦେଲେ ସେ ମହାଭାଗ

।।

ତାହାଙ୍କର ହୁକୁମ ପ୍ରତିପାଳି ଆମ୍ଭେ

ରହିଲୁଟି କୁଲାଡ଼ ଗଡ଼ରେ ସଦମ୍ଭେ

।।

ରାଜ୍ୟଯାକରେ ପୁଅ ରାଜତ୍ଵକୁ କଲେ

ପୁରୁଣା ଗୁମସର ଗଡ଼ରେ ରହିଲେ

।।

ଏହି ରୂପେ ପାଞ୍ଚ ସମ୍ବତ୍ସର ଯାନ୍ତେ

କମ୍ପାନୀ ଘେନି ଧନଞ୍ଜୟ ନରପତେ

।।

କମ୍ପାନୀ କୁଲାଡ଼ରେ ପ୍ରବେଶ ହେବା ଶୁଣି

ଆମ୍ଭେ ସେ ସ୍ଥାନ ଛାଡ଼ି ମାଳକୁ ଗଲୁ ପୁଣି

।।

ଯେଉଁଠାରେ ଆମ୍ଭର ଲୋକମାନେ ଥିଲେ

ତାଙ୍କୁ ସେଠାରୁ ଘେନି ଗଲୁ ଜାଣ ଭଲେ

।।

ରାଜ୍ୟ ଜାକରେ ରାଜା ହୋଇ ଭୋଗ କଲେ

ଆମ୍ଭ ଜୀବନ ବୃତ୍ତି କିଛିହିଁ ନ ଦେଲେ

।।

ବିଚାରିଲୁ ଆମ୍ଭଠାରେ କରି ଦୟା

ଦେଇଥିଲେ କମ୍ପାନୀ ଛାଡ଼ି ସବୁ ମାୟା

।।

ପୁତ୍ର ବୋଲି ବିଚାରିବାରୁ ଆମ୍ଭ ଘାତ

ଆମ୍ଭେ ରାଜ୍ୟ ତେଜିଲୁ ରଖ ତୁମ୍ଭ ଚିତ୍ତ

।।

ଗାଲେରୀରେ ଆମ୍ଭେ କୁଟୁମ୍ବ ରଖିଲୁ

କାଶୀ, ପ୍ରୟାଗ ତୀର୍ଥ କରିବାକୁ ଗଲୁ

।।

ଅଯୋଧ୍ୟା ବାହାରେ ଦ୍ଵାରକାକୁ ଗଲୁ

ବଦରିକା ଆଶ୍ରମ ନୟନେ ଦେଖିଲୁ

।।

ପଶ୍ଚିମରେ ସମସ୍ତ ତୀର୍ଥରେ ସ୍ନାହାନ

ବାହୁଡ଼ିଲୁ କରିଣ ନ ରହି ବହନ

।।

ଶ୍ରୀରାମନାଥଙ୍କୁ ଦରଶନ କରି !

ସେତୁବନ୍ଧରେ ସ୍ନାନ, ଦାନ ଆଦି ସାରି

।।

ଆନଠାରେ ଆମ୍ଭର ଗତି ନାହିଁ ବୋଲି

ତୁମ୍ଭ ହଜୁରୁକୁ ଆସିଲୁ ବୁଲି ବୁଲି

।।

ସାହେବ ତାହା ଶୁଣି ଶୀଘ୍ରରେ କହିଲେ

ତୁମ୍ଭର କି ଇଚ୍ଛା କହହେ ବୋଇଲେ

।।

ଶ୍ରୀକର ଭଞ୍ଜ ରଜା କହିଲେ ବଚନ

ଆମ୍ଭର ପୁତ୍ର ହୋଇ ଅଛନ୍ତି ରାଜନ

।।

ଆମ୍ଭର ତ ତହିଁରେ ନାହିଁ ଇଚ୍ଛା ଲେଶ

ଆମ୍ଭେ ଭ୍ରମଣ କରୁଥାଉଁ ଦେଶ ଦେଶ

।।

କେଉଁଠାରେ ଆମ୍ଭର ନୋହିବା ପରି ଭୟ

ଲେଖିଦେଲେ ଆମ୍ଭେ ବୁଲିବୁ ଦେଶ ଚୟ

।।

ସାହେବ ସେହିକ୍ଷଣି ଅନୁଗ୍ରହ କରି

ଲେଖିଦେଲେ ମନରେ କିଛି ନବିଚାରି

।।

ସେ ଲେଖାକୁ ଘେନି ବୈଷ୍ଣବ ରୂପରେ

ଏ ପ୍ରଦେଶକୁ ଆସି ମିଳିଲେ ସତ୍ୱରେ

।।

ସୁରଙ୍ଗୀ ରାଜା ହରିଚନ୍ଦନ ତାଙ୍କର

ଭଣଜା ତ ଅଟନ୍ତି ଜନେ ମନେ କର

।।

ସେଠାରେ ଦୁଇମାସ ରହି ଗଞ୍ଜାମରେ

ପରବେଶ ହେଲେ ହର୍ଷ ମାନସରେ

।।

Unknown

ଦେଖାହୋଇ ସମସ୍ତ ସାହେବଙ୍କୁ କହି

ଟିକିଏ ପରିଯନ୍ତେ ରହିଲେ ତୁନି ହୋଇ

।।

ଶୁଣି ତାହା ସାହେବ କହିଲେ ରାଜନ

ଏହିଠାରେ ତୁମେ ରହ କିଛିଦିନ

।।

ସେଠାରେ କିଛିଦିନ ରହି ସାହେବଙ୍କୁ

ସିଲ ମାଗିଗଲେ ସେ ନୂଆଁ ଗଡ଼କୁ

।।

ନବଦୂର୍ଗ ମାନଧାତାଙ୍କୁ ଦେଖା ହେଲେ

ସେହିଠାରୁ ଖଣ୍ଡପଡ଼ା ଚଳିଗଲେ

।।

ଦଶପଲ୍ଲା ବଉଦରେ ସେ ରହିଲେ

କେନ୍ଦୁଝରରେ ଚତୁର୍ମାସ୍ୟାକୁ ବଞ୍ଚିଲେ

।।

ଗୁମସର ରଜ୍ୟରେ ଧନଞ୍ଜୟ ଭଞ୍ଜ

ଯେଉଁ କାଣ୍ଡ କରୁଥିଲେ ରୋଜ ରୋଜ

।।

ସେ ଚରିତ କିଛି କହୁଅଛି ମୁହିଁ

ଏଠାରୁ ସେ ଚରିତ ଶୁଣ ମନ ଦେଇ

।।

ଦାରେଗା ସୋଦର ଯେଉଁଠାରେ ଥିଲେ

ଲୋକ ପେଶି ସେ ସ୍ଥାନରୁ ଘଉଡ଼ିଲେ

।।

ସେମାନେ ଯାଇ କଲେକ୍ଟର ସାହେବଙ୍କୁ

କହିବାରୁ ସାହେବ ବହିଲେ କ୍ରୋଧକୁ

।।

ଗଭର୍ଣ୍ଣରଙ୍କ ଠାରୁ ତକ୍ଷଣେ ଲେଖିଲେ

ସେଠାରୁ ଫୁଲଚେର ସାହେବ ଆସିଲେ

।।

ଚାରି ପଟଲାମ ସଙ୍ଗତେ ନସ୍କର

ଧରି ଜୁଝିବାକୁ ଆସିଲେ ଗୁମସର

।।

ଧନଞ୍ଜୟ ଭଞ୍ଜେ ଏ ଖବର ଶୁଣି

କୁଗାଟିକି ବାହାରିଗଲେ ସେହିକ୍ଷଣି

।।

ବନ୍ଦୀଆ ଯେଉଁମାନେ ଥିଲେ ଗାଲେରୀରେ

ତାଙ୍କୁ ନେଇ ରଖିଲେ ମାନସ ଭୟରେ

।।

କେରାଣ୍ଡି ଖୋଲ ବୋଲି ଅଟଇ ଯେଉଁ ସ୍ଥାନ

ସେଠାରେ ପୁଟ କରି ରହିଲେ ରାଜନ

।।

ସେହିଠାରେ କୁଟୁମ୍ବ ସମସ୍ତ ରଖାଇଲେ

ବନ୍ଦୀଆକୁ ମଧ୍ୟ ସେସ୍ଥାନେ ଥୋଇଲେ

।।

ରାଜ୍ୟଯାକର କାର୍ଯୀ କରଣ କୁଟୁମ୍ବ

ସମସ୍ତଙ୍କୁ ସେହିଠାରେ ଦେଲେ ଠାବ

।।

ଫୁଲଚର ସାହେବ ଘେନିଣ ନସ୍କର

ଅତିଶୀଘ୍ର ପ୍ରବେଶ ହେଲେ ଗୁମସର

।।

ସାତହଜାର ଟଙ୍କା ଦେଇଣ ଦିଆନ–

-ପଟ୍ଟନାୟକଙ୍କୁ ପେଷିଲେ ବହନ

।।

ଗୁପତରେ ପିଣ୍ଡିକ ସନ୍ତୋଷ ରାଏଙ୍କୁ

ତାଙ୍କ ପଛେ ପଠିଆଇଲେ ଜଗିବାକୁ

।।

ସେ ଯାଇ ବାମନ ପୁରରେ ରହିଲେ

ଟଙ୍କାଟାଏ ଗୁପ୍ତ କରିଣ ରଖାଇଲେ

।।

ସାହେବଙ୍କ ଠାରେ ଯାଇ ଦେଖା ହେଲେ

ରାଜନ କହିଥିବା କଥାକୁ କହିଲେ

।।

ରାମକୃଷ୍ଣଙ୍କୁ ପୁଣି ନୃପତି ପେଶିଲେ

ସାହେବଙ୍କ ଠାରେ କହ ଯା ବୋଇଲେ

।।

ଦେଖା ହୋଇବାରେ ଏମାନଙ୍କୁ ଧରି

ଫୁଲଚର ସାହେବ ରଖିଲେ ବନ୍ଦୀ କରି

।।

ସେ ଉତ୍ତାରୁ ସାହେବ ଗାଲେରୀ ପ୍ରବେଶ

କରି ତହିଁ ରହିଲେ ଗୋଟିଏ ଦିବସ

।।

ନୃପତି ଖୋଲ ତେଜିଣ ଜିରାଙ୍ଗ

ନୃପତି କେରାଣ୍ଡି ଖୋଲ ତେଜିଣ ଜିରାଙ୍ଗ

।।

ଘାଟିରେ ପରବେଶ ହୋଇଣ ଆତଙ୍ଗ

ନୃପତିଙ୍କର ମନ ହୋଇଛି ବିଭଙ୍ଗ

।।

ଫୁଲଚର ସାହେବ ନସକର ଘେନି

ଗାଲେରୀରୁ ଗଲେ ହୋଇକରି ତୁନି

।।

ଧନଞ୍ଜୟ ଭଞ୍ଜ ଥିବାର ସ୍ଥାନକୁ

ଯିବା ଉଦ୍ୟମ କଲେ ନକରି ଭୟକୁ

।।

ପୂର୍ବରୁ ତ କନ୍ଧଙ୍କ ସଙ୍ଗତେ ବିବାଦ

କରିଥିଲେ ତେଣୁ କନ୍ଧମାନେ ହୋଇ କ୍ରୋଧ

।।

ପର୍ବତରେ ଚଢ଼ାଇ ଧନଞ୍ଜୟ ଭଞ୍ଜ

ପାଖେ ପ୍ରବେଶ କରାଇବାକୁ କଲେ ସଜ

।।

ଦୁଇଜଣ କନ୍ଧ କାହାରି ଆଗରେ

ସାହେବଙ୍କ ସୈନ୍ୟ ଧରି ଗଲେ ଖରେ

।।

ଆଠ ଘଡ଼ି ବେଳ ଭୋଗ ହୋଇବାରେ

ପରବେଶ ହେଲେ ଜିରାଙ୍ଗି ଘାଟିରେ

।।

ପର୍ବତରୁ ଓଲ୍ଲାଇବାର ନୃପ ଦେଖି

ପଳାଇଲେ ସେସ୍ଥାନ ସେକ୍ଷଣି ଉପେକ୍ଷି

।।

ଭିତର ଲୋକଙ୍କରୁ ପଞ୍ଚତ୍ରିଂଶ ଜଣ

ଟଙ୍କା ସୁନା ଧରି ପଳାଇଲେ ଜାଣ

।।

ବେନିଶତ ଭିତର ଲୋକ ସେ ସ୍ଥାନରେ

ରହିଲେ ସୁଜନେ ରଖହେ ମନରେ

।।

ପାଇକ ଯେତେ ଥିଲେ ସେସବୁ ପଳାଇଲେ

ହତ୍ୟାର ବନ୍ଦୀ ଲୋକ ଗୋଟିଏ ନରହିଲେ

।।

ଭଲ ଲୋକ କାର୍ଯୀ, କରଣ କୁଟୁମ୍ବ

ସେହିଠାରେ ରହିଲେ ହୋଇଣ ସଦମ୍ଭ

।।

ବନ୍ଦୀଆଙ୍କୁ ଦେଖି ସାହେବ ନୟନରେ

ଶାଙ୍କୋଳୀ କାଟିବାକୁ ଆଦେଶ ଦେଲେ ଖରେ

।।

ସାହେବ ସେମାନଙ୍କୁ ଯାହା ପଚାରିଲେ

ସମସ୍ତ ସତକଥା ଖୋଲିଣ କହିଲେ

।।

ଏ ଉତ୍ତାରୁ କେତେ ନମତା କେତେ ଜଣ

ନୃପଙ୍କ ଠାରେ ପରବେଶ ହେଲେ ଜାଣ

।।

ସେହିଦିନ ସେଠାରେ ରହିଣ ସମସ୍ତେ

କେରାଣ୍ଡି ଖୋଲିଠାରେ ମିଳିଲେ ତୁରିତେ

।।

ତାଲୁକାରେ ଭଲ ଲୋକ ଆଦି ଯେତେ.

କୁଟୁମ୍ୱମାନଙ୍କୁ ସେ ଧରିଣ ସଙ୍ଗତେ

।।

ସେହିଠାରେ ରାତ୍ର ରହି କୁପାଟିରେ

ପ୍ରବେଶ ହେଲେ ପଟଲାମ ସହିତରେ

।।

କୁପାଟି ଠାରୁ ପଟଲାମକୁ ସାହେବ

ମେଲାଣି କରିଦେଲେ ନକରି ବିଳମ୍ବ

।।

ଯେ ଯାହାର ସ୍ଥାନମାନଙ୍କରେ ରହି

ରହିଲେଟି ସମସ୍ତ ଦୁଃଖକୁ ଛାଡ଼ିଦେଇ

।।

ସେହିଠାରୁ ସାହେବ ବାହୁଡ଼ି ଆସିଲେ

ନୂଆଁ ଗ୍ରାମେ ଆସି ପରବେଶ ହେଲେ

।।

ନୁଆଁ ଗ୍ରାମେ ବେଣିପଲ୍ଲିରେ ନସକର

ରହିଲେ ମାନସରୁ ଭୟ କରି ଦୂର

।।

ପାସୁଟି କଲେକ୍ଟର ସାହେବ ଆସିଲେ

ନୁଆଁ ଗ୍ରାମେ ଆସି ପରବେଶ ହେଲେ

।।

ସେହିଠାରୁ ସମସ୍ତେ ପଳାଇଣ ଗଲେ

ପାଇଲିପଡ଼ା ଠାରେ ପରବେଶ ହେଲେ

।।

ମୁସ୍ତାଦାରମାନଙ୍କୁ ଡାକିଲେ ନିଆଜ

ହେବ ଆସ ଆଉ ରଜାରେ ନାହିଁ କାର୍ଯ୍ୟ

।।

ନବାଜିଲି ଭିକ ଭଞ୍ଜଙ୍କୁ ପେଶିଲେ

ଧନଞ୍ଜୟ ଭଞ୍ଜଙ୍କୁ ଆଣହେ ବୋଇଲେ

।।

ସେହକ୍ଷଣି ନବାଜିଲି ଭିକ ଭଞ୍ଜ

ଗଲେ ମାଳ ଦିଗକୁ ହୋଇକରି ସଜ

।।

ଧନଞ୍ଜୟ ଭଞ୍ଜଙ୍କ ଠାରେ ଦେଖା ହେଲେ

ତାହାଙ୍କୁ ପ୍ରବୋଧନା କରିଣ କହିଲେ

।।

ଶୁଣି ଧନଞ୍ଜୟ ଭଞ୍ଜ ବିଚାରିଲେ

ବିଚଣା ଗ୍ରାମେ ଆସି ପରବେଶ ହେଲେ

।।

ସେହିଠାରୁ ସାହେବ ତକ୍ଷଣେ ଆସିଲେ

ନାର୍ସୁ ନାଇଡ଼ୁ ବୋଲି ଦୋରା ସଙ୍ଗେ ଥିଲେ

।।

ସେହିଠାରେ ସାହେବଠାରେ ନୃପ ଦେଖା

ହେବାକ୍ଷଣି ସାହେବ କଲେ ଅତି ଶଙ୍କା

।।

ପାଇଲିପଡ଼ାଠାକୁ ଯିବାବେଳେ ଆସ

ଶୁଣି ନୃପଙ୍କର ଉଡ଼ିଲା ସାହସ

।।

ଏହିଠାରେ ଭୋଜନ କରି ଯିବୁ ଆମ୍ଭେ

ପାଇଲିପଡ଼ା ଠାକୁ ଯିବା ହେଉ ତୁମ୍ଭେ

।।

ସାହେବ ନୃପଠାରୁ ଶୁଣନ୍ତେ ଏ ଭାଷ

ଦୋଭାଷିଙ୍କି କହିଲେ ତୁମ୍ଭେ ଧରି ଆସ

।।

ସାହେବ ଏକଥାକୁ କହିଣ ଶୀଘ୍ରରେ

ପାଇଲିପଡ଼ାଠାରେ ମିଳିଲେ ସତ୍ୱରେ

।।

ଧନଞ୍ଜୟ ଭଞ୍ଜ ଯୋଗଣ କକ୍ଷାକୁ

ସେହିକ୍ଷଣି ଗଲେ ମଣୋହି କରିବାକୁ

।।

ହୃଦୟରେ ନୃପ ଭାଳିଲେ କିରୂପରେ

ପଳାଇଲେ ଏକା ପ୍ରାଣ ରହିପାରେ

।।

ଗୋପବନ୍ଧୁ ବ୍ରାହ୍ମଣଙ୍କୁ ଡାକିକରି

କହିଲେଟି ଏକାନ୍ତରେ ଦଣ୍ଡଧାରୀ

।।

ତୁମେ ଯାଇ ସୁରେଖା ଘୋଡ଼ାକୁ ତୟାର

କର ଶୀଘ୍ର ଆଣ ବିଳମ୍ବ କରି ଦୂର

।।

ଆଜ୍ଞା ପାଇ ଗୋପବନ୍ଧୁ ଚଳିଗଲେ

ସେହିକ୍ଷଣି ସୁରେଖା ଘୋଡ଼ାକୁ ଆଣିଲେ

।।

ଧନଞ୍ଜୟ ଭଞ୍ଜେ ଯୋଗଣ ସାରିଲେ

ତୋରା ହୋଇ ଘୋଡ଼ା ସମୀପେ ମିଳିଲେ

।।

ଘୋଡ଼ା ଚଢ଼ି ବାହାରି ଯିବାକୁଟି ମନ

କର ଅଶ୍ଵପାସକୁ କଲେକ ଗମନ

।।

ଅଶ୍ଵ ବସିବା କଥା ଜାଣନ୍ତି ଦୋଭାଷୀ

ଅଶ୍ଵବାଗ ଧଇଲେ ହୋଇଣ କର୍କଶୀ

।।

ରାଜାଙ୍କୁ ପାଲିଙ୍କି ପରେ ବସାଇଲେ

ପାଇଲିପଡ଼ା ଠାରୁ ଧରି ଘେନିଗଲେ

।।

ସାହେବଙ୍କ ଆଗେ ରଜାଙ୍କ ଆଚରଣ

ଶୀଘ୍ର ପ୍ରକାଶିଲେ ଦୋଭାଷୀ ବସିଣ

।।

ବେଣୀପଲ୍ଲିକୁ ପଠିଆଇଣ କମ୍ପାନୀ

ଗୋଟିଏ ଅଣାଇଲେ ସାହେବ ହୋଇ ତୁନି

।।

ନୃପଙ୍କଠାରେ ତଇନା ତ କରାଇଲେ

ପାଇଲିପଡ଼ାଠାରେ ରାତ୍ରକ ରହିଲେ

।।

ସଙ୍ଗରେ ନସ୍କର ଦେଇ ଗଞ୍ଜାମକୁ

ପଠିଆଇ ଦେଲେ କରିଣ କ୍ରୋଧକୁ

।।

ସବୁଠାକୁ ଲେଖିଲେ ଭଞ୍ଜ ପକାଉଥିଲେ

ଧରି ଆଣିଲୁ ବୋଲି ସଂସାର କ୍ଷାତ କଲେ

।।

ଗଭର୍ଣ୍ଣମେଣ୍ଟଙ୍କ ପାଖକୁ ଲେଖିଲେ

ଧନଞ୍ଜୟ ଭଞ୍ଜ ପଳାଇ ଯାଉଥିଲେ

।।

ଆମ୍ଭେ ଧରି ଆଣିଲୁ ବୋଲିଣ ତାହାଙ୍କୁ

ଏହିପରି ଲେଖିଲେ ଗଭର୍ଣ୍ଣରଙ୍କ ଠାକୁ

।।

ତାହା ଶୁଣି ଗଭର୍ଣ୍ଣର କଲେକ୍ଟରଙ୍କୁ

ଦଶ ହଜାର ଶଙ୍କା ଦେଲେ ଇନାମକୁ

।।

ସପ୍ତଦଶ ଶତ ଉନଚତ୍ୱାରିଂଶ

ଶକାବ୍ଦେ ଧନଞ୍ଜୟ ଭଞ୍ଜ ନରଈଶ

।।

ଚତୁର୍ଦ୍ଦଶ ବରଷ ସୁଖରେ ରାଜତ୍ଵ

କରିଣ ବନ୍ଦୀ ହେଲେ ଶୁଣ ହେ ପଣ୍ଡିତ

।।

ସେ ଉତ୍ତାରୁ ଅମାନି ହେବାରୁ ଅମିନ

ଅଚ୍ୟୁତ ରାମ ନାମେ କମା ହେଲେ ଜାଣ

।।

ଏ ଗୁମସର ଅବନୀକି ସେ ବୁଝିଲା

ଏ ଉତ୍ତାରୁ ଜନେ ଶୁଣ ଯାହା ହେଲା

।।

ଧନଞ୍ଜୟ ଭଞ୍ଜଙ୍କୁ ଗଞ୍ଜାମ ଜଇଲରେ

ଘାଟ ଜଗାଇଣ ରଖିଲେ ଆକଟରେ

।।

ଶ୍ରୀକର ଭଞ୍ଜଙ୍କୁ ଦୂତ ବରଗିଲେ

ଦୂତ ଯାଇ କେନ୍ଦୁଝରରେ ଭେଟିଲେ

।।

ଦୂତେ ଯିବାକ୍ଷଣି ତୋରା ଅତି ହୋଇ

ଗଞ୍ଜାମକୁ ଆସିଲେ ଶଙ୍କାକୁ ଛାଡ଼ିଦେଇ

।।

ତାଙ୍କୁ ମଧ୍ୟ ଜଇଲେ କରିଣ ରଖିଲେ

ଏକ ଘରଟିଏ ତୟାର କରି ଭଲେ

।।

ଗଭର୍ଣ୍ଣମେଣ୍ଟଙ୍କ ଠାରୁ ଦରଖାସ୍ତ ଲେଖି

ପଠାଇଲେ ପିତା, ପୁତ୍ର ହୋଇ ଦୁଃଖି

।।

ଉଟୁକାଟୁ କଲେକ୍ଟର ସାହେବଙ୍କୁ

ତେବେ ଡକାଇଲେ ଚେନା ପାଟଣାକୁ

।।

ଫ୍ଳେଚର ସାହେବଙ୍କୁ ମଧ୍ୟ ଡକାଇଲେ

ଚେନା ପାଟଣାରେ ହାଜର ନେଇ କଲେ

।।

ନୃପତିଙ୍କ ବିମର୍ଶୀ କରାଇ ସେଠାରେ

ଟୋପି ବେତ ଛଡ଼ାଇ ରଖିଲେ ସେଠାରେ

।।

କଲେକ୍ଟର ବଦଳିରେ କ୍ୱାଜିଲେଟ୍ ସାହେବଙ୍କୁ

ପେଷିଲେ ଗଭର୍ଣ୍ଣର ଗଞ୍ଜାମ ଜିଲ୍ଲାକୁ

।।

ତ୍ରାବର୍ସୁ ସାହେବଙ୍କୁ ମଧ୍ୟ ପେଷି ଦେଲେ

ସେ ଆସି ଗଞ୍ଜାମ ଜିଲ୍ଲାକୁ ବୁଝିଲେ

।।

ନୃପଙ୍କ ଭିତର ଯେତେ ଲୋକ ଥିଲେ

ସେ ତ କମ୍ପାନୀରେ ଧରା ପଡ଼ିଗଲେ

।।

ସେ କହିଲେ ବରନ୍ ସାହେବ ଆଗରେ

ପାଟ ମହାଦେଇ ଆଦିଙ୍କ କ୍ରୋଧରେ

।।

ମାଇଲେ ଆଉ ମୋତେ କର୍ମ ଅଛି ହୋଇ

ତା କହିଲେ କଥା ସରିବ ତ ନାହିଁ

।।

ଆମ୍ଭ କପାଳରେ ଅର୍ଜିଥିବା ଭୋଗ-

କଲୁ ଆହେ ବରନ୍ ସାହେବ ମହାଭାଗ

।।

ପୁତ୍ର ବଳଭଦ୍ର ଭଞ୍ଜଙ୍କ ପ୍ରାଣନାଶ

କରି କୂପେ ପୋତାଇଲେ ନରଇଶ

।।

ଏ ବାହାରେ ବାଳ କୁମାର କୁମାରୀଙ୍କୁ

ଗର୍ଭିଣୀ ଯୁବାସ୍ତୀରି ବୃଦ୍ଧାଦିମାନଙ୍କୁ

।।

ତାହା ଶୁଣି ସାହେବ ପୋତିବା କୂପକୁ

ଦେଖିବାକୁ ମନ କଲେ ଉତ୍ସାହକୁ

।।

କହିବାର ସ୍ତିରୀମାନଙ୍କୁ ସଙ୍ଗତରେ

ଧରି ଶୀଘ୍ରେ ପ୍ରବେଶ କୁଲାଡ଼ ଗଡ଼ରେ

।।

ପୋତିଥିବା କୂପକୁ ସେମାନେ ଦେଖାଇଲେ

ସାହେବ ଲୋକ ଲଗାଇଣ ଖୋଳାଇଲେ

।।

କୂପରୁ ଅସ୍ତି ବିଶେଷରେ ବାହାରିଲା

ହୃଦୟ, ପଦ, ଶୀର ଭିନେ ଜଣାଗଲା

।।

ସାହେବ ସେ ଅସ୍ତିମାନଙ୍କୁ କଢ଼ାଇଲେ

ତାକୁ ଧରି ଶୀଘ୍ରରେ ଗଞ୍ଜାମକୁ ଗଲେ

।।

ସେ ସମୟରେ ଗଞ୍ଜାମରେଟି ମରକ

ଉପଦ୍ରବ ପଡ଼ିଲା କର ହେ ବିବେକ

।।

କମ୍ପଜ୍ୱର ପ୍ରଭୃତି ବାନ୍ତି ହୋଇବାରେ

ବହୁତ ଲୋକ ମଲେ ସେହି ସମ୍ବତ୍ସରେ

।।

ସେ ବସ୍ତିରେ ଥିବା ଲୋକ ପଳାଇଲେ

ସାହେବମାନେ ମହା ଉଦ୍‌ବେଗ ପାଇଲେ

।।

କଚେରୀ ଭାଙ୍ଗି ଦେଇ ଭାଆପୁର ଠାରେ

କଚେରୀ କଲେ ଯାଇ ଅତି ଉଦ୍‍ବେଗରେ

।।

ଶ୍ରୀକର‌ ଭଞ୍ଜ, ଧନଞ୍ଜୟ ଭଞ୍ଜ ରାଜା

ଦୁହିଁଙ୍କି ଘେନିଗଲେ ଭାବ ରଖି ମଜ୍ଜା

।।

ଭାଆପୁର ଠାରେ ଘର ସଜାଡ଼ିଲେ

ନସ୍କର ତଇନାତ କରିଣ ରଖିଲେ

।।

ଏଥି ଉତ୍ତାରୁ ଧନଞ୍ଜୟ ଭଞ୍ଜ ଇଶ

ଗୁମସର ମାଳକୁ ଲେଖିଲେ ସଂଦେଶ

।।

ତୁମେ ସମସ୍ତେ ହୋଇଣ ପିଂତୁର

କର ଏଥୁ ଶ୍ରେୟ ହୋଇବ ଆମ୍ଭର

।।

ଏ ଖବର ଶୁଣି ବୀରବର ପାତ୍ର

ତାର ଭାଇ ବକ୍‌ସି ହୋଇ ଏକ ସାଥ

।।

ସୁନିଆଁ ସିଙ୍ଗ, ବାହୁବଳେନ୍ଦ୍ର ଏକା ହେଲେ

ଅଭୟ ବଳିୟାର ସିଙ୍ଗକୁ ସଥି କଲେ

।।

କୁଲାଡ଼ ସରଦାର, ଳୋକଳ ବା ଅଗେରା

ଏମାନେ ଜମା ହେଲେ ହୋଇ ଅତି ତୋରା

।।

ଜଗନ୍ନାଥ ପ୍ରସାଦ ମୁଠାର ସରଦାର

ଏକାଦଶୀ ନାୟକ ନାମଟି ତାଙ୍କର

।।

ପଟସିଙ୍ଗ, କେମ୍ପା ଉଦଣ୍ଡରା ଦୁଇ

ଏ ସମସ୍ତ ଲୋକମାନେ ସାଥି ହୋଇ

।।

ମାଳ କନ୍ଧ ମଳିକ ଦିଗାଳମାନଙ୍କୁ

ଡକାଇ ଅଣାଇଲେ ନକରି ବିଳମ୍ବକୁ

।।

ଏକାଠି ହୋଇକରି ପ୍ରମାଣକୁ କଲେ

ସେହି ରାତ୍ର ଜିଲୁଣ୍ଡି ଗ୍ରାମରେ ମିଳିଲେ

।।

ପାତ୍ର ହେବା କୁରୁମ ରତ୍ନ ପ୍ରଧାନଙ୍କୁ

ହାଣି ପକାଇଲେ ଛାଡ଼ି ଓପ୍ରୋଧକୁ

।।

କୁଲାଡ଼ରେ ଦିଆନ ପଟ୍ଟନାୟକଙ୍କୁ

ହାଣିପକାଇଲେ ନକରି ବିଳମ୍ୱକୁ

।।

ରାଜ୍ୟ ପୋଡ଼ିକରି ଫିତୁର ଉଆଇଲେ

ଗ୍ରାମମାନଙ୍କରୁ ଧନ ଲୁଟି କଲେ

।।

ଚାରିଦିନ ଭିତରେ ରାଜ୍ୟ ଭାଙ୍ଗିଦେଲେ

ଶିବ ଅଙ୍ଗ ଯୋଗ୍ୟ ଗୁମସର କଲେ

।।

ତାହା ଦେଖି ରାଜ୍ୟ ଲୋକେ ପଳାଇଲେ

ପାରି ରାଜ୍ୟମାନଙ୍କେ ଯାଇ ପୁଟ କଲେ

।।

ସାହେବଙ୍କୁ ହେବାରୁ ଏ ଖବର ଜଣା

ସେକ୍ଷଣି ଅମିନକୁ ଲେଖିଲେ ପରବାନା

।।

ଏ ଖବରଯାକ କିରୂପେ ହୋଇଲା

ରାଜ୍ୟେ ଫିତୁରୀ କି ନିମନ୍ତେ ଜାତ ହେଲା

।।

ଏ ଖବରଯାକ ବିବରଣ କରି

ଆମ୍ଭଠାକୁ ଲେଖିବ ବିଳମ୍ବ ନକରି

।।

ସେହିକ୍ଷଣି ଅମିନ ଆରତ ହୋଇଲେ

ସବୁ ଖବର ଶୁଣି ହୃଦଗତ କଲେ

।।

କାଗଜ କଲମକୁ ଧଇଲେ ହସ୍ତରେ

ସାହେବଙ୍କ ଠାରୁ ଲେଖିଲେ ଶୀଘ୍ରରେ

।।

ଚାରି ଅମାଇତ ମାଳ କନ୍ଧଯାକ

ମେଳି ହେଲେ କରି ନକରିଣ ଦକ

।।

ଧନଞ୍ଜୟ ଭଞ୍ଜ ରଜାଙ୍କ କୁମର

ବଳଭଦ୍ର ଭଞ୍ଜ ନାମ ତାହାଙ୍କର

।।

ଯୋଗୀନାଥ ଭଞ୍ଜ ନାମରେ ଥାଟ ରାଜା

ପିଣ୍ଡିକ ଭଞ୍ଜ ମିଶି ଏକତ୍ୱ କରି ମଜ୍ଜା

।।

ବୃନ୍ଦାବନ ଭଞ୍ଜଙ୍କୁ ପାଖେ ରଖିଥାନ୍ତି

ସେ ଦୁର୍ମାର୍ଗ କଥାମାନଙ୍କୁ ବଳାନ୍ତି

।।

ଚାରି ଅମାନାତ୍ୟ ଦେଶ ଲୋକେ ମିଶି

ଫିତୁରୀ କି କରନ୍ତି ହୋଇ ଅତି ସୁଖୀ II

।।

ଏହିପରି ଖବର ଅମିନ ଲେଖିଲେ

ଶୁଣି ତାହା ସାହେବ ମହା କ୍ରୋଧ ହେଲେ

।।

କମ୍ପାନୀ ସଙ୍ଗେ ଦେଇ ଧନଞ୍ଜୟ ଭଞ୍ଜଙ୍କୁ

ପେଷି ଦେଲେ ସାହେବ ଦକ୍ଷିଣ ଦିଗକୁ

।।

କୁଟୁମ୍ବମାନେ ଧରାକୋଟରେ ତ ଥିଲେ

ତାଙ୍କୁ ମଧ୍ୟ ନେଇ ସେ ସ୍ଥାନେ ରଖିଲେ

।।

ସମସ୍ତଙ୍କୁ ଧରି ସଙ୍ଗତେ ରାଜନ

ଖେଦ ମାନସରେ କଲେକ ଗମନ

।।

ବିଷ୍ଣୁ କାଞ୍ଚିରେ ନେଇ ତାହାଙ୍କୁ ରଖିଲେ

କୁଟୁମ୍ବାଦି କମ୍ପାନୀ ତଇନାତ କଲେ

।।

ଏ ଭିତରେ ପାଇଲିପଡ଼ା, ଅଣଗିରି

ବିଷ୍ଣୁ ଚକ୍ର, ବାଲିପଦର ମୁଠା ଚାରି

।।

ଏ ଚାରିମୁଠା ପଧାନମାନଙ୍କ ନାମରେ

ଆଜ୍ଞମାନ ଲେଖି ସନ୍ତକ କଲେ ଖରେ

।।

ତାସବୁ ରଘୁନାଥ ମହାପାତ୍ର ଠାକୁ

ପଠିଆଇ ଦେଲେ ନକରି ବିଳମ୍ୱକୁ

।।

ସେ ଆସି ସମସ୍ତ ପଧାନଙ୍କ ଠାରେ

ରଜାଙ୍କ ଆଜ୍ଞାସବୁ ଦେଲା ଗୁପତରେ

।।

ଶୁଣିକରି ଅମୀନ ମନରେ କ୍ରୋଧ ହେଲା

ନେଇକରି ନିମିନା ଗ୍ରାମରେ ବନ୍ଦୀ କଲା

।।

ଏହାଶୁଣି ଯୋଗୀନାଥ ଭଞ୍ଜ ଗଲେ

ବୀରବର ପାତ୍ର ଆଦିଙ୍କୁ କହିଲେ

।।

ସେହି ରାତ୍ର ତିରିଶ ଲୋକ ଧରି ଗଲେ

ରଘୁନାଥ ପାତ୍ରଙ୍କୁ ବନ୍ଦୀରୁ ଆଣିଲେ

।।

ପାଖ ଗ୍ରାମମାନଙ୍କୁ ଦହନ କରିଦେଲେ

ବହନରେ କୁଲାଡ଼ ଗଡ଼କୁ ଫେରିଲେ

।।

ସେହକ୍ଷଣି ଅମୀନ ସେ ଗ୍ରାମକୁ ଛାଡ଼ିଲା

ଗହଙ୍ଗୁ ଗ୍ରାମେ ଯାଇ ପରବେଶ ହେଲା

।।

ସେଠାରେ ରହି ନପାରି ସେ ଭେଟନଇ

ଯାଇ କରି ରହିଲା ଚିତ୍ତରେ ଭୟ ଥୋଇ

।।

ଏହିରୂପେ କେତେଦିନ ବହିଯାନ୍ତେ

କମ୍ପାନୀମାନେ ମାଳ ଦିଗକୁ ଚଳନ୍ତେ

।।

ପାଣି ଘାଟମାନଙ୍କରେ ଜଗି ଯୁଦ୍ଧ କଲେ

ଖାଇବାର ସରଞ୍ଜାମ ଗୋଟିଏ ନଛାଡ଼ିଲେ

।।

ବଣ ପର୍ବତରେ ରହି କନ୍ଧମାନେ

ଗୁଳି, କାଣ୍ଡ ମାଇଲେ ଶଙ୍କା ତେଜି ମନେ

।।

ଏ ବାହାରେ ଚାରି ଅମାତ୍ୟ ଯୋଗୀନାଥ–

ଭଞ୍ଜ, ବୃନ୍ଦାବନ ଭଞ୍ଜ ପାଇ ଖେଦ

।।

ସାହେବଙ୍କ ଠାକୁ ଲେଖିଲେ ଚିଟାଉ

ଦେଉଙ୍କର ଜୀବନ ବୃତ୍ତିକି ଦେବା ହେଉ

।।

ଆମ୍ଭେମାନେ ସମସ୍ତେ ନିବର୍ତ୍ତି ରହିବୁ

ଆଜିଠାରୁ ଫିତୁରୀ ଆଉ ନକରିବୁ

।।

ସେକ୍ଷଣି ଯୋଗୀନାଥ ଭଞ୍ଜ ଥାଟରାଜା

ପାତ୍ର ଟଙ୍କଧର ଏକତ୍ୱ କରି ମଜ୍ଜା

।।

ଦୁହେଁ ବୋହିହୋଇ ସବାରୀମାନଙ୍କରେ

ଆସି ପ୍ରବେଶ ହେଲେ ଆସିକା ଗ୍ରାମରେ

।।

କ୍ୱାଜିଲେଟ୍ କଲେକ୍ଟର ସାହେବ

ସେହିଠାରେ ପୂର୍ବରୁ କରିଥିଲେ ଠାବ

।।

ତାଙ୍କଠାରେ ଦେଖା ହୋଇ ଦୁଇଜଣ

ସମସ୍ତ ଚରିତକୁ କଲେକ ବଖାଣ

।।

ସେହିକ୍ଷଣି ସାହେବ ସୁବୁଦ୍ଧିମାନଙ୍କୁ

ପେଷିଲେ ବଳଭଦ୍ର ଦେଉଙ୍କୁ ପେଷିବାକୁ

।।

ଅଶ୍ୱ ଚଢ଼ି ମୁସୁଦ୍ଧିମାନଙ୍କୁ ଦେଖାଇଲେ

ଦେଖି ମୁସୁଦ୍ଧିମାନେ ସନ୍ତୋଷ ହୋଇଲେ

।।

ଖର୍ଚ୍ଚକୁ ଯେତେ ଟଙ୍କା ପାଆନ୍ତି ସେମାନେ

ସାହେବଙ୍କ ହଜୁରେ କହିଲେ ତୋଷମନେ

।।

ବଳଭଦ୍ର ଦେଉଙ୍କୁ ଦେଖିଲୁ ଯାଇ ଆମ୍ଭେ

ଅଶ୍ଵଚଢ଼ି ଦେଖା ହେଲେ ସେ ମନ ଦମ୍ଭେ

।।

ବେଶରୁ ଜଣାଯାଏ ସେ ବଳଭଦ୍ର ଦେଉ

ପୂର୍ବରୁ ଦେଖିଥିଲୁ ସନ୍ଦେହ ନାହିଁ ଆଉ

।।

ତାହା ଶୁଣି ସାହେବ ମନରେ ସୁଖି ହେଲେ

ଯୋଗୀନାଥ ଭଞ୍ଜଙ୍କୁ ପାଖକୁ ଡକାଇଲେ

।।

ଟଙ୍କଧର ପଟ୍ଟନାୟକଙ୍କୁ ଡାକି

କହିଲେ ସାହେବ ଉତ୍ତମ ବାଣୀକି

।।

ସମ୍ବତ୍ସରକୁ ଷୋଳ ହଜାର ଟଙ୍କା ନିଅ

ଦେଉଙ୍କୁ କହ, ଯାଇ ନିଶ୍ଚିନ୍ତ ହୋଇ ରହ

।।

ଏହାଶୁଣି ସେମାନେ ଶୀଘ୍ରେ ଚଳିଗଲେ

କୁପାଟି ତକତ ସେଠାରେ ରହିଲେ

।।

ଏଥୁଅନ୍ତେ ଜନେ ଶୁଣ ମନ ଦେଇ

ଶ୍ରୀକର ଭଞ୍ଜ ରଜା ଭାଆପୁରେ ଥାଇ

।।

ନିତି ବସି ମନେ ବିଚାରକୁ କଲେ

ଆମ୍ଭଙ୍କୁ ବନ୍ଦୀକରି ଏଠାରେ ରଖିଲେ

।।

ପୁଅକୁ ନେଇ ବଡ଼ ଦୂରରେ ରଖିଲେ

ଆମ୍ଭ ଦୁହିଙ୍କଠାରୁ ବଂଶ ନାଶ ହେଲେ

।।

ଏଠାରୁ ଆମ୍ଭେ ଯେବେ କିରୂପେ ପଳାଇବା

ବଳଭଦ୍ର ଭଞ୍ଜଙ୍କୁ ନୟନେ ଦେଖିବା

।।

ସ୍ନେହଭରୁ ସେ ନାତି ଅଟନ୍ତି ଆମ୍ଭର

ତାଙ୍କୁ ଗୁମସରେ କରାଇବା ନରବର

।।

ତାଙ୍କ ପାଖେ ରହି ସୁଖେ ଦିନ ନେବା

ଜୀବନ୍ତ ପର୍ଯ୍ୟନ୍ତରେ ଗୁମସରେ ଥିବା

।।

ସେ ସରିକି ତାହାଙ୍କର ଚେଲାଟିଏ

ଥିଲା ମୋହନ ଦାସ ବୋଲିଣ ଗୋଟିଏ

।।

କୃପାସିନ୍ଧୁ ନାମରେ ଥିଲାଟି ଗୋଟିଏ

ଗୁମସର ଗଜ୍ୟରେ ଘର ସେ କରିଥାଏ

।।

ଜଳ ଦେବା ନିମନ୍ତେ ଗଉଡ଼ ଜଣେ ନିତି

ରହିଥାଏ ଶ୍ରକର ଭଞ୍ଜଙ୍କର କତି

।।

ଟାଙ୍କାଣ ଘୋଡ଼ା ଧରି ପରିଡ଼ା ଜଣେ ଥାଏ

ସେ ଘୋଡ଼ାର ବେଗ ମନରୁ ବଳିଯାଏ

।।

ସେଦିନ ସରିକି ମହୁରି ପର୍ବତରେ

ମହାରଥ ଥାଇ ଫିତୁରୀକି କଲେ

।।

ନୃପ ଜାଣି ପାଖରେ ଥିବା ଲୋକଙ୍କର

ସଙ୍ଗତରେ ବସି କଲେକ ବିଚାର

।।

ଘରେ ଲୁଚିକରି କେରାଣ୍ଡି ଖୋଲରେ

ପରବେଶ ହେଲେ ଦରାଣ୍ଡି ଅନ୍ଧାରେ

।।

ସେହି ସଂଧ୍ୟାକାଳରୁ ପରିଡ଼ା ଘୋଡ଼ା ଧରି

ଗୁମସରକୁ ଗଲା ରାତ୍ର ଲୁଚିକରି

।।

ଆଠଦିନ ଯାଏଁ ରାଜନ ସେ ପର୍ବତେ

ରହିଲେଟି ଭୟ ଧରି ହୃଦଗତେ

।।

ଗୁମସର ଅମାତ୍ୟମାନଙ୍କୁ ଖବର

ଦେଲେ ଶ୍ରୀକର ଭଞ୍ଜ କରିଣ ବିଚାର

।।

ବାହୁବଳେନ୍ଦ୍ର ବୋଲି ଅମାନାତ୍ୟ ଜଣେ

ପଦାର୍ଥ ସଙ୍ଗେ ଧରି ପ୍ରବେଶ ବଣେ ବଣେ

।।

ସେ ପର୍ବତେ ନୃପଙ୍କଠାରେ ଦେଖା ହେଲା

ନୃପଙ୍କୁ ଧରି ନିଶା ରାତ୍ରରେ ଗମିଲା

।।

ଧରାକୋଟ ବାଟେ ଯାଇ ଗୁମସର

ପରବେଶ ହେଲେ କୁପାଟୀ ଗ୍ରାମର

।।

ସେହିଠାରେ ରହିଲେ ନୃପତି କରି ଘର

ସେ ଅନ୍ତେ ଯାହା ହେଲା ଶୁଣ ସୁଜ୍ଞନର

।।

ବଳଭଦ୍ର ଦେଉ ବୋଲିବା କନ୍ୟା ସେହୁ

ଥାନରେ ଥିଲେ ନୃପ ଅଧିକାର ସେହୁ

।।

ସେ ଆସି ନୃପଙ୍କ ଛାମୁରେ ଦେଖା ହେଲେ

ନଜାଣି ନୃପ ତାଙ୍କ ସହ ସ୍ନେହ କଲେ

।।

ଗୁମସର ଲୋକ ଭଲ ଯେତେ ଥିଲେ

ଶ୍ରୀକର ଭଞ୍ଜଙ୍କର ଛାମୁରେ ଦେଖା ହେଲେ

।।

ସେ ସମୟକୁ ଶାଳୀ ବାହନ ସତରଶ

ଚତ୍ୱାରିଂଶ ସମ୍ବତ୍ସର ହେଲା ଶେଷ

।।

ପୂର୍ବରୁ ତ ଯୋଗୀନାଥ ଭଞ୍ଜ ଯାଇ

କଲେକ୍ଟର ସାହେବଙ୍କୁ ଥିଲେ କହି

।।

ଷୋଳ ହଜାର ଟଙ୍କା ଥିଲେ ନିର୍ଣ୍ଣୟ କରି

ସେ ସରିକି ଅମୀନ ମଣି ଚଉଧୁରୀ

।।

ଯୋଗୀନାଥ ଭଞ୍ଜଙ୍କୁ ନୃପତି ରତନ I

କହିଲେ ରହ ତୁମେ ଅମୀନ ସନ୍ନିଧାନ

।।

ଚ୍ୟାଉ ପଟ୍ଟନାୟକଙ୍କୁ ସଙ୍ଗେ ନିଅ

ମନୋବୃତ୍ତିକି ଦେବେ ସାହେବଙ୍କୁ କହ

।।

ସମସ୍ତ ବିଷୟକୁ ପ୍ରଧାନଙ୍କୁ କହି

ଖର୍ଚ୍ଚକୁ ଆଣ କିଛି ରୁପିଆ ମଗାଇ

।।

ତୁମ ସଙ୍ଗେ ସନ୍ତୋଷରାକୁ ଧରିଥାଅ

ସେ ପଧାନମାନଙ୍କୁ କହିବେ ନିଶ୍ଚୟ

।।

ଏହା ଶୁଣି ନୃପଙ୍କର ଛାମୁରେ ମେଲାଣି

ହୁଅନ୍ତେ ସେ ଚ୍ୟାଉଙ୍କୁ ସଙ୍ଗେ ଗଲେ ଘେନି

।।

ଗହଙ୍ଗୁ ଗ୍ରାମେ ବସା କରିଣ ରହିଲେ

ପଧାନଙ୍କୁ ନୃପଙ୍କ କଥାକୁ କହିଲେ

।।

ଯାହା ପଧାନ ଦେଲେ ତାନେଇ ସନ୍ତୋଷରା

ଦେଲେ ନୃପ ଛାମୁରେ ହୋଇ ଅତି ତୋରା

।।

ଏହିପରି ଚାରିମାସ ବିତିଗଲା

ଏ ଅନ୍ତରେ ଜନେ ଶୁଣ ଯାହା ହେଲା

।।

ଶ୍ରୀକର ଭଞ୍ଜ ରାଜା କୁପାଟୀ ଗ୍ରାମରେ

ରହିଥିଲେ ଭୟକୁ ରଖି ମାନସରେ

।।

ଏକାଦଶୀ ଦିନ ଶ୍ରୀ ମହାପ୍ରସାଦ

ସେବା କରୁଥିଲେ ହୋଇ ଅତି ମୋଦ

।।

ବଳଭଦ୍ର ଦେଉଙ୍କୁ ଡାକିଣ କହିଲେ

ଆସ ମହାପ୍ରସାଦ ସେବା କର ଭଲେ

।।

ସହଜେ ବଳଭଦ୍ର ଦେଉ ସେ ନୁହନ୍ତି

ତେଣୁ ଶଙ୍କା କଲେ ନପାଇ ତାଙ୍କ କତି

।।

ନୃପତିଙ୍କ ସଙ୍ଗେ ଖାଇବା ଭରଷା

ନୋହିବାରୁ ତେଣୁ ଦେଲେ ମୁର୍କି ହସା

।।

ମଉନ ସେ ହୋଇ ରହନ୍ତେ ନରବର

ତେଣୁକରି ଜାଣିଲେ ତାଙ୍କର ବେଭାର

।।

ଯେଉଁମାନଙ୍କୁ ପଚାରିଲେ ସେ କହିଲେ

ଭଳଭଦ୍ର ଦେଉ କହନ୍ତି ଏଙ୍କୁ ଭଲେ

।।

ସେହକ୍ଷଣି ତାଙ୍କର ଥିବା ସଙ୍କେତମାନ

ଅନୁମାନ କରି ନୃପ ବିଚାରିଲେ ମନ

।।

ସର୍ବ ସ୍ଥାପି ଏହୁ ଧନଞ୍ଜୟ ଭଞ୍ଜ ସୁତ

ନୁହଇ ସ୍ତିରୀ ପିଲା ଅଟେ ଏ ନିୟତ

।।

ସାହେବଙ୍କ ଠାରୁ ଅରଜି ସତ୍ୱରେ

ଲେଖି ଭଲ ଲୋକଙ୍କୁ ପେଷି ଦେଲେ ଖରେ

।।

ଭଲ ଲୋକମାନଙ୍କୁ କହିଲେ ନୃପମଣୀ

ଯୋଗୀ ଭଞ୍ଜ ଅମାତ୍ୟ କଥା ନାହିଁ ଜାଣି

।।

ସ୍ତିରୀ ପିଲାଙ୍କୁ ଦେଉ ବୋଲିଣ କହିଲେ

କଲେକ୍ଟର ସାହେବଙ୍କୁ ଜଣାଇଲେ

।।

ତାହାଙ୍କର ନାମରେ ଷୋଳ ହଜାର ଟଙ୍କା

କରିଛନ୍ତି ମାନସେ ନକରିଣ ଶଙ୍କା

।।

ତୁମ୍ଭେ ଏହିକ୍ଷଣି ସମସ୍ତେ ଚଳିଯିବ

ସାହେବଙ୍କୁ ଏକଥା ଶୀଘ୍ରରେ କହିବ

।।

ସେକ୍ଷଣି ଚ୍ୟାଉ ପଟ୍ଟନାୟକ ଟଙ୍କଧର

ପଟ୍ଟନାୟକ ଦୁହେଁ ହୋଇଲେ ବାହାର

।।

ବଡ଼ ମାଦଳା ପାଞ୍ଜିକାର ଯେ ଅଟନ୍ତି

ସେ ମାଧବ ପଟ୍ଟନାୟକ କଲେ ଗତି

।।

ଗୋବିନ୍ଦ ବିଶ୍ୱାସରା ସେ ମାଧବ ପାତ୍ର

ସଙ୍ଗତରେ ଗଲେ ହୋଇଣ ଉଚିତ

।।

ପଧାନ ସିଙ୍ଗି, ବୃନ୍ଦାବନ ପ୍ରହରାଜ

ରାମଚନ୍ଦ୍ର ରଣା ହାନ୍ଦୋଳୀ ହୋଇ ସଜ

।।

ଏ ଆଦି ଗୁମସର ଭଲ ଲୋକମାନେ

ଗଲେ କଲେକ୍ଟର ସାହେବ ଥିବା ସ୍ଥାନେ

।।

ଶ୍ରୀକର ଭଞ୍ଜେ ଦେଇଥିବାର ଅରଜି

ଦେଇ ସବୁ କହିଲେ ରଖିଣ ମରଜି

।।

ତାହା ଶୁଣି ସାହେବ ବହୁତ ଖୁସି ହେଲେ

ଚେନାପାଟଣା ଲାଟ ସରିକୁ ଲେଖିଲେ

।।

ସେହିଠାରୁ ଠାକରି ନାମରେ ଗଭର୍ଣ୍ଣର

ପରବେଶ ହେଲେ ଆସି ଗୁମସର

।।

ଗହଙ୍ଗୁ ଗ୍ରାମେ ତମ୍ବୁ ମାରିଣ ରହିଲେ

ସେହିଠାରୁ ଶ୍ରୀକର ଭଞ୍ଜଙ୍କୁ ଡକାଇଲେ

।।

ବହୁତ ସମାଧାନ କରି କଥା କହି

ଗୁମସର ରାଜତ୍ଵ ଦେଇଗଲେ ସେହି

।।

ଶୁଣ ଜନେ ଶ୍ରୀକର ଭଞ୍ଜ ରଜାଙ୍କର

ଦ୍ୱିତୀୟ ଥର ରାଜତ୍ଵକୁ କରିବାର

।।

ସେ ତ ଆଗୁଁ ବୈଷ୍ଣବ ହୋଇ ଯାଇଥିଲେ

ରାଜତ୍ଵ କରି ସେହି ଆଚରଣ କଲେ

।।

ପୁରୁଣା ଗଡ଼ଠାରେ ଗୋଟିଏ ତକତ

କରିବାରେ ସେ ସ୍ଥାନ ହେଲା ବିଷ୍ଣୁ ମନ୍ତ୍ର

।।

ଏ ଉତ୍ତାରୁ ବାର ମୁଠାରେ ନଅର

କଲେ ବାରମୁଠା ଯାକରେ ଖମାର

।।

ସେ ଖମାର ଗ୍ରାମମାନଙ୍କେ ଅସୁମାରୀ

ଫଳ, ପୁଷ୍ପ, ଶାକ, କନ୍ଦା ଆଦି କରି

।।

କରିଣ ଆଣିସବୁ ପୁରୁଣା ଗୁମସରେ

ଜମା କରୁଥାନ୍ତି, ପ୍ରତ୍ୟେକ ଦିନରେ

।।

ଆଗ ଦେବ, ବ୍ରାହ୍ମଣମାନଙ୍କୁ ଦିଅନ୍ତି

ପଛେ ନେଇ ଯୋଗଣ ଖନ୍ଦାରେ ରଖନ୍ତି

।।

ସମସ୍ତ ପାତ୍ର ଭଲ ଲୋକଙ୍କ ଘର ଗଣି

ନମତାଙ୍କ ହାତରେ ପଠାନ୍ତି ନରମଣି

।।

ଶ୍ରୀ ମହାପ୍ରସାଦ ମାସକୁ ଦୁଇଥର

ପରବେଶ ହୁଏ ପୁରୁଣା ଗୁମସର

।।

ତାହା ନେଇ ବ୍ରାହ୍ମଣ ବୈଷ୍ଣବ ଭଲ ଲୋକ

ମାନଙ୍କୁ ବାଣ୍ଟୁଥାନ୍ତି ନୃପଙ୍କ ତିଳକ

।।

ଏ ବାହାରେ ନାନାପରି ଦ୍ରବ୍ୟମାନ

କରୁଥାନ୍ତି ନିତି ଦେବତା ଦର୍ଶନ

।।

ତାହା ସବୁ ବ୍ରାହ୍ମଣ ବୈଷ୍ଣବ ଭୋଜନ

କରିବାରେ ସାରୁଥାନ୍ତି ନିତିଦିନ

।।

ତୋଟା ମାନଙ୍କରୁ ନାନା ଜାତି ଫୁଲ

ଅଣାଇଁ ମାଳ ଗୁନ୍ଥ କରନ୍ତି ସମତୁଲ

।।

ଦେବା ଦେବୀ ଅନୁକ୍ରମରେ ମାଳମାନ

ବଡ଼ସିଙ୍ଗାର ବେଶ କରାନ୍ତି ରାଜନ

।।

ବସନ୍ତ କାଳେ ବଣମଲ୍ଲି ନିଆଳିକି

ଆଣି ମାଳି ଗୁନ୍ଥାନ୍ତି ମାଳିମାନଙ୍କୁ ଡ଼ାକି

।।

ସେ ମାଳିମାନଙ୍କ ହାତରେ ମାଳ ଦେଇ

ଦେବାଳୟ ମାନଙ୍କୁ ଦିଅନ୍ତି ପଠାଇ

।।

ପଦ୍ମ ପଦ୍ମ କରି ସରୋବରୁ ପଦ୍ମ

ଆଣି ଦେବତାଙ୍କୁ ଦିଅନ୍ତି ଛାଡ଼ି ଛଦ୍ମ

।।

ଲକ୍ଷ ଲକ୍ଷ ଚମ୍ପା ବାମ ବାମ ଦେବ

ଦୁହିଁଙ୍କର ଠାରେ କରାନ୍ତି ସେ ପାର୍ଥିବ

।।

ଦିବ୍ୟ ରସାଳ ଫଳ ରସାବଳୀ କରି

ଦେବତାଙ୍କ ମନରେ ଦିଅନ୍ତି ନେଇ ଢାଳି

।।

ବୈଷ୍ଣବ ପଟନି ବ୍ରାହ୍ମଣ ଆଦି ମାଳି

ବସାଇ ପରସନ୍ତି ଆପଣେ ଥାଳି ଥାଳି

।।

ବାର ମୁଠାରେ ଯେତେ ଦେବା ଦବୀଚୟ

ଲକ୍ଷ ଲକ୍ଷ ଆମ୍ବ ଭୋଗ କରାନ୍ତି ନିଶ୍ଚୟ

।।

ତାହା ସବୁ ବ୍ରାହ୍ମଣ ଭୋଜନ କରାନ୍ତି

ବାକି ଭଲ ଲୋକମାନଙ୍କୁ ଦିଅନ୍ତି

।।

ଦେଇ ପଣା ପାଣି ଛତ୍ର ଗ୍ରୀଷମରେ

ସନ୍ତୋଷ ଲଭନ୍ତି ଆପଣା ମାନସରେ

।।

ଛୋଟା, କେମ୍ପା, କଣା, ଅନ୍ଧ, ଜଡ଼ା, ଜନ–

ମାନେ ଆସି ମାଗିଲେ ଦିଅନ୍ତି ତାଙ୍କୁ ଧନ

।।

ତିଳ, କାଞ୍ଚନ, ମଇଁଷି, ମୃତ୍ତିକା ଆଦି ଧେନୁ

ବ୍ରାହ୍ମଣଙ୍କୁ ଦାନ ଦିଅନ୍ତି ନୃପ ସୁନୁ

।।

ବଣ ବୁଲି ବୁଲି ମାଳତୀ ଫୁଲ ତୋଳି

ଭଲଲୋକ ହାତରେ ଗୁନ୍ଥାନ୍ତି କେତେ ମାଳି

।।

କେତେ ମାଳି ତହିଁରୁ ସୁଖାଇ ରଖନ୍ତି

ବାକି ମାଳ ଦେବତାମାନଙ୍କୁ ଦିଅନ୍ତି

।।

ସୁଖିଲା ମାଳଯାକ କାର୍ତ୍ତିକ ମାସରେ

ପଠାନ୍ତି ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ନିମିତ୍ତରେ

।।

କୁମାର ପୌର୍ଣ୍ଣମୀ ଦିନରେ ରାଜନ

ନବୀନ ବସନକୁ ଆଣନ୍ତି ବହନ

।।

ରାଜଧାନୀ ଦେବତାମାନଙ୍କୁ ଦିଅନ୍ତି

ପାତ୍ର, ସାମନ୍ତ, ଭଲ ଲୋକଙ୍କୁ ବାଣ୍ଟନ୍ତି

।।

ବାରମୁଠା କାର୍ଯୀମାନଙ୍କୁ ଦେବାର

ଆଉ ଯେତେ ଦିଅନ୍ତି ନୁହଇ କହିବାର

।।

ଅରଖ ଡାଙ୍ଗ ଆଣି ତହିଁରୁ ସୁତା କାଢ଼ି

ଲୁଗା ବୁଣାନ୍ତି ତହିଁ ପକାଇ ପାଟ ଧଡ଼ି

।।

ସେ ଲୁଗା ଜମିଦାର ମାନଙ୍କୁ ପିନ୍ଧାଇଲେ

କସା ବାସ କରି ଆପଣେ ପିନ୍ଧଲେ

।।

ତହିଁରେ କିଛି ସୁତା ଡୋର କରାଇଲେ

କଳା ବସନ୍ତ ରଙ୍ଗ ରଙ୍ଗରେ ରଙ୍ଗାଇଲେ

।।

ଚତୁର୍ମାସ୍ୟା ଥିବା ତ ବୈଷ୍ଣବମାନଙ୍କୁ

ଡୋରୁଟିଏ ଲେଖାଏଁ କରନ୍ତି ପ୍ରଦାନକୁ

।।

ରଜତ ମୁଦ୍ରା ଜଣ ଜଣକେ ପନ୍ଦର

ଦିଅନ୍ତି ଗନ୍ତାଘରୁ ଗଣି ନରବର

।।

ରକ୍ତ, ପୀତ, ଶ୍ଵେତ ବର୍ଣ୍ଣରେ ଅମ୍ବର

ଆଶୁକା କଉପିନ ସୁଝି ନ ଦୁକୁଳ

।।

ଏପରି ଦେଇ ସେମାନଙ୍କୁ ପଠିଆନ୍ତି

ସେ ଯାଇ ଦୂର ଦେଶମାନଙ୍କେ କହନ୍ତି

।।

ଆଉ ଯେତେପରି ଦିଅନ୍ତି ଧନଧାନ୍ୟ

ସନ୍ତୋଷ ଲଭନ୍ତି ନୃପତି ରତନ

।।

ଏପରି ଅଟନ୍ତି ଯେ ଶ୍ରୀକର ଭଞ୍ଜରାଜା

ସେ ତ ଗୁମସର ପାଳନେ ବିଡ଼ୋଜା

।।

କରୁଣାରେ ବରୁଣାଳୟକୁ ବଳିବେ

ଶରଣ ରଖିବାରେ ଶିବ ହାରିଯିବେ

।।

କ୍ରୋଧ କଲେ ମନ ଦହନ ସମାନ

ହେବ ବୋଲି ବିଚାର କରୁଥାନ୍ତି ଜାଣ

।।

ଅଷ୍ଟାଦଶ ପୁରାଣ ଆଦି ଗ୍ରନ୍ଥଯାକ

ଶୁଣିଲେ ଦ୍ୱିଜମୁଖ ସେ ନୃପ ତିଳକ

।।

ଶ୍ରୀକରପୁର ନାମେ ଗୋଟିଏ ଶାସନ

ବସାଇଲେ ଗଡ଼ପାଖରେ ବସନ

।।

ତା ତଳେ ପଡ଼ାକରି ଧୂଆଁ ଛାଇଗ୍ରାମ

ଲେଖିଦେଲେ ରାଜନ ବିଚାରିଣ ଧର୍ମ

।।

ବିଷ୍ଣୁ ଚକ୍ର ଠାରେ ପ୍ରାସାଦ ନିର୍ଭା କଲେ

ତହିଁରେ ଶ୍ରୀ ନାରାୟଣଙ୍କୁ ବସାଇଲେ

।।

ତାଙ୍କ ପାଖେ ଏକ ପୁଷ୍କରିଣୀ କଲେ

ଆମ୍ବ ପଣସ ଆଦି ବୃକ୍ଷ ଲଗାଇଲେ

।।

ବାଲିପଦରରେ ଏକ ମନ୍ଦିର ସଜାଡ଼ିଲେ

ତହିଁରେ ଶ୍ରୀ ଜଗନ୍ନାଥଙ୍କୁ ବସାଇଲେ

।।

ନିଜ ବୁଗୁଡ଼ାରେ ପାଷାଣ ପ୍ରାସାଦ

ଗୋଟିଏ କରାଇଲେ ନୃପ ହୋଇ ମୋଦ

।।

ତହିଁରେ ବଳଭଦ୍ର, ଶୁଭଦ୍ରା, ଜଗନ୍ନାଥ

ବସାଇଲେ ଶ୍ରୀକର ଭଞ୍ଜ ନରନାଥ

।।

ପୂର୍ବ ଦିଗରେ ଏକ ମନ୍ଦିର ତୟାର

କି ବିଚାର କରାଇଥିଲେ ନରବର

।।

ସେ ମଣ୍ଡପରେ ତମ୍ବା ଛାଉଣୀ କରାଇଲେ

ପେଣ୍ଡା ପେଣ୍ଡା ମୁକୁତା ତହିଁରେ ଲମ୍ବାଇଲେ

।।

ଚିତ୍ର ପିତୁଳା ଲୀଳାମାନଙ୍କୁ ଲେଖାଇଲେ

ବିଶ୍ୱକର୍ମା ନିର୍ମିତ ପରି ସେ ଦିଶିଲେ

।।

ଦ୍ୱିଜ କୃପାସିନ୍ଧୁ ତ୍ରିପାଠୀ ବାହିନୀ--

-ପତି ବୋଲି କ୍ଷାତ ହୋଇଥିଲେ ପୁଣି

।।

ତାଙ୍କପରି ଚିକିତ୍ସକ କିଏ ଏ ସଂସାରେ

ଥିଲାପରି ଆଉ ନଦିଶେ ନୟନରେ

।।

ଏକଦିନେ ଶ୍ରୀକର ଭଞ୍ଜଙ୍କ ଛାମୁରେ

"ଏ ପ୍ରାସାଦକୁ ଦେବତା ଅଛନ୍ତି କେଉଁଠାରେ"

।।

ଶ୍ରୀ ଛାମୁରୁ ଆଜ୍ଞା ହେଲା ଏହିପରି

ପ୍ରାସାଦ ନିର୍ଭା ହେଲା ଉତ୍ତାରୁ ବିଚାରି

।।

ଆଉ ଯେତେ ଚିତ୍ର ବିଚିତ୍ର କଥାମାନ

କହିବାକୁ ଆସୁନାହିଁ ମୋର ମନ

।।

ସେ ମଣ୍ଡପ ସମୀପେ ବାମ୍ଫିଏ କଲେ

ତହିଁରେ ଇଟା ଚାରିଲକ୍ଷ ବନ୍ଧାଇଲେ

।।

ବେଢ଼ା ଚାରିପାଖ ନାନାଜାତି ବୃକ୍ଷ

ରୋପିବାରୁ ନନ୍ଦନ ବନ କି ପ୍ରତକ୍ଷ

।।

ଯାଇ, ଯୁଈ, ମଲ୍ଲି, କୁନ୍ଦ କନିଅର

ପଦ୍ମ, ଗୋଲାପ, ଲାଲ ଗୋଲାପ, ମନ୍ଦାର

।।

କଣ୍ଟା ସେବତୀ, ଶୁକ୍ଳ ସେବତୀ, ନାଗେଶ୍ଵର

ଚମ୍ପା, କନକ ଚମ୍ପା ସମ୍ପାଦି ଆବର

।।

ବକୁଳ, ସ୍ଥଳପଦ୍ମ ଦୟଣା, କୁରୁବଲ୍ଲୀ

ଟଗର, ତରାଟ, କଞ୍ଚଣ, ବ୍ରଜମଲ୍ଲି

।।

ଜାମ୍ୱ, ଜମ୍ଭିଲ, ଟଭା, କରୁଣା ମାତୁଳୁଙ୍ଗ

କମଳା, ନାରିକେଳ, କ୍ରମୁକ, ନାରଙ୍ଗ

।।

ଏପରି ପୁଷ୍ପ, ଫଳ ବୃକ୍ଷରେ ଶୋଭନ

ଦେଖିଲା ଜନମନ କରଇ ଉଚ୍ଛନ୍ନ

।।

ସେହି ସମୟରେ ଏହି ଗୁମସର

ପାଇଲିପଡ଼ା ମୁଠା ମାଳତୀ ପର୍ବତର

।।

ପାଷାଣ ନିର୍ମିତ ହେବାର ଦେବତା

ବାହାରିଲେ ସେ ଅଟନ୍ତି ସବିତା

।।

ତାଙ୍କୁ ଆଣି ତମ୍ବା ଛାଆଣି ମଣ୍ଡପରେ

ରଖାଇଲେ ନୃପ ଅତ୍ୟନ୍ତ ସ୍ନେହରେ

।।

ତାଙ୍କ ଭୋଗ ନିମନ୍ତେ ଆଦିପୁର ଗ୍ରାମ

ଲେଖିଦେଲେ ଶ୍ରୀକର ଭଞ୍ଜ ନରୋତ୍ତମ

।।

ଅନେକ ଦେଶ ନୃପ ଶିଷ୍ଟାଶିଷ୍ଟ ନର

ଲକ୍ଷେ ଟଙ୍କା ଲଗାଇ ପ୍ରତିଷ୍ଠା ସମ୍ଭାର

।।

କଲେ ଲୋଡ଼ିକରି ଶ୍ରୀକର ଭଞ୍ଜ ନୃପ

ଏପରି ଖୋଜିଲେ ନକଲେ କେହି ନୃପ

।।

ସେ ଗ୍ରାମର ଦକ୍ଷିଣ ପାଟ ପୁଷ୍କରିଣୀ

ଖୋଳାଇଲେ ଅତି ଶୀଘ୍ରରେ ନରମଣୀ

।।

ତମ୍ବା ଛଆଁ ମଣ୍ଡପ ଦକ୍ଷିଣ ବଖରାରେ

ରାମ, ଲକ୍ଷ୍ମଣ, ସୀତା ବସାଇଲେ ଖରେ

।।

ସାନ ଚେଲା ଗୋବିନ୍ଦ ଦାସଙ୍କୁ ଶୀଘ୍ରରେ

ମହନ୍ତ ଶାଢ଼ୀ ଦେଇ ରଖିଲେ ବୁଗୁଡ଼ାରେ

।।

ଜଗନ୍ନାଥ ପ୍ରସାଦ ବସ୍ତିରେ ଜଗନ୍ନାଥ

ସୀତା, ଲକ୍ଷ୍ମଣରେ ହୋଇଣ ସହିତ

।।

ବିଜେ କରିଥିଲେ ଗୋଟିଏ ମନ୍ଦିରରେ

ତାଙ୍କ ନିଯୁକ୍ତି କେହି ନଥିଲେ ପାଖରେ

।।

ସେ ମଠକୁ ଗୋବିନ୍ଦ ଦାଶଙ୍କ ଅଧୀନ

କରାଇଲେ ବିଚାର କରିଣ ରାଜନ

।।

କରଚୁଲିରେ ତଡ଼ାଗ ଗୋଟିଏ କରାଇଲେ

ପଥିକ ଜନମାନେ ତାଜଳ ପାନ କଲେ

।।

ଜଗନ୍ନାଥ ପ୍ରସାଦ ଦଧି ବାମନଙ୍କ

ମନ୍ଦିର ହୋଇ ଯାଇଥିଲା ପାକ

।।

ତାଙ୍କୁ ଯତନ କରି ନୂତନ ମଣ୍ଡପ

ତୟାର କରାଇଲେ ଶ୍ରୀକର ଭଞ୍ଜ ନୃପ

।।

ତହିଁରେ ଶ୍ରୀ ଦଧିବାମନଙ୍କୁ ନେଇ

ବିଜେ କରାଇଲେ ଅଧିକ ଖଞ୍ଜା ଦେଇ

।।

କୁଲାଲଡ଼ରେ ରତନେଶ୍ଵରଙ୍କ ମନ୍ଦିର

ତୟାର କରାଇଲେ ଭଞ୍ଜ ବୀରବର

।।

ଆଉ ଅନେକଠାରେ ତଡ଼ାଗ ବାମ୍ଫି କଲେ

ଜୀର୍ଣ୍ଣ ହେବା ପ୍ରାସାଦ ମନ୍ଦିର ସଜାଡ଼ିଲେ

।।

ରସାଳ, ନାରିକେଳ, ଖର୍ଜୁର, ତାଳ ବନ

କରାଇଲେ ପୃଥ୍ୱୀ ହୋଇଲା ବିପିନ

।।

କୂପ, ବାମ୍ଫି, ତୋଟା, ମନ୍ଦିର ପ୍ରାସାଦ

ବାର ମୁଠା ନଅର ଆଦି ଯେତେ ପଦ

।।

ପ୍ରତିଷ୍ଠା କରିବାରେ ଖରଚ ଯାହା ହେଲା

ପଚିଶି ଲକ୍ଷ ଟଙ୍କା ପାଞ୍ଜିରେ ଲେଖା ହେଲା

।।

ବରଷକୁ ବରଷ ଶ୍ରୀ ରଘୁନାଥଙ୍କର

ଜନ୍ମ ଉତ୍ସବ ଯାହା କରନ୍ତି ନରବର

।।

ଅଠର ଜମିଦାର ସେତେ ମଠଧାରୀ

ତାଙ୍କୁ ଆଣନ୍ତି ଲୋକ ପଠିଆଇ କରି

।।

ଚାରି ସମ୍ପ୍ରଦାୟରୁ ବୈଷ୍ଣବମାନଙ୍କୁ

ଡାକିଥାନ୍ତି ଆଗୁଁ ନକରି ବିଳମ୍ବକୁ

।।

ନମତା ବଇରାଗୀ ସଂଯୋଗୀ ଯେତେ ଆସି

ରହିଥାନ୍ତି କହିଲେ ନସରିବ ବସି

।।

ଏ ସମସ୍ତଙ୍କୁ ନାନା ପରିରେ ଭୋଜନ

ଦେଇ ତୃପ୍ତି କରୁଥାନ୍ତି ତାଙ୍କ ମନ

।।

ଚୌରାଶି ପ୍ରକାରରେ ବ୍ୟଞ୍ଜନାଦି ଭଜା

ପକ୍ୱ କରିଥାନ୍ତି ଶ୍ରୀକର ଭଞ୍ଜ ରାଜା

।।

ମାଲପୁଆ କାକରାଦି ସହିତେ ଝିଲାବି

ନାରିଲଡ଼ୁ, ମାଠ, ଆରିଷା, ଗୋଲାବି

।।

ଏହିପରି ଦ୍ରବ୍ୟ ସୂପକାରମାନେ

ନିର୍ବାହ କରୁଥାନ୍ତି ସୂପକାରମାନେ

।।

ଏହାସବୁ ଶ୍ରୀ ରଘୁନାଥଙ୍କ ମଣୋହି

କରାଇ ପଙ୍ଗତକୁ କରନ୍ତି ନରସାଇଁ

।।

ମଠଧାରୀ ଅନୁକ୍ରମରେ କଥାଟିଏ

ଦେଇ ତାଙ୍କୁ ମେଲାଣି କରନ୍ତି ନରରାୟେ

।।

ଏଥିରେ ବରଷକୁ ପାଞ୍ଚ ହଜାର ଟଙ୍କା

ଖର୍ଚ୍ଚ ହୁଏ ନୃପ ନକରନ୍ତି ଶଙ୍କା

।।

ଏ ବାହାରେ ନବଦୁର୍ଗ ମାନଧାତାଙ୍କ

ସଙ୍ଗେ ବିରୋଧ ହେଲେ ନୃପତି ତିଳକ

।।

ପୁତ୍ର ଧନଞ୍ଜୟ ଭଞ୍ଜେ ତ ଗଡ଼ ବେନି

ଲେଖି ଦେଇଥିଲେ କାହାକୁ ନମାନି

।।

ସେ ବେନିଗଡ଼ ଛଡ଼ାଇବାରେ ଉଦ୍ୟମ

କଲେ ଅତି କ୍ରୋଧରେ ନୃପଙ୍କ ଉତ୍ତମ

।।

ରାତ୍ରରେ ଲୋକ ପେଷି ନୂଆଁ ଗଡ଼ ରାଜ୍ୟେ

ଦହନ କରାଇଲେ ଶ୍ରୀକର ଭଞ୍ଜ ରାଜ

।।

ଧନଦ୍ରବ୍ୟ ସବୁ ଲୁଟି କରାଇଣ

ସ୍ତିରୀ ବାଳକ ଆଦିମାନଙ୍କ ନେଲେ ପ୍ରାଣ

।।

ଏ ବାହାରେ ଗାଇ ମଇଁଷି ଗୋଷ୍ଠମାନ

ଅଣାଇଲେ ଗୋପାଳମାନଙ୍କୁ ପେଷିଣ

।।

ପୁନିପଡ଼ା ଲଗାଇତରୁ କମସର

ସନ୍ଧିଗଡ଼ ବାନ୍ଧିଲେ କରି ଦୃଢ଼ତର

।।

ଏ ଗଡ଼ମାନଙ୍କରେ ପାଇକ ସରଦାର

ବାଣ୍ଟି ରଖିଦେଲେ ଭଞ୍ଜ ବୀରବର

।।

ଏମନ୍ତ ସମୟରେ ନୁଆଁଗଡ଼ ଚୋରେ–

ଆସିଲେ କରଚୁଲି ମୁଠାର ବାହାରେ

।।

ବଗୁଡ଼ା ମୁଠା ପଙ୍କାଳ ସାହି ଗ୍ରାମରେ

ପ୍ରବେଶ ହେଲେ ରାତ୍ର ଅର୍ଦ୍ଧ ସମୟରେ

।।

କାନକୁଟରୁ ଗ୍ରାମେ ରାତ୍ରରେ ପଶିଲେ

ସୁନାରି ପିଲା ହାତ ଗୋଟିଏ ହାଣିଲେ

।।

ତହିଁ କେତେଦିନ ଅନ୍ତରେ ସେହି ଚୋରେ

ଆସି କରଚୁଲି ମୁଠାର ବାହାରେ

।।

ବୁଗୁଡ଼ା ମୁଠା କାର୍ଯ୍ୟ ପିଣ୍ଡିକ ସନ୍ତୋଷରା

ଘର ତ ଥିଲା ସେହିଠାରେ ପରମ୍ପରା

।।

ତାଙ୍କ ଘର ଦ୍ରବ୍ୟ ସର୍ବସ୍ୱ ଲୁଟି କଲେ

ତାଙ୍କ କକେଇଙ୍କୁ ବାନ୍ଧି ଘେନିଗଲେ

।।

ଏ ଖବର ରାଜା ଶ୍ରୀକର ଭଞ୍ଜ ଶୁଣି

କ୍ରୋଧରେ ଆଉ କହି ନପାରିଲେ ବାଣୀ

।।

ସେହିକ୍ଷଣି ସମସ୍ତ ନସ୍କର ଗଦା କଲେ

ପାତ୍ର, ସାମନ୍ତ ଲୋକମାନଙ୍କୁ ଡକାଇଲେ

।।

ସମସ୍ତଙ୍କୁ ଆଗେ ଚଲାଇ ନରବର

ପରବେଶ ହେଲେ କାଦୁଆ ଗ୍ରାମର

।।

କମସର ଅଳଶୁ ବେନି ଗଡ଼ ମାଡ଼ି

ପଡ଼ିଲେ ନସକର ତିଳେହେଁ ନଛାଡ଼ି

।।

ତିନିଦିନ ସରିକି ଗଡ଼ରେ ଥିବା ଲୋକ

ଧର୍ମବାଟ ମାଗିଲେ ପକାଇଣ ଡାକ

।।

ତା ଶୁଣି ଜଗନ୍ନାଥ ପ୍ରସାଦ ମୁଠାର

ସଂଗ୍ରାମ ସିଙ୍ଗ ନାମେ ଗୋଟିଏ ସରଦାର

।।

ତାଙ୍କ ପୁତୁରା ହଳଧର ନାୟକଙ୍କୁ

ସଙ୍ଗେ ଧରିଗଲେ ରଜାଙ୍କ ଛାମୁକୁ

।।

ଏ ଖବରଯାକ କରନ୍ତେ ଗୋଚର

ନୃପତି ସେ କଥାକୁ କଲେ ଅଙ୍ଗିକାର

।।

ସେହିକ୍ଷଣି ପାତ୍ର ଚ୍ୟାଉକୁ ଡାକିଲେ

ସମସ୍ତ ଗଣଯାକ ପାଖରେ ତ ଥିଲେ

।।

ଚ୍ୟାଉଙ୍କର ପୁଅ ଫଉଦି ବକ୍‍ସି

ତାଙ୍କୁ ନୃପ ଡକାଇ ହୋଇଗଲେ ଖୁସି

।।

କୁଲାଡ଼ ସରଦାର ଅଟନ୍ତି ମେରୁଶୂଳ

ମହାପାତ୍ର ଗଲେ ଧରି ତାଙ୍କ ବଳ

।।

ବାସୁ ସରଦାର ପାଇଲିପଡ଼ାର

ସେ ମଧ୍ୟ ସେହିକ୍ଷଣି ହୋଇଲା ହାଜର

।।

ବିଷ୍ଣୁ ଚକ୍ର ବାଲି-ପଦର ମୁଠାର

ଉଠାଣ ସିଙ୍ଗ ନାମରେ ଗୋଟିଏ ସିର୍ଦ୍ଦାର

।।

ବୁଗୁଡ଼ା ସର୍ଦ୍ଦାର ସଙ୍ଗେ ଯୁଟ ହୋଇ

ନୃପଙ୍କର ଛାମୁରେ ଦେଖା ହେଲେ ଯାଇ

।।

ବାହୁ ବଳିନ୍ଦ୍ର ଆଦି ଯେତେ ବନ୍ଦୀ ଥିଲେ

ସେମାନେ ମଧ୍ୟ ନୃପ ଛାମୁରେ ଦେଖା ହେଲେ

।।

ଏ ସମସ୍ତଙ୍କୁ ଚାହିଁ ବୋଲନ୍ତି ଭଞ୍ଜରାଟ

ନୁଆଁ ଗଡ଼ ପାଇକେ ମାଗୁଛନ୍ତି ବାଟ

।।

ଏକଥା କି ତୁମ୍ଭମାନଙ୍କ ମନକୁ

ଆସୁଛିକି କହ ନଜରି ଶଙ୍କାକୁ

।।

ଶୁଣି ଏହା ସମସ୍ତେ କହନ୍ତି ସେହିକ୍ଷଣି

ଶୁଣିବା ହେଉ ନୃପ ମଣ୍ଡନ ନରମଣି

।।

ଏକଥା ତ ସବୁ ରୂପରେ ଉତ୍ତମ

ବିଚାରି ଦଣ୍ଡ ବହି ନୃପଙ୍କ ଉତ୍ତମ

।।

ଶୁଣିଦେଇ ନୃପତି ଆନନ୍ଦ ହୋଇଲେ

ନବଦୁର୍ଗ ପାଇକଙ୍କୁ ସେ ବୋଇଲେ

।।

ନିଶମାନଙ୍କରୁ ପଟାଏ କ୍ଷୌର କଲେ

ସ୍ତିରୀ ଲୁଗା ଖଣ୍ଡିଏ ଲେଖାରେ ପିନ୍ଧାଇଲେ

।।

ଶଙ୍ଖା ଚାରିପଟ ଲେଖାରେ କରରେ

ପିନ୍ଧାଇ ଛାଡ଼ିଦେଲେ ତାଙ୍କର ରଜ୍ୟରେ

।।

ଅଳଶୁ, କମସର ଗଡ଼ରେ ଆପଣାର

ଲୋକ ରଖାଇ ବାହୁଡ଼ିଲେ ନରବର

।।

ପୁରୁଣା ଗୁମସରରେ ହୋଇଲେ ପ୍ରବେଶ

ଆପଣା ମାନସକୁ କରିଣ ହରଷ

।।

ପାଇକ ସରଦାରମାନଙ୍କୁ ବହୁମାନ

କଲେ ଦ୍ୱିଜବର ଡକାଇ ଦେଲେ ଦାନ

।।

ବକ୍‌ସି ପଟ୍ଟନାୟକଙ୍କୁ ସମ୍ଭାବନା

କଲେ ଯାହା ତାହା ନୋହିବ ଗଣନା

।।

ତହିଁ ଉତ୍ତାରୁ ଥକ୍‌କା ପାଆନ୍ତେ ନରବର

ଏକଦିନେ ଏକାନ୍ତେ କରନ୍ତେ ବିଚାର

।।

ପୁତ୍ର ଆମ୍ଭର ରହିଲେ ମଜରାନ୍ତ

ଆମ୍ଭର ତ କାଳ ହୋଇଗଲା ପ୍ରାନ୍ତ

।।

ଏତେ ବିଚାରି ଚିନାପାଟଣା ଗଭର୍ଣ୍ଣର

ଠାକୁ ଅର୍ଜି ଲେଖି ପଠାଇ ଭଞ୍ଜବୀର

।।

କୁମର ଧନଞ୍ଜୟ ଭଞ୍ଜଙ୍କୁ ଆମର

ରାଜ୍ୟକୁ ପଠିଆଅ ଶୁଣି ଆମ୍ଭ ଗିର

।।

ଆମ୍ଭର ତ ବୃଦ୍ଧାବସ୍ଥା ହୋଇଲାଣି

ଆମ୍ଭ ଅନ୍ତେ ରାଜ୍ୟରେ ହେବେ ସେ ନରମଣି

।।

ଏହା ଶୁଣି ଚେନାପାଟଣା ଗଭର୍ଣ୍ଣର

ସିଉକାର କଲେ ଶୁଣି ନୃପ ଗିର

।।

ଧନଞ୍ଜୟ ଭଞ୍ଜଙ୍କୁ ପଠିଆଇ ଦେଲେ

ସେ ଆସିଣ ସନ୍ଧି ସୀମାରେ ପଡ଼ିଲେ

।।

ସେ ସମୟକୁ କଲେକ୍‍ଟର ଟିମିସନ

ଗଞ୍ଜାମ ଜିଲ୍ଲାରେଟି ହୋଇଥିଲେ ଜାଣ

।।

ସେ ସାହେବ ଆସି ଶ୍ରୀକର ଭଞ୍ଜଙ୍କୁ

ବହୁତ ପରକାରେ ବୁଝାଇଲେ ତାଙ୍କୁ

।।

ତୁମ ରାଜ୍ୟେ ରଖ ତୁମ କୁମରକୁ

ପିତା ପୁତ୍ର ମିଶି ପାଳ ଏ ରାଜ୍ୟକୁ

।।

କିନ୍ତୁ ଶ୍ରୀକର ଭଞ୍ଜ ତାହା ନଶୁଣିଲେ

ରାଜ୍ୟର ଭଲ ଲୋକମାନଙ୍କୁ ଧଇଲେ

।।

ଆଠଗଡ଼ ରାହାରେ ଶ୍ରୀ ପୁରୁଷୋତ୍ତମ

ପରବେଶ ହେଲେ ନୃପଙ୍କ ଉତ୍ତମ

।।

ଆଗୁ ତ କ୍ଷେତ୍ରବରେ ମଠ କରିଥାନ୍ତି

ତହିଁରେ ଚେଲା ରଘୁନାଥ ଦାଶେ ଥାନ୍ତି

।।

ସେହିଠାରେ ଯାଇ ରହିଲେ ରାଜନ

ଶ୍ରୀ ରଘୁନାଥଙ୍କର ସେବାରେ ଦେଇ ମନ

।।

କେତେ ଦିନ ସେଠାରେ ରହିବାରେ ଯାଇ

ଗୁରୁ ଶିଷ୍ୟଙ୍କର ପଡ଼ିଲାତ ନାହିଁ

।।

ସେ ମଠ ଚେଲାମୂଳେ ଦେଇ ବଡ଼ ଦାଣ୍ଡେ

ମଠ ତୟାର କଲେ ଭୂମି କିଣି ଚାଣ୍ଡେ

।।

ସେ ମଠରେ ଯାଇ ରହନ୍ତେ ଆପଣ

ତହିଁ ଉତ୍ତାରୁ ଯାହା ହେଲା ନରେ ଶୁଣ

।।

ପୂର୍ବରୁ ସାନ ଚେଲା ଗୋବିନ୍ଦ ଦାଶଙ୍କୁ

ଲେଖି ଦେଇଥିଲେ ବୁଗୁଡ଼ା ମଠକୁ

।।

ଜଗନ୍ନାଥ ପ୍ରସାଦ ଶ୍ରୀ ରଘୁନାଥଙ୍କର

ମଠ ତ ଲେଖି ଦେଇଥିଲେ ନରବର

।।

ସୂର୍ଯ୍ୟ ନାରାୟଣ, ଶ୍ରୀ ରଘୁନାଥଙ୍କର

ସେବା ପୂଜା କରିଥାଅ ଏହି ଗୁମସର

।।

ଗୁମସର ରାଜ୍ୟରେ ମହତ ପଦସିଦ୍ଧ

କହିଗଲେ ରାଜନ ଲେଖିବା ପ୍ରସିଦ୍ଧ

।।

ତାଙ୍କ ଅନୁଜ୍ଞାକୁ ଧରି ଶିରପରେ

କାଳ ନେଲେ ଦୁଇ ଦେବଙ୍କ ସଭାରେ

।।

ତହିଁ ଉତ୍ତାରୁ ଧନଞ୍ଜୟ ଭଞ୍ଜ ରାଜା

ପାଳନା କରୁଥିଲେ ଗୁମସର ପ୍ରଜା

।।

ଦ୍ୱିତୀୟ ଥର ପାଇଁ ହୋଇଣ ରାଜନ

ନିତି ବସି ଆଦ୍ୟରେ ହେଲା ଆନ ମନ

।।

ସେତେବେଳେ କଲେକ୍ଟର ଅଟନ୍ତି ଟିମିସନ–

ସାହେବଙ୍କ ଠାରେ ହେଲେ ସେ ବିମନ

।।

ରାଜ୍ୟ ଛାଡ଼ି ମାଳ ଉଦୟଗିରି ପାଖେ

ପୁଟକରି ଯାଇ ରହିଲେ ଅତି ଦୁଃଖେ

।।

ସରକାର ଜମା-ବନ୍ଦି ତ ନଦେଲେ

ତେଣୁ କଲେକ୍ଟର ସାହେବ କ୍ରୋଧ ହେଲେ

।।

ଧନଞ୍ଜୟ ଭଞ୍ଜ ରଜାଙ୍କ ଆଚରଣ

ଗଭର୍ଣ୍ଣର ଠାକୁ ଲେଖିଲେ ଆପଣ

।।

ଶୁଣିବାର ପଟଲାମ ନସକର

ଗୁମସରକୁ ପେଷି ଦେଲେ ଗଭର୍ଣ୍ଣର

।।

ରସୁଲ ନାମେ ଏକ ଗଭର୍ଣ୍ଣର ଆସିଲେ

ଗୁମସର ମାଳ ସହିତେ ସାଧ୍ୟ କଲେ

।।

ସାମନ୍ତ ଭଲଲୋକ ପାଇକ ସରଦାର

ଫାସୀ ଟେକାଇଲେ ରସୁଲ ଗଭର୍ଣ୍ଣର

।।

ଗଣତିରେ ଚାରିଶ ଚୌରାଅଶୀ ଲୋକ

ଫାଶୀ ଦିଆଇଲେ ହଜୁରେ ବାନ୍ଦି ଲୋକ

।।

କେତେ ଲୋକଙ୍କୁ ଦାରୁ ପକାଇ ପୋଡ଼ିଲେ

ଲୁହାକଣ୍ଟା ମାରି କେତେ ପ୍ରାଣ ନେଲେ

।।

ଏହିପରି ନାନା ଦଣ୍ଡମାନ ବିହି

ସାଧ୍ୟ କଲେ ରସୁଲ ଗୁମସର ମହି

।।

ରସୁଲକୋଣ୍ଡା ନାମେ ଗୋଟିଏ ସହର

ବସାଇଲେ ମନରେ କରିଣ ବିଚାର

।।

ଶ୍ରୀ ବ୍ରଜରାଜ ଭଞ୍ଜ ରାୟଲୁରେ

ବନ୍ଦୀ ଥିବାର ଲେଖି ଯାଇଛି ଆଗରେ

।।

ସକଳ ଗୁଣମାନଙ୍କରେ ପରିପୂର୍ଣ୍ଣ

ଦେବ ବ୍ରାହ୍ମଣରେ ହୋଇଲେ ନିପୁଣ

।।

ଅତିଥି ଅଭ୍ୟାଗତ ଅନ୍ଧ, ଜଡ଼ା ଜନ

ଏମାନଙ୍କୁ ବହୁତ ଧନ କଲେ ଦାନ

।।

ଜମିଦାର ସ୍ଥଳରୁ ଭଲ ଲୋକ ଗଲେ

ତାଙ୍କୁ ଶାଢ଼ି, ଖଡୁ ଟଙ୍କା ଦେଲେ ଭଲେ

।।

ସକଳ ବିଦ୍ୟାରେ ସେ ମଦନ ହୋଇଲେ

ସୌନ୍ଦର୍ଯ୍ୟରେ ରତି ପତିକି ଜିଣିଲେ

।।

ଏ ସରିକି ଶ୍ରୀକର ଭଞ୍ଜ ରଜାଙ୍କର ଜାଣ

ଅଣଷଠୀ ପାଟ ହୋଇଲା ଗଣନ

।।

ଗଣିତଙ୍କ ମତରେ ଶକାବ୍ଦ ସତରଶ

ଅଧିକାର କରି ବାଷଠୀ ହୋଏ ଶେଷ

।।

ଉଣିଶ ସତାଣୋଇ ବରଷ ସେ ଶେଷ

ହେଲେ ସୁଜନମାନେ ରଖ ସେ ମାନସ

।।

ଯେବେ ଶ୍ରୀ ନାରାୟଣ କରିବେ କରୁଣା

ଏଣିକି ବଂଶାବଳୀ ହୋଇବ ଗଣନା

।।

ଏଇଠାରେ ବଂଶାବଳୀ ଗୀତ ଶେଷ

ହେଲ ସୁଜନମାନେ ନଧରିବ ଦୋଷ

।।

ମୋର ଜ୍ୟେଷ୍ଠ ତାତ ନାମ ରଘୁନାଥ

-ମହାପାତ୍ର ପଦ କରିଣ ସେ ସାଥି

।।

ଶ୍ରୀକର ଭଞ୍ଜଙ୍କ ରାଜତ୍ୱ ହେବାରେ

ଲେଖା ହେଲେ ଭଲ ଲୋକମାନଙ୍କରେ

।।

ଧନଞ୍ଜୟ ଭଞ୍ଜଙ୍କ ରାଜତ୍ୱରେ ପୁଣି

ମୁଠା କାର୍ଯୀ ହେଲେ ସମସ୍ତ ଲୋକ ଜାଣି

।।

ଶ୍ରୀକର ଭଞ୍ଜଙ୍କର ଦ୍ୱିତୀୟ ରାଜତ୍ୱରେ

ପ୍ରାଣ ଛାଡ଼ିଦେଇ ଗଲେ ସୁରପୁରେ

।।

ତାଙ୍କ ସୁତ ନାମ ପିଣ୍ଡିକ ପରଂପରା

ଥିଲା ଶ୍ରୀକର ଭଞ୍ଜେ ବୋଇଲେ ସନ୍ତୋଷରା

।।

ସେହିଠାରୁ ସନ୍ତୋଷରା ପଦ ସିଦ୍ଧି

ହେଲା ପୂର୍ବରୁ ତ ଲେଖିଥିଲେ ବିଧି

।।

ନିଜ ବୁଗୁଡ଼ା ବଳଭଦ୍ରଙ୍କୁ କରି ଇଷ୍ଟ

ପାରି ହେଲେ ଯେତେ ପଡ଼ିବା ଅନିଷ୍ଟ

।।

ଶ୍ରୀକର ଭଞ୍ଜଙ୍କର ଭଲଲୋକ ହୋଇ

ପଡ଼ିବା କାର୍ଯ୍ୟକୁ ଦିଅନ୍ତି ତୁଲାଇ

।।

ଦେବ ବ୍ରାହ୍ମଣରେ ଅପ୍ରିୟ ବୋଲିବାର

କରିବା ଆଉ ସ୍ୱପ୍ନ ନଥିବା ଗୋଚର

।।

ସମସ୍ତ ଲୋକମାନେ ହେବାରୁ ସନ୍ତୋଷ

ସନ୍ତୋଷରା ପଦ ଦେଲେ ଭଞ୍ଜ ଈଶ

।।

ତେଣୁ ମୋ ମନେ ମନେ ବିଚାରକୁ କଲି

ଭଞ୍ଜ ରଜାଙ୍କ ବଂଶାବଳୀ ଗୀତ କଲି

।।

ଏଥିରେ କିଛି ଦୋଷ ହୋଇଲେ ମୋହର

କ୍ଷମା କରିବେ ତାହା ଭଞ୍ଜ ବୀରବର

।।

Image